ସୂଚନାନୁଯାୟୀ, ତାମିଲନାଡ଼ୁର କୋଝିକୋଡ ଜିଲ୍ଲାର କୁନାମଙ୍ଗଲମର ଜଣେ କଣ୍ଟ୍ରାକ୍ଟର ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ଶୁଣି ଘରକୁ ଯିବାକୁ ବାହାରିଥିଲେ। ତେବେ ଉକ୍ତ ବ୍ୟକ୍ତି ଜଣଙ୍କ ତିନି ଦିନ ପୂର୍ବରୁ କୋଭିଡ ଟେଷ୍ଟ କରିଥିଲେ, କିନ୍ତୁ ରିପୋର୍ଟ ଆସିବା ପୂର୍ବରୁ ସେ ତାଙ୍କ ପତ୍ନୀଙ୍କ ମେଡିକାଲରେ ଭର୍ତ୍ତି ହେବା ଖବର ଶୁଣି ଟ୍ରେନରେ ଚଢି ସାରିଥିଲେ। ଏହି ସମୟରେ ଟ୍ରେନରେ ଥିବା ବେଳେ ସ୍ଵାସ୍ଥ୍ୟ ଅଧିକାରୀଙ୍କ ଠାରୁ ତାଙ୍କୁ ଏକ ଖବର ଆସିଥିଲା ଏବଂ ଏର୍ଣ୍ଣକୁଲମ ଟାଉନ ରେଳ ଷ୍ଟେସନରେ ଓହ୍ଲାଇବାକୁ କୁହାଯାଇଥିଲା।
କୋଝିକୋଡରେ ଥିବା ସ୍ଵାସ୍ଥ୍ୟ ଅଧିକାରୀମାନେ ଉକ୍ତ ବ୍ୟକ୍ତି ଜଣଙ୍କ ସହ ଯୋଗାଯୋଗ କରିବା ବେଳକୁ ଟ୍ରେନ ଷ୍ଟେସନ ଛାଡ଼ି ସାରିଥିଲା। ଏହାପରେ ସେମାନେ ଥ୍ରୀସୁର ଜିଲ୍ଲାର ସ୍ଵାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଥିଲେ, କିନ୍ତୁ ଟ୍ରେନ୍ ସେତେବେଳକୁ ଥ୍ରୀସୁର ଷ୍ଟେସନ ଛାଡ଼ି ସାରିଥିଲା। ଏହାପରେ ଏର୍ଣ୍ଣାକୁଲମର ସ୍ଵାସ୍ଥ୍ୟ ଅଧିକାରୀ ଇକେଏମ୍ ଟାଉନ୍ ଷ୍ଟେସନରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଏବେ ତାଙ୍କୁ କାଲାମାସେରୀର ସରକାରୀ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି। କରୋନା ପଜିଟିଭ୍ ବ୍ୟକ୍ତି ଜଣଙ୍କ ଓହ୍ଲାଇଥିବା କମ୍ପାର୍ଟମେଣ୍ଟକୁ ସିଲ୍ କରାଯାଇଛି। ତାଙ୍କ ସହିତ ଥିବା କମ୍ପାର୍ଟମେଣ୍ଟରେ ଅନ୍ୟ ତିନିଜଣଙ୍କୁ ଟ୍ରେନର ଅନ୍ୟ ଏକ ଆସନକୁ ସ୍ଥାନାନ୍ତର କରାଯାଇଥିଲା।
ରେଳବାଇର ଜଣେ ଅଧିକାରୀ କହିଛନ୍ତି ଯେ, କମ୍ପାର୍ଟମେଣ୍ଟରେ ଥିବା ସମସ୍ତ ଯାତ୍ରୀଙ୍କ ବିବରଣୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦିଆଯାଇଛି। ତିରୁବନନ୍ତପୁରମରେ ଟ୍ରେନକୁ ସଂପୂର୍ଣ୍ଣ ସାନିଟାଇଜ୍ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।