ଏକଜିଟ୍ ପୋଲର ସର୍ଭେ ରିପୋର୍ଟ ଏକଜାକ୍ଟ ଫଳାଫଳ ଦେଲେ ବଦଳିଯିବ ୟୁପିର ରାଜନୈତିକ ଇତିହାସ। ଗତ ଦଶନ୍ଧି ଗୁଡ଼ିକରେ ଲଗାତାର ଶାସନ କ୍ଷମତାରେ କୌଣସି ରାଜନୈତିକ ଦଳ ରହି ପାରିନଥିବା ବେଳେ ବିଜେପି ହିଁ ହେବ ପ୍ରଥମ ଦଳ ଯିଏ ଇତିହାସର ମୋଡ଼ ବଦଳାଇବ। ତେବେ କ’ଣ ରହିଛି ଏହା ପଛର କାରଣ ?
ଗ୍ରାଉଣ୍ଡ ଜିରୋରେ ୟୁପି ଭୋଟରଙ୍କ ମୁଡ୍ ସର୍ଭେ କରିଥିବା ଖ୍ୟାତନାମା ସର୍ବେକ୍ଷଣ ସଂସ୍ଥା ଆକ୍ସସିସ୍ ମାଇଁ ଇଣ୍ଡିଆର ସିଏମଡ଼ି ତଥା ବିଶିଷ୍ଟ ନିର୍ବାଚନୀ ବିଶେଷଜ୍ଞ ପ୍ରଦୀପ ଗୁପ୍ତା ଖୋଲିଛନ୍ତି ଏହାର ରହସ୍ୟ।
ୟୁପିରେ ବିଜେପି ୨୮୮ ରୁ ୩୨୬ ମଧ୍ୟରେ ଆସନ ପାଇବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରିଥିବା ଆକ୍ସସିସ୍ ମୁଖ୍ୟ ପ୍ରଦୀପ ଗୁପ୍ତାଙ୍କ ମତରେ, ମୋଦି ସରକାରଙ୍କ କଲ୍ୟାଣମୂଳକ ଯୋଜନା ପ୍ରଥମ ଏବଂ ସବୁଠୁ ବଡ଼ ଓ୍ବିନିଂ ଫ୍ୟାକ୍ଟର ପାଲଟିବ ଯୋଗୀଙ୍କ ପାଇଁ। ରାସନ କାର୍ଡ଼ଧାରୀଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ପରେ କାର୍ଯ୍ୟକାରୀ ହୋଇଥିବା ଗରିବ କଲ୍ୟାଣ ଯୋଜନା, ଜନଧନ ଯୋଜନାରେ ମହିଳାଙ୍କ ବ୍ୟାଙ୍କ୍ ଖାତାକୁ ସିଧା ଅର୍ଥ ଟ୍ରାନ୍ସଫର୍ ହେବା ଏବଂ ଉଜ୍ଜ୍ବଳା ଭଳି ଯୁଗାନ୍ତକାରୀ ଯୋଜନାରେ କରୋନା କାଳରେ ମହିଳାଙ୍କୁ ମାଗଣା ଗ୍ୟାସ୍ ସିଲିଣ୍ଡର ଯୋଗାଣ ମହାମାରୀ କାଳରେ ଆର୍ଥିକ ସୁରକ୍ଷା ପ୍ରଦାକ କରି ଦ୍ରାରିଦ୍ୟରୁ ମୁକ୍ତି ଦେଇଛି। ବିଶେଷ କରି ମହାମାରୀ ସମୟରେ ଡବଲ ଡୋଜ୍ କୋଭିଡ୍ ଟିକା ଡବଲ ଇଂଜିନ୍ ସରକାର ଯୋଗୁ ୟୁପି ଭଳି ବଡ଼ ରାଜ୍ୟରେ ଅଧିକ ଫଳପ୍ରଦ ହୋଇଛି।
ଏହାପରେ ରହିଛି ପୂର୍ବ ସରକାର ଅମଳରୁ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତିରେ ଯୋଗୀ ଆଣିଥିବା ସୁଧାର। ବିଗତ ୫ ବର୍ଷରେ ରାଜ୍ୟରେ ମାଫିଆରାଜ ଖତମ୍ ହୋଇଛି। ଗୋଟିଏ ବି ସାମ୍ପ୍ରଦାୟିକ ଦଙ୍ଗା ହୋଇନି। ଆଇନ ଭଙ୍ଗକାରୀଙ୍କ ଉପରେ କଡ଼ା ଆକ୍ସନ ନେଇଛି ପ୍ରଶାସନ ଯାହା ରାଜ୍ୟରେ ବିକାଶ ପ୍ରକ୍ରିୟାକୁ ଦୃତ କରିଛି।
