ଅର୍ଗସ ବ୍ୟୁରୋ : ଧଳା ଜହର ଏବେ ଯୁବପିଢିକୁ କବଳିତ କରିବା ଆରମ୍ଭ କରି ସାରିଛି । ବହୁ ଯୁବକ ଏହାର କବଜାରେ ପଡ଼ିବା ସହ ପଥଭ୍ରଷ୍ଟ ହୋଇ ସାରିଲେଣି । ଝାରସୁଗୁଡା ଜିଲ୍ଲା ଧଳା ଜହରର ପେଣ୍ଠସ୍ଥଳି ପାଲଟିବାକୁ ଯାଉଛି । ଯାହାକି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ଦିନକୁ ଦିନ ଧଳା ଜହର ସମେତ ଅନ୍ୟାନ୍ୟ ନିଶା କାରବାର ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି । ଏହାର ଲିଙ୍କ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡକୁ ଲମ୍ବିଥିବାର ଜଣାପଡ଼ିଛି ।
ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ଛୋଟ ଛୋଟ ବେପାରୀଙ୍କୁ ଗିରଫ କରିଫ କରି ବାବା ନେଉଛି । ହେଲେ ଧଳା ଜହର କେମିତି ଜିଲ୍ଲାରେ ପ୍ରବେଶ କଲା ଏବଂ ଏହାର ମୁଖ୍ୟ କାର୍ପଟଦାର କିଏ ଏବଂ ଏହାର ଚେର କେତେଦୂର ଲମ୍ବିଛି ? ସେ ସମ୍ପର୍କରେ କୌଣସି ସୂଚନା ନ ପାଇବା ପୋଲିସର ଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି । ଜିଲ୍ଲାରେ ଗତବର୍ଷ ମେ ୨୦୨୨ ରେ ପ୍ରଥମେ ୧୬ ଗ୍ରାମ ୯୪୦ ମିଲିଗ୍ରାମ ବ୍ରାଉନ ସୁଗର ଜବତ ହୋଇଥିବା ସୂଚନା ପୋଲିସ ପକ୍ଷରୁ ଦିଆଯାଇଥିଲା । ତା ପରଠାରୁ ଏ ପର୍ଯ୍ୟନ୍ତ ଅନେକ ଥର ବ୍ରାଉନ ସୁଗର ଜବତ ହେଉଛି । ଗତ ବୁଧବାର ପୁଣି ଜିଲ୍ଲାରେ ୬ ଜଣଙ୍କ ଠାରୁ ୧୫ ଗ୍ରାମ ୩୯ ମିଲିଗ୍ରାମ ବ୍ରାଉନସୁଗର ଧରିବା ସହିତ ଦେଶୀ ପିସ୍ତଲ ଜବତ କରି କୋର୍ଟ ଚାଲାଣ କରିଛି ।
ନିଶା ବେପାରୀ ଇତି ମଧ୍ୟରେ ଝାରସୁଗୁଡ଼ାକୁ ମିଶା କାରବାରର ପେଣ୍ଠସ୍ଥଳ କରି ସାରିଛନ୍ତି । ଗତ କିଛିଦିନ ମଧ୍ୟରେ ଜବତ ବ୍ରାଉନସୁଗର ପରିମାଣକୁ ଲକ୍ଷ୍ୟ କଲେ ଏହା ହିଁ ବୁଝାପଡୁଛି । ସାରା ଜିଲ୍ଲାରେ ଅର୍ଥାତ ବ୍ରଜରାଜନଗର, ବେଲପାହଡ଼ ଭଳି ଛୋଟିଆ ସହରରେ ଏହି କାରବାରର ନେଟୱାର୍କ ରହିଛି । ଶିଳ୍ପନଗରୀ ଝାରସୁଗୁଡାରେ ଚାଲିଛି ଧଳାଜହରର ବେଧଡକ କରାବାର । ପୋଲିସ ବି କିଛି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । କଣ ପାଇଁ ଧଳା ଜହର ମାଫିଆକୁ ଧରୁନାହିଁ । ଯାହା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।