ଘଟଣାଟି ଉତ୍ତରପ୍ରଦେଶର କାନପୁରର। ଏଠି ଏବେ ଜିଲ୍ଲାପାଳ ସୁଶ୍ରୀ ନେହା ଜୈନ୍। ସୋମବାର ସକାଳୁ ସକାଳୁ ଜିଲ୍ଲାପାଳ ନେହାଙ୍କ ପାଖରେ ଜଣେ ବୃଦ୍ଧା ପହଞ୍ଚିଥିଲେ। ହାତରେ ଥିଲା ଅଭିଯୋଗ ପତ୍ର। ଆଉ ଏଥିରେ ଲେଖାଥିଲା ସମ୍ବୋଧନ, ମେରୀ ପ୍ୟାରି ଡିଏମ୍ ବିଟିଆ’...।
ଜଣେ ଜିଲ୍ଲାପାଳଙ୍କୁ ଜଣେ ସାଧାରଣ ୭୦ ବଷିୟ ମହିଳା ଝିଅ ବୋଲି ସମ୍ବୋଧିତ କରି ଚିଠି ଲେଖିଥିଲେ। ସ୍ବାମୀ କର୍କଟ ରୋଗରେ ମରିବା ପରେ ପରିବାର ଲୋକେ ତାଙ୍କୁ କେମିତି ନିର୍ଯାତନା ଦେଉଛନ୍ତି ତାହା ଲେଖାଥିଲା ଏହି କାଗଜରେ। ପୂରା ଅଭିଯୋଗ ଶୁଣିବା ପରେ ଜିଲ୍ଲାପାଳ କାନ୍ଦିଥିଲେ। ନିଜ କର୍ମଚାରୀଙ୍କୁ ଡକାଇ ମହିଳାଙ୍କ ଖିଆପିଆ କଥା ବୁଝିବାକୁ କହିଥିଲେ। ଯାହା ପୂରା ପରିବେଶକୁ ଗୋଟିଏ ଭିନ୍ନ ଅନୁଭବ ଦେଇଥିଲା।
ଧକେଲପୁର ଗ୍ରାମର ୭୦ ବର୍ଷୀୟା ବୃଦ୍ଧା କୁସୁମ ସିଂହ। ସ୍ବାମୀ ଛବିନାଥ ସିଂହଙ୍କର କର୍କଟରେ ମୃତ୍ୟୁ ହେବା ପରେ ତାଙ୍କ ପୁଅ ଓ ବୋହୂ ତାଙ୍କୁ ପଚାରୁନାହାନ୍ତି। ପୁଅ ସଂପତ୍ତି କାଗଜପତ୍ର ନିଜ ନାମରେ କରିବା ପରେ ଖାଇବାକୁ ମୁଠେ ଦେଉନି।
ଏ ଚିଠି ପଢିବା ପରେ ଜିଲ୍ଲାପାଳ ଜୈନ୍ ପୀଡ଼ିତ ମହିଳାଙ୍କୁ ଆଲିଙ୍ଗନ କରି ତାଙ୍କ ଲୁହ ପୋଛି ଦେଇଥିଲେ। ତା’ପରେ ସେ ଭୋଗନିପୁର ଏସ୍ଡିଏମ୍ଙ୍କୁ ତାଙ୍କ ଅଭିଯୋଗ ତୁରନ୍ତ ଶୁଣିବାକୁ ନିର୍ଦ୍ଦେଶ ଦେଥିଲେ। ଶେଷରେ ବୃଦ୍ଧାଙ୍କୁ ସରକାରୀ ଗାଡ଼ିରେ ଘରେ ପହଞ୍ଚାଇବାର ବ୍ୟବସ୍ଥା ବି କରିଥିଲେ।