
ଅର୍ଗସ ବ୍ୟୁରୋ : କେରଳର କୋଝିକୋଡ ବିମାନ ବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ 18 ଜଣଙ୍କର ମୃତ୍ୟୁ ଘଟିଛି। ବନ୍ଦେ ଭାରତ ମିଶନରେ ଦୁବାଇରୁ କୋଝିକୋଡ ଆସୁଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ରନୱେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ କରୋନା ପରୀକ୍ଷଣରେ ଜଣେ ଯାତ୍ରୀଙ୍କ ରିପୋର୍ଟ ପଜିଟିଭ୍ ଆସିଛି।
ସୂଚନାନୁଯାୟୀ, ବିମାନ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି। କେରଳର ମୁଖ୍ୟମନ୍ତ୍ରୀ ପି ବିଜୟନ ଏବଂ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ବ୍ୟତୀତ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ବି ମୁରଲୀଧରନ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତକାଲି ରାତ୍ରୀରେ ଏୟାର ଇଣ୍ଡିଆର ବିମାନ AXB1344, ବୋଇଙ୍ଗ 737 ଦୁବାଇରୁ କାଲିକଟ ଆସୁଥିଲା। ପ୍ରବଳ ବର୍ଷା ହେଉଥିବା ବେଳେ କୋଝିକୋଡ ବିମାନ ବନ୍ଦରରେ ଅବତରଣ କରିବାରୁ ବିମାନ ସ୍ଲିପ କରି ଏକ ଖାଲରେ ଫସିଗଲା। ଫଳରେ ରନୱେରେ ବିମାନଟି ଦୁଇ ଖଣ୍ଡ ହୋଇଯାଇଥିଲା। ବନ୍ଦେ ଭାରତ ମିଶନରେ ଏହି ବିମାନରେ 190 ଜଣ ଯାତ୍ରୀ ଦୁବାଇରୁ ଫେରୁଥିଲେ। ସେମାନଙ୍କ ମଧ୍ୟରୁ 184 ଜଣ ଯାତ୍ରୀ ଥିବା ବେଳେ 6 ଜଣ କ୍ରୁ ମେମ୍ଵର ଥିଲେ। ଏହା ସହ ଯାତ୍ରୀମାନଙ୍କ ମଧ୍ୟରେ 10 ଜଣ ଶିଶୁ ମଧ୍ୟ ଥିଲେ। ତେବେ ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ 18ଜଣଙ୍କ ମୃତ୍ୟୁ ହୋଇଛି।

