ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ସେଣ୍ଟ୍ରାଲ ଏୟାର କମାଣ୍ଡ(ସିଏସି)ର ସିନିୟର ଏୟାର ଷ୍ଟାଫ ଅଫିସର ଭାବେ ନିଯୁକ୍ତ ହେଲେ ଏୟାର ମାର୍ସଲ ଦିଲ୍ଲୀପ କୁମାର ପଟ୍ଟନାୟକ । ଭାରତୀୟ ବାୟୁସେନାରେ ଫାଇଟର ପାଇଲଟ ଭାବେ ଦିଲ୍ଲୀପ କୁମାର 8 ଜୁନ 1984ରେ ନିଯୁକ୍ତି ପାଇଥିଲେ ।
ଫାଇଟର ଜେଟ ଉଡ଼ାଣ କ୍ଷେତ୍ରରେ ବେଶ ପାରଦର୍ଶିତା ଲାଭ କରିଥିବା ଏୟାର ମାର୍ସଲ ଦିଲ୍ଲୀପ କୁମାର ବହୁ ସୁନାମ ଅର୍ଜନ କରିଛନ୍ତି । ମିଗ-21 ଓ ମିରେଜ-2000 ଭଳି ଫାଇଟର ଜେଟ ଉଡ଼ାଣ କରିବା ସହ ମୋଟ ତାଙ୍କ ପାଖରେ ରହିଛି 2500 ଘଣ୍ଟାର ଉଡ଼ାଣ ଅଭିଜ୍ଞତା । ଏହାସହ ଏମକେ-2 ଓ ହିରନ୍ ଏୟାରକ୍ରାଫ୍ଟରେ ମିଶନ କମାଣ୍ଡର ଭାବେ ତାଙ୍କ ପାଖରେ ରହିଛି 800 ଘଣ୍ଟାର ଅଭିଜ୍ଞତା ।
ଭାରତୀୟ ବାୟୁସେନାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏୟାର ମାର୍ସଲ ଦିଲ୍ଲୀପ କୁମାର ପଟ୍ଟନାୟକ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ତୁଲାଇଛନ୍ତି । ଫ୍ରଣ୍ଟଲାଇନ୍ ଫାଇଟର ସ୍କାର୍ଡନର କମାଣ୍ଡିଙ୍ଗ ଅଫିସର, ଏୟାର ମାର୍ସଲ, ଚିଫ୍ ଷ୍ଟାଫ୍ ଅଫିସର ଓ ଏୟାର ଷ୍ଟାଫ ଅପରେସନରେ ଆସିଷ୍ଟାଣ୍ଟ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ଏୟାର ମାର୍ସଲ ଦିଲ୍ଲୀପ ପଟ୍ଟନାୟକ ।
ଏଭଳି ଏକ ନିଯୁକ୍ତି ପୂର୍ବରୁ ଏୟାର ୱାରଫେୟର୍ କଲେଜ୍ରେ କମାଣ୍ଡାଣ୍ଟ ଥିଲେ ଦିଲ୍ଲୀପ ପଟ୍ଟନାୟକ । ଡିଫେନ୍ସ ସର୍ବିସେସ୍ ଷ୍ଟାଫ୍ କଲେଜର ପୂର୍ବତନ ଛାତ୍ର ଥିବା ଦିଲ୍ଲୀପ କୁମାର ଏୟାର କମାଣ୍ଡରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି ।
ନିଜର ପାରଦର୍ଶିତା ପାଇଁ ଏୟାର ମାର୍ସଲ ଦିଲ୍ଲୀପ ପଟ୍ଟନାୟକଙ୍କୁ ଅଗଷ୍ଟ 1999ରେ ବାୟୁ ସେନା ମେଡାଲ ମିଳିଥିଲା । ରାଷ୍ଟ୍ରପତିଙ୍କ ଦ୍ୱାରା ଅତି ବିଶିଷ୍ଟ ସେବା ମେଡାଲ ମଧ୍ୟ ପ୍ରାପ୍ତ କରିଥିଲେ ଏୟାର ମାର୍ସଲ ଦିଲ୍ଲୀପ କୁମାର ପଟ୍ଟନାୟକ ।
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନର୍ଥ କ୍ୟାମ୍ପସର ଡକ୍ଟର ଜିସି ନାରଙ୍ଗ ମାର୍ଗ ଓ ଶ୍ରେୟା ମିଶ୍ର ମାର୍ଗରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀ, ସଫେଇ କର୍ମଚାରୀ ଓ ସାଧାରଣ ନାଗରିକଙ୍କ ସହ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସାମିଲ ହୋଇ ସ୍ୱଚ୍ଛତା ପାଇଁ ୧ ଘଣ୍ଟାର ସାମୂହିକ ଶ୍ରମଦାନ କରିଛନ୍ତି ।
ଏହି ଅଭିଯାନରେ ସାମିଲ ହୋଇଥିବା ନାଗରିକଙ୍କୁ ଧନ୍ୟବାଦ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶ ସ୍ୱଚ୍ଛତା ପାଇଁ ନିଜର ଶ୍ରମଦାନ ରଖୁଛି । ଆସନ୍ତାକାଲି ଦେଶକୁ ସ୍ୱାଧୀନତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପୂଜ୍ୟ ବାପୁଜୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହେବ । ଏହି ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ଦେଶର ନାଗରିକଙ୍କୁ ନିଜ ନିଜ ଅଞ୍ଚଳରେ ସ୍ୱଚ୍ଛତା ରକ୍ଷା ପାଇଁ ଘଣ୍ଟାଏ ଶ୍ରମଦାନ କରିବା ପାଇଁ ଆହ୍ୱାନ କରିଥିଲେ। ଏହି କ୍ରମରେ ନାଗରିକମାନେ ନିଜର ଶ୍ରମଦାନ ରଖି ପୂଜ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସ୍ୱଚ୍ଛ ଭାରତକୁ ଜନଆନ୍ଦୋଳନ ରୂପ ଦେବାର ଅନନ୍ୟ ପ୍ରୟାସ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦିଜୀ କେବଳ ରାଜନୈତିକ ବ୍ୟକ୍ତି ନୁହଁନ୍ତି । ଜଣେ ସମାଜ ପ୍ରେରକ, ସମାଜ ସୁଧାରକ, ଚିନ୍ତାନାୟକ ମଧ୍ୟ । ଯେତେବେଳେ ସାମାଜିକ ଶକ୍ତି ଏକାଠି ହୋଇ ସମାଜ ପାଇଁ ନିଜର ସାମୂହିକ ଶକ୍ତି ଦେଖାଇବ ନାହିଁ ତେବେ ସମାଜର ବିକାଶ ହୋଇପାରିବ ନାହିଁ । ଆଗାମୀ ଦିନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସମେତ ସମସ୍ତ ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଭାଗିଦାରୀରେ ସ୍ୱଚ୍ଛ ରଖିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଡ଼ଘାଟି ନିକଟସ୍ଥ ହରିଡାମୂଳ ଛକରେ ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ, ୭ ଛାତ୍ରଛାତ୍ରୀ ସମେତ ଅଟୋ ଡ୍ରାଇଭର ଆହତ ।
ଟ୍ରକଟି ଅଟୋକୁ ଧକ୍କା ଦେବା ପରେ ରାସ୍ତାରେ ହିଁ ଅଟୋଟି ଓଲଟି ପଡିଥିଲା। କେଶପୁରରୁ ଖଲ୍ଲିକୋଟର ଏକ କୋଚିଂ ସେଣ୍ଟରକୁ ଅଟୋରେ ୬ଜଣ ଛାତ୍ରୀ ଓ ଜଣେ ଛାତ୍ର ଯାଉଥିଲେ। ଆହତ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି। ଅଟୋ ଡ୍ରାଇଭର ଓ ଟ୍ରକ ଡ୍ରାଇଭରଙ୍କୁ ଅଟକ ରଖି ଖଲ୍ଲିକୋଟ ଥାନା ପୋଲିସର ପଚରାଉଚରା ଜାରି ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ରେଳବାଇ ସୁରକ୍ଷା ବଳ ଆନୁକୂଲ୍ୟରେ 27 ରୁ 30 ସେପ୍ଟେମ୍ବର 2023 ମଧ୍ୟରେ ଆୟୋଜିତ ଚାରି ଦିନିଆ 29 ତମ ଆନ୍ତଃ ରେଳବାଇ ସୁରକ୍ଷାବଳ ହକି ଟୁର୍ଣ୍ଣାମେଣ୍ଟ କିଟ ଷ୍ଟାଡିୟମ ଠାରେ ଉଦଯାପିତ ହୋଇଯାଇଅଛି।
ଉତ୍ତର ରେଳପଥ ଆରପିଏଫ୍ ହକି ଟିମ୍ ଦକ୍ଷିଣ ପୂର୍ବ ରେଳପଥ ଆରପିଏଫ୍ ହକି ଦଳକୁ 2-0 ଗୋଲରେ ପରାସ୍ତ କରି ଚାମ୍ପିଅନସିପ୍ ଟ୍ରଫି ହାସଲ କରିଛି। ଦକ୍ଷିଣ ରେଳପଥର ଶ୍ରୀ ବିନୋଦ କୁମାର ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଏବଂ ଉତ୍ତର ରେଳପଥର ଶ୍ରୀ ସୁଖବିନ୍ଦର ସିଂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବରେ ବିବେଚିତ ହୋଇଛନ୍ତି।
ଉଦଯାପନ ଦିବସରେ ଆୟୋଜିତ ଫାଇନାଲ ମ୍ୟାଚରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ରେଳପଥର ପ୍ରମୁଖ ସୁରକ୍ଷା ଆୟୁକ୍ତ ଏବଂ ଆଇଜି / ଆରପିଏଫ୍ ଆଲୋକ ବୋହରାଙ୍କ ଉପସ୍ଥିତିରେ ସମ୍ପୃକ୍ତ ଆରପିଏଫ୍ ହକି ଦଳକୁ ଚାମ୍ପିୟନ ଟ୍ରଫି ଏବଂ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଛନ୍ତି।
ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଦୀର୍ଘ ଚାରିଦିନ ବ୍ୟାପି ଆୟୋଜିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ରେଳବାଇର ଆଠ ଗୋଟିଏ ରେଳବାଇ ସୁରକ୍ଷାବଳ ହକି ଟିମ ଯଥା ଉତ୍ତର ରେଳପଥ (ନୂଆ ଦିଲ୍ଲୀ), ଦକ୍ଷିଣ ପୂର୍ବ ରେଳପଥ (କୋଲକାତା), ପଶ୍ଚିମ ରେଳପଥ (ମୁମ୍ବାଇ), ଉତ୍ତର ପୂର୍ବ ରେଳପଥ (ଗୋରଖପୁର), ଦକ୍ଷିଣ ରେଳପଥ (ଚେନ୍ନାଇ), ପଶ୍ଚିମ କେନ୍ଦ୍ରୀୟ ରେଳପଥ (ଜବଲପୁର), କେନ୍ଦ୍ରୀୟ ରେଳପଥ (ମୁମ୍ବାଇ) ଓ ରେଳବାଇ ସୁରକ୍ଷା ବଳ ସ୍ୱତନ୍ତ୍ର ବାହିନୀ (ନୂଆ ଦିଲ୍ଲୀ) ପ୍ରମୁଖ ଭାଗ ନେଇଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର