ପ୍ୟାରିସ ଅଲମ୍ପିକ୍ସରେ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ପାକିସ୍ତାନର ଆଥଲେଟ ଅର୍ଶଦ ନଦୀମ । ଯାହାଙ୍କୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ହେଲେ ଏହା ପଛରେ ଥିବା ରହସ୍ୟ ଉପରୁ ପରଦା ଉଠିଛି । କାରଣ ଅର୍ଶଦଙ୍କ ପାଖରେ ଅଭ୍ୟାସ ପାଇଁ ଜାଭେଲିନ ନଥିବା ବେଳେ ତାଙ୍କୁ ସାହାଯ୍ୟ କରିଥିଲେ ଭାରତର ସୁନା ପୁଅ ନୀରଜ ଚୋପ୍ରା । ଯେତେବେଳେ ପାକିସ୍ତାନ ସରକାର ଓ ତାଙ୍କ କୋଚ୍ କେହି ତାଙ୍କୁ ସାହାଯ୍ୟ କରୁନଥିଲେ ସେତେବେଳେ ଏ ଖବର ପହଞ୍ଚିଥିଲା ନୀରଜଙ୍କ ପାଖରେ । କାଳବିଳମ୍ବ ନକରି ସଙ୍ଗେ ସଙ୍ଗେ ବଢାଇଥିଲେ ସାହାଯ୍ୟର ହାତ । ଯାହା ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ନୀରଜଙ୍କ ମଣିଷ ପଣିଆ କୋଟି କୋଟି ଭାରତୀୟଙ୍କ ମନଜିଣିଛି ।
ତେବେ ଲଗାତାର ଦ୍ୱିତୀୟ ଥର ପାଇଁ ଅଲମ୍ପିକ୍ସରେ ପଦକ ଆଣିଛନ୍ତି ଭାରତ-ପାକିସ୍ତାନର ଏହି ଦୁଇ ଖେଳାଳି । ପୂର୍ବଥର ନୀରଜ ସ୍ୱର୍ଣ୍ଣ ଜିତିଥିବା ବେଳେ ଏଥର ନଦୀମ ଜିତିଛନ୍ତି ସ୍ୱର୍ଣ୍ଣ । ନଦୀମଙ୍କ ସଂଘର୍ଷ ଆଜି ତାଙ୍କୁ ବିଶ୍ୱ ବିଜେତା ବନାଇଛି । ୨୦୧୫ରୁ ନଦୀମ ଆନ୍ତର୍ଜାତୀୟ ଷ୍ଟେଜରେ ଭଲ ପ୍ରଦର୍ଶନ କରିଆସୁଛନ୍ତି । ସ୍ୱର୍ଣ୍ଣ ଜିତିବାର ୫ ମାସ ପୂର୍ବରୁ ତାଙ୍କ ପାଖରେ ଅଭ୍ୟାସ କରିବା ପାଇଁ ଜାଭେଲିନ ନଥିଲା । ସେଥିପାଇଁ ସେ ପାକିସ୍ତାନ ସ୍ପୋର୍ଟ୍ସ ଫେଡେରସନ୍ ଓ କୋଚଙ୍କୁ ଭଲ ଜାଭେଲିନ ଓ ଉଚ୍ଚମାନର ଟ୍ରେନିଂ ଦାବା ପାଇଁ ଅନୁରୋଧ କରିଥିବା ସୁଦ୍ଧା ତାଙ୍କୁ କୌଣସି ସୁଫଳ ମିଳିନଥିଲା । ନୀରଜ କିନ୍ତୁ ବନ୍ଧୁ ନଦୀମଙ୍କ ଦୁଃଖ ବୁଝିପାରି ତାଙ୍କୁ ଏକ ଜାଭେଲିନ ଗିଫ୍ଟ କରିଥିଲେ । କେବଳ ସେଇଥି ଲାଗି ସେ ସୁନା ଜିତିଛନ୍ତି ବୋଲି କୁହାଯାଉଛି ।
ନଦୀମ, ପ୍ରଥମ ରାଉଣ୍ଡର ଦ୍ୱିତୀୟ ପ୍ରୟାସରେ ୯୨.୯୭ର ଥ୍ରୋ ମାରି ଅଲିମ୍ପିକ୍ସରେ ରେକର୍ଡ ଭାଙ୍ଗି ଦେଇଛନ୍ତି । ଏହା ପୂର୍ବରୁ ଅଲିମ୍ପିକ୍ସରେ ଏହି ରେକର୍ଡ ଥୋରକିଲ୍ଡସେନ୍ ଏଣ୍ଡ୍ରିୟାସଙ୍କ ନାଁରେ ଥିଲା, ଯିଏ ୨୦୦୮ ବେଜିଂ ଅଲିମ୍ପିକ୍ସରେ ୯୦.୫୭ ମିଟରର ଥ୍ରୋ ମାରିଥିଲେ । ସେହିପରି ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ପାକିସ୍ତାନର ଅର୍ଶଦ ନଦୀମ ୯୨.୯୭ ମିଟରର ଥ୍ରୋ ମାରି ଇତିହାସ ରଚିଛନ୍ତି । ଗତ କାଲି ଫାଇନାଲରେ ଅର୍ଶଦ ନିଜର ଶେଷ ଥ୍ରୋ ୯୧.୭୯ ମିଟର ମାରିଥିଲେ । ନିଜର ୬ ଥ୍ରୋରୁ ସେ ଦୁଇଟି ଥ୍ରୋ ୯୦ ମିଟରରୁ ଅଧିକ ମାରିଥିଲେ ।
ତେବେ ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ପ୍ୟାରିସ ଅଲମ୍ପିକ୍ସରେ ଏଥର ଦେଶବାସୀଙ୍କୁ ରୌପ୍ୟ ପଦକ ଭେଟିଦେଇଛନ୍ତି କିନ୍ତୁ ଓଡ଼ିଆ ପୁଅ କିଶୋର ଜେନା ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ ଏରୁ ନିରାଶ ହୋଇଥିଲେ, ଫଳରେ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ଯୋଗ୍ୟତା ପର୍ଯ୍ୟାୟର ଗ୍ରୁ ଏରେ ଥିବା କିଶୋରଙ୍କ ଶ୍ରେଷ୍ଠ ପ୍ରଦର୍ଶନ କେବଳ ୮୦.୭୩ ମିଟର ରହିଥିଲା। ଏହା ଯୋଗ୍ୟତା ହାସଲ କରିବା ପାଇଁ ଧାର୍ଯ୍ୟ ୮୪ ମିଟରରୁ ଯଥେଷ୍ଟ କମ ରହିଥିଲା। କିଶୋର ସବୁବେଳେ । ହେଲେ ନୀରଜଙ୍କୁ ନିଜର ଆଦର୍ଶଭାବେ ମାନିଆସିଛନ୍ତି,ଯେତେବେଳେ କିଶୋର କୌଣସି ଟେକନିକକୁ ନେଇ ଅସୁବିଧାର ସାମ୍ନା କରନ୍ତି,ନୀରଜ ଦୋଷ ତ୍ରୁଟି ସୁଧାରି ତାଙ୍କୁ ଆଗକୁ ଯିବାକୁ ବାଟ କଢାନ୍ତି । ତାଙ୍କ ପାଇଁ ମୁଁ ଆଜି ଏହି ସ୍ଥାନରେ ପହଞ୍ଚିଛି ବୋଲି ଅନେକ ସମୟରେ କହିଛନ୍ତି କିଶୋର ।