କେନ୍ଦ୍ର ସରକାରଙ୍କ କଲ୍ୟାଣମୂଳକ ଯୋଜନା ଏବଂ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଯୋଗୁ ୟୁପିର ମହିଳା ଭୋଟରମାନେ ବେଶି ସଂଖ୍ୟାରେ ଉପକୃତ ହୋଇଛନ୍ତି। ଯେଉଁମାନଙ୍କ ଭୋଟ ପାଲିଟିଛି ନିର୍ଣ୍ଣାୟକ। ବିଜେପି ୪୪ ପ୍ରତିଶତ ପୁରୁଷ ଭୋଟରଙ୍କ ସମର୍ଥନ ପାଇଥିବା ବେଳେ ମୁଖ୍ୟ ବିରୋଧି ସମାଜବାଦୀ ପାର୍ଟି ୪୦ ପ୍ରତିଶତ ପୁରୁଷଙ୍କ ସମର୍ଥନ ପାଇଛି। ମାତ୍ର ମହିଳା ଭୋଟରଙ୍କ କ୍ଷେତ୍ରରେ ବିଜେପି ପ୍ରତି ଏହି ସମର୍ଥନ ୫୦ ପ୍ରତିଶତରୁ ଅଧିକ ବୋଲି ସର୍ଭେରୁ ଜଣାପଡ଼ିଛି।
ବିଜେପି ପାଇଁ ୟୁପିରେ ଦରଦାମ୍ ବୃଦ୍ଧି, ବେକାରୀ, କୃଷକ ଆନ୍ଦୋଳନ, ହାଥରସ୍ ଏବଂ ଲଖମିପୁର ଖେରି ଭଳି କେତେକ ପ୍ରସଙ୍ଗ ସମସ୍ୟା ସୃଷ୍ଟି କରିବ ବୋଲି ମନେ କରା ଯାଉଥିବା ବେଳେ ମୋଦିଙ୍କ ସବକା ସାଥ୍ ସବକା ବିକାଶ ଯୋଜନା ସବୁକୁ ଯୋଗୀ ୟୁପିରେ ଲାଗୁ କରିବା ସବୁ ସମସ୍ୟା ଉପରେ ଭାରି ପଡ଼ିଛି। ସର୍ଭେ ଅନୁସାରେ କୃଷକ ଆନ୍ଦୋଳନ ପ୍ରଭାବିତ ୟୁପିର ୭ଟି ଜିଲ୍ଲାରେ ବିଜେପି ୪୬ ପ୍ରତିଶତ ଭୋଟରଙ୍କ ସମର୍ଥନ ପାଇଥିବା ବେଳେ ସମାଜବାଦୀ ପାର୍ଟି ପାଇଛି ମାତ୍ର ୩୬ ପ୍ରତିଶତ ଭୋଟର ସମର୍ଥନ।
ଏହା ବ୍ୟତୀତ ଯାଦବ ଏବଂ ସଂଖ୍ୟାଲଘୁ ସମର୍ଥନ ପାଇଁ ସପା ମୁଖ୍ୟ ଅଖିଳେଶ ଯାଦବ କରିଥିବା ରଣନୀତି ସମ୍ପୂର୍ଣ୍ଣ ଫେଲ୍ ମାରିଛି। ବିଏସପି ଚଳିତ ନିର୍ବାଚନରେ ପୂର୍ବ ଅପେକ୍ଷା ଦୁର୍ବଳ ହୋଇ ପଡ଼ିଥିବା ବେଳେ ଦଳିତ ଭୋଟ୍ ହୋଇଛି ବିଜେପି ମୁହାଁ। ମାୟାବତୀ ଏବଂ କଂଗ୍ରେସର ରାହୁଲ-ପ୍ରିୟଙ୍କା ୟୁପିରେ ଏବେ ସତ୍ତା ହରେଇବା ସ୍ଥିତିରେ ରହିଛି।
ତେବେ ୨୦୨୨ରେ ୟୁପିର ମୋଦି ମ୍ୟାଜିକ୍ ୨୦୨୪ରେ ହେବକି ପ୍ରତିଫଳିତ ? ଏହା ବିରୋଧୀଙ୍କ ପାଇଁ ହେବ କି ବଡ଼ ଚ୍ୟାଲେଞ୍ଜ ?