ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ପରେ ଏବେ କେଜରିୱାଲଙ୍କୁ ପଚରା ଉଚୁରା ପାଇଁ ସମନ କରାଯାଇଛି । ସିବିଆଇ ସମନ କରିବା ପର ଠାରୁ କେଜରିୱାଲଙ୍କୁ ସମର୍ଥନ କରି ଆମ ଆଦମୀ ପାର୍ଟିର ଛୋଟ ବଡ ନେତା ମାନେ ବକ୍ତବ୍ୟ ଦେବାରେ ଲାଗିଛନ୍ତି ତଥା ସିବିଆଇ ବିରୁଦ୍ଧରେ ଲଗାତାର କହୁଥିବା ଦେଖିବାକୁ ମିଳୁଛି । ଏବେ ଅନ୍ନା ହଜାରେ ଏହି ପ୍ରସଙ୍ଗରେ ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ଦେଇ କହିଛନ୍ତି ଯେ ସେ ପୂର୍ବରୁ କେଜରିୱାଲଙ୍କୁ ଏକ ପତ୍ର ଲେଖିଥିଲେ । ଏହି ପତ୍ରରେ ସେ କେଜରିୱାଲ ମଦ ସମ୍ପର୍କରେ କଣ ଭାବୁଛନ୍ତି ସେ ବିଷୟରେ ଲେଖିଥିଲେ । ତାଙ୍କୁ ଭଲ କଥା ଚିନ୍ତା କରିବା ଉଚିତ ବୋଲି ସେ ଏଥିରେ ଲେଖିଥିଲେ।
ଅନ୍ନା ହଜାରେ କହିଛନ୍ତି ଯେ ଅର୍ଥ ହାସଲ କରିବାକୁ ଆମେ କିଛି ବି କରିବା ଉଚିତ, ଏହା ଠିକ ନୁହେଁ । ମଦରୁ କେବେ କାହାର ଭଲ ହୁଏ ନାହିଁ। ସିବିଆଇ ଏହାର ଜାଂଚ କରୁଛି । ଜାଂଚ ଏଜେନ୍ସି ଯାହା ଦେଖିଥିବ ସେହି ଅନୁସାରେ ଜାଂଚ କରୁଥିବ । ଯଦି ଜାଂଚ ଏଜେନ୍ସୀ ତାଙ୍କୁ ଜାଂଚ ପରେ ଦୋଷୀ ବୋଲି ଭାବିବ ତେବେ ନିଶ୍ଚିତ ଭାବେ କେଜରିୱାଲଙ୍କୁ ଦଣ୍ଡ ମିଳିବା ଦରକାର ବୋଲି ସେ କହିଛନ୍ତି । ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନରୁ ଆରମ୍ଭ ହୋଇଥିବା ପାର୍ଟି ଆମ ଆଦମୀ ପାର୍ଟି ଏବେ ଦୁର୍ନୀତି ସହିତ ଯୋଡି ହୋଇଯାଇଛି ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ ଶ୍ରୀ ହଜାରେ କହିଛନ୍ତି ଯେ ଆଜାଦ ମୈଦାନ ଓ ରାମଲୀଳା ମୈଦାନର ଆନ୍ଦୋଳନରୁ ଏହା ଆରମ୍ଭ ହୋଇଥିଲା ।
ସେତେବେଳେ ମଁ ସମସ୍ତଙ୍କୁ କହିଥିଲି ଯେ ସମସ୍ତେ ନିଜର ଆଚାର ଓ ବିଚାର ଶୁଦ୍ଧ ରଖନ୍ତୁ । ଜୀବନକୁ ନିଷ୍କଳଙ୍କ ରଖନ୍ତୁ । ଜୀବନରେ କୌଣସି ଖରାପ ଗୁଣର ଦାଗ ରହିବା ଉଚିତ ନୁହେଁ। ଆଜି ଯେତେବେଳେ ମୁଁ ଦେଖୁଛି ମନୀଷ ସିସୋଦିଆ ଜେଲରେ ଅଛନ୍ତି ସେତେବେଳେ ମୁଁ ଦୁଃଖୀ ଅଛି । ମୁଁ ସେତେବେଳେ କହିଥିଲି ଯେ ଜେଲ ଯାଅ ହେଲେ ଦେଶ ଓ ସମାଜର ଭଲ କରିବାକୁ, ନିଜର ଭଲ କରିବାକୁ ନୁହେଁ । ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ଦିଲ୍ଲୀର ତତ୍କାଳୀନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗତ ଫେବୃଆରୀ ମାସ 26 ତାରିଖ ଦିନ ଗିରଫ କରାଯାଇଥିଲା । ମଦ ଦୁର୍ନୀତି ମାମଲାରେ ତାଙ୍କର ସଂପୃକ୍ତି ନେଇ ଗିରଫ କରାଯିବା ପରେ ତାଙ୍କୁ ବର୍ତମାନ ସୁଦ୍ଧା ଜାମିମ ମିଳି ପାରୁ ନାହିଁ ।
ଅଧିକ ପଢନ୍ତୁ ଭାରତ ଖବର