ସିମଲା: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ପୁଣିଥରେ ରାହୁଲ ଗାନ୍ଧିଙ୍କୁ ଘେରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଂଗ୍ରେସ ଆଣ୍ଡ କମ୍ପାନୀ ସିଏଏକୁ ନେଇ ଦେଶରେ ମିଥ୍ୟା ପ୍ରଚାର କରୁଛନ୍ତି । ସିଏଏ ନାଗରିକତା ଛଡ଼ାଇ ନେବ ବୋଲି ପ୍ରଚାର କରୁଛି କଂଗ୍ରେସ । ହିମାଚଳପ୍ରଦେଶର ରାଜଧାନୀ ସିମଲାରୁ କଂଗ୍ରେସକୁ ଟାର୍ଗେଟ କରି ଏଭଳି କହିଛନ୍ତି ଶାହ ।
ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ରାହୁଲ ବାବା ମୁଁ ତୁମକୁ ଚ୍ୟାଲେଞ୍ଜ କରୁଛି ଏହି ଆଇନ ଦ୍ୱାରା ଦେଶର କୌଣସି ନାଗରିକର ଯଦି ନାଗରିକତା ଯିବାର ପ୍ରାବଧାନ ରହିଛି ତେବେ ପ୍ରମାଣ ଦିଅ ।
Home Minister Amit Shah in Shimla: Congress and company are spreading rumours that this act will take away citizenship of minorities, Muslims.I challenge Rahul baba to show even one clause in the act that has provision to take away citizenship of anyone. #CitizenshipAmendmentAct pic.twitter.com/WaCStNuvQR
— ANI (@ANI) December 27, 2019
ଏହାସହ ଦେଶର ସମସ୍ତ ମୁସଲମାନମାନଙ୍କୁ ଅନୁରୋଧ କରି ଶାହ କହିଛନ୍ତି, ସମସ୍ତେ ଏହି ସିଏଏକୁ ଭଲ ଭାବେ ଜାଣନ୍ତୁ । ନଚେତ ଭୋଟ ବ୍ୟାଙ୍କ ଲୋଭରେ କିଛି ରାଜନୈତିକ ଦଳ ଆମ ନିଜ ନିଜ ଭିତରେ ଲଢ଼େଇ କରିବାକୁ ଉସୁକାଇବେ । ସିମଲାରେ ହିମାଚଳପ୍ରଦେଶ ସରକାରକୁ 2 ବର୍ଷ ପୂର୍ତ୍ତି ଅବସରରେ ଶାହ କହିଛନ୍ତି, 1950ରେ ନେହେରୁ-ଲିୟାକତ ବୁଝାମଣା ଅନୁସାରେ ଦୁଇ ଦେଶର ସଂଖ୍ୟାଲଘୁମାନଙ୍କୁ ଦୁଇ ଦେଶରେ ସୁରକ୍ଷା ଦେବାର ନିୟମ ଥିଲା । କିନ୍ତୁ ଏହି ଚୁକ୍ତି ଫେଲ୍ ମାରିବା ଯୋଗୁଁ ଏଭଳି ଆକ୍ଟ ଆସିଛି ବୋଲି କହିଛନ୍ତି ଶାହ ।
ତେବେ ପୂର୍ବରୁ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧି ସିଏଏକୁ ବିରୋଧ କରି କହିଥିଲେ ଏହା ଅସମ୍ବିଧାନିକ । ଏହାସହ ଏନଆରସି ହେଉ ଅବା ଏନପିଆର ଏସବୁ ଗରିବମାନଙ୍କ ଉପରେ ଟ୍ୟାକ୍ସ ସଦୃଶ ବୋଲି ରାୟପୁରର ଏକ ସଭାରେ କହିଥିଲେ ରାହୁଲ ।
