ଭୁବନେଶ୍ୱର: କେନ୍ଦ୍ର ତୈଳ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଳ୍ନାଡୁର କୋଏମ୍ବାଟୁରର ଏକ ଗାଁରେ ଇଟିଲି ବିକ୍ରି କରୁଥିବା କମଳାଥାଲ ନାମ୍ନୀ ଜଣେ ବୃଦ୍ଦା ମହିଳା ଉଦ୍ୟେଗୀଙ୍କୁ ଏଲପିଜି ଗ୍ୟାସ ସଂଯୋଗ ଦେଇ ଟ୍ୱିଟରରେ କୋଟିକୋଟି ଭାରତର ଜନସାଧାରଣଙ୍କ ହୃଦୟ ଜିତିଛନ୍ତି ।
ସୂଚନାଯୋଗ୍ୟ, କମଳାଥାଲ କୋଏମ୍ବାଟୁରର ଏକ ଗାଁରେ ବାସ କରି ଇଟିଲି ବିକ୍ରି କରନ୍ତି । ଗାଁର ଗରିବ ଲୋକଙ୍କ ପାଇଁ ସେ ଶସ୍ତାରେ ବା 1 ଟଙ୍କାରେ ଇଟିଲି ବିକ୍ରି କରି ଖାଇବାକୁ ଦେଉଛନ୍ତି । ଏହା ଚାର୍ଚ୍ଚାର ପରିସରକୁ ଆସିବା ପରେ ଜଣେ ଟ୍ୱିଟର ବ୍ୟବହାରକାରୀ ତାଙ୍କ ଟ୍ୱିଟର ପୃଷ୍ଠାରେ ଏ ସମ୍ପର୍କରେ ଅବଗତ କରାଇଥିଲେ । ବୃଦ୍ଧାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଇଟିଲି ପ୍ରସ୍ତୁତି ପାଇଁ ବୃଦ୍ଧା ଜଣଙ୍କ ଆଜି ମଧ୍ୟ କାଠ ଚୂଲା ବ୍ୟବହାର କରୁଥିବା ସମସ୍ତଙ୍କ ଦୃଷ୍ଟିଗୋଚରକୁ ଆଣିଥିଲେ ।
ଅଷ୍ଟମ ଏସୀୟ ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନେଇ 5 ଦିନିଆ ତ୍ରିରାଷ୍ଟୀୟ ବିଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟରରେ ଏ ସମ୍ପର୍କରେ ଜାଣିବା ପରେ କାର୍ଯ୍ୟବ୍ୟସ୍ତ ସତ୍ତ୍ୱେ ସମୟ ବାହାର କରି ମନ୍ତ୍ରାଳୟର ଅଧିକାରୀମାନଙ୍କୁ କମଳାଥାଲଙ୍କୁ ଏଳପିଜି ଗ୍ୟାସ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀ ପ୍ରଧାନଙ୍କ ଏହି ନିର୍ଦ୍ଦେଶ ପରେ ତତକ୍ଷଣାତ୍ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା ।
ଟ୍ୱିଟରରେ କମଳାଥାଲ ଏଲପିଜି ଗ୍ୟାସ ଗ୍ରହଣ କରୁଥିବା ସମ୍ପର୍କିତ ଫଟୋକୁ ସେୟାର କରି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, କମଳାଥାଲଙ୍କ ଆତ୍ମବିଶ୍ୱାସ ଓ ପ୍ରତିଶୃତିକୁ ମୁଁ ସାଲ୍ୟୁଟ୍ କରୁଛି । ସ୍ଥାନୀୟ ଓଏମସି ଅଧିକାରୀଙ୍କ ସହଯୋଗରେ ସେ ଏଲପିଜି ସଂଯୋଗ ପାଇପାରିଛନ୍ତି । ସମାଜ ନିଶ୍ଚିତ ଭାବେ ଏପରି ପରିଶ୍ରମ କରୁଥିବା ଲୋକଙ୍କୁ ସଶକ୍ତ କରିବାର ଆବଶ୍ୟକତା ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
