ସୁବର୍ଣ୍ଣପୁର: ବାହାନଗା ଟ୍ରେନ ଦୁର୍ଘଟଣା ପାଇଁ ଶୋକ। ରାମେଶ୍ୱର ସଙ୍ଗମରେ ମହା ଆଳତି ଅନୁଷ୍ଠିତ । ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାରେ ସାରା ବିଶ୍ୱ ସ୍ତବ୍ଧ ହୋଇ ଯାଇଛି । ଶହ ଶହ ନିରୀହ ଲୋକଙ୍କ ପ୍ରାଣ ଯାଇଥିବା ବେଳେ ବହୁ ଯାତ୍ରୀ ଆହତ ହୋଇଛନ୍ତି । ଅକାଳ ମୃତ୍ୟୁ ହୋଇଥିବା ଲୋକଙ୍କ ଅମର ଆତ୍ମାର ସଦ୍ଗତ ତଥା ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରି ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁର ରାମେଶ୍ୱର ତ୍ରିବେଣୀ ସଙ୍ଗମଠାରେ ମହା ଆଳତି ଅନୁଷ୍ଠିତ ହୋଇଛି । ମହାନଦୀ ସାହିତ୍ୟ ସଂସଦ ଏବଂ ରାମେଶ୍ୱର ସଂଗମ ଆଳତି କମିଟିର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ଆଳତି କାର୍ଯ୍ୟକ୍ରମରେ ବହୁ ଜନ ସାଧାରଣ ଯୋଗ ଦେଇ ମୃତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଏହା ସହ ଜିଲ୍ଲାରେ ଯୋଗ ଦେଇଥିବା ନୂତନ ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ଥିଲା । ତ୍ରିବେଣୀ ସଙ୍ଗମ ଏବଂ ପୂର୍ଣ୍ଣ ଚନ୍ଦ୍ରଙ୍କର ଆଳତି କରାଯାଇ ଥିଲା । ପୂଜକ ରାଧେଶ୍ୱାମ ପୁରୋହିତ, ଗଣେଶ ଦାଶ, ବାସୁଦେବ ଶତପଥୀଙ୍କ ଦ୍ବାରା ତିନୋଟି ମଣ୍ଡପରେ ଆଳତି କରାଯାଇଥିଲା । ପରେ ସମସ୍ତ ଶ୍ରଦ୍ଧାଳୁ ନଦୀରେ ପତ୍ର ଦୀପ ଭସାଇ ଜଗତ ମଙ୍ଗଳ କାମନା କରିଥିଲେ । ଘଣ୍ଟ, ଘଣ୍ଟା , ମନ୍ତ୍ର ଧ୍ୱନି ଏବଂ ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ତ୍ରିବେଣୀ ସଙ୍ଗମ ସ୍ଥଳ ।
ଅଧିକ ପଢନ୍ତୁ ଓଡ଼ିଶା ଖବର