ଅନଲାଇନ୍ କ୍ଲାସ୍ କରିବା ପାଇଁ ରାଜସ୍ଥାନର ବାଡମେର ଜିଲ୍ଲାରେ ରହୁଥିବା ହରିଶ ନାମକ ଜଣେ ଛାତ୍ର ୨ କିଲୋମିଟର ଦୂର ପାହାଡ ଉପରେ ଚଢୁଥିଲେ । ସକାଳ ୮ଟାରୁ ସେ ପାହାଡ ଚଢି ଯାଉଥିଲେ । ସେଠାରେ ସେ ଟେବୁଲ ଓ ଚେୟାର ପକାଇ ଦିନ ୨ଟା ଯାଏଁ ପାଠ ପଢୁଥିଲେ । କାରଣ ତାଙ୍କ ଘରେ ନେଟଓ୍ୱର୍କ ଆସୁନଥିଲା । ତେବେ ଛାତ୍ରଙ୍କର ପାଠ ପଢିବାର ଏହି ଇଚ୍ଛାକୁ ଦେଖି ବିରେନ୍ଦ୍ର ସେହ୍ୱାଗ ସାହାଯ୍ୟର ହାତ ବଢାଇଛନ୍ତି ।
ହରିଶ ହେଉଛନ୍ତି ଦରୁଡା ପଚପଦରା ସ୍ଥିତ ନବୋଦୟ ସ୍କୁଲର ଛାତ୍ର । କରୋନା-୧୯ ପାଇଁ ସ୍କୁଲ ବନ୍ଦ ରହିଛି । ଏକ ମାସରୁ ଅଧିକ ଦିନ ଧରି ଅନଲାଇନ୍ କ୍ଲାସ୍ ଜାରି ରହିଛି । ହରିଶ ଯେତେବେଳେ ନେଟ୍ ଅନ୍ କରିଥିଲେ ତାଙ୍କର ନେଟଓ୍ୱର୍କ ଆସିନଥିଲା । ତେବେ ତାଙ୍କର ପାଠପଢିବାକୁ ବହୁତ ଇଚ୍ଛା ଥିଲା । ତେଣୁ ସେ କଷ୍ଟ ହେଲେ ମଧ୍ୟ ନେଟଓ୍ୱର୍କ ପାଇଁ ପାହାଡ ଚଢୁଥିଲେ । ତେବେ ହରିଶଙ୍କ ଦୃଢ଼ ଇଚ୍ଛାଶକ୍ତି ଦେଖି ସହାୟତାର ହାତ ବଢ଼ାଇଛନ୍ତି ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ୱାଗ ।