ସୂଚନାନୁଯାୟୀ, ଗତକାଲି ରାତ୍ରୀରେ ଏୟାର ଇଣ୍ଡିଆର ବିମାନ AXB1344, ବୋଇଙ୍ଗ 737 ଦୁବାଇରୁ କାଲିକଟ ଆସୁଥିଲା। ପ୍ରବଳ ବର୍ଷା ହେଉଥିବା ବେଳେ ବିମାନ ଅବତରଣ କରିବାରୁ ବିମାନ ସ୍ଲିପ କରି ଏକ ଖାଲରେ ଫସିଗଲା। ଫଳରେ ରନୱେରେ ବିମାନଟି ଦୁଇ ଖଣ୍ଡ ହୋଇଯାଇଥିଲା। ବନ୍ଦେ ଭାରତ ମିଶନରେ ଏହି ବିମାନରେ 190 ଜଣ ଯାତ୍ରୀ ଦୁବାଇରୁ ଫେରୁଥିଲେ। ସେମାନଙ୍କ ମଧ୍ୟରୁ 184 ଜଣ ଯାତ୍ରୀ ଥିବା ବେଳେ 6 ଜଣ କ୍ରୁ ମେମ୍ଵର ଥିଲେ। ଏହା ସହ ଯାତ୍ରୀମାନଙ୍କ ମଧ୍ୟରେ 10 ଜଣ ଶିଶୁ ମଧ୍ୟ ଥିଲେ।
ଡିଜିସିଏଙ୍କ ମୁତାବକ, ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ପାଇଲଟଙ୍କ ସମେତ 17 ଜଣଙ୍କର ମୃତ୍ୟୁ ହୋଇଛି। ବିମାନ ଅବଶେଷ ଭିତରୁ ବହୁ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। କେବିନ କ୍ରୁମାନେ ସୁରକ୍ଷିତ ଅଛନ୍ତି। ଏନେଇ ଏୟାର ଇଣ୍ଡିଆ ପ୍ରେସ ବିଜ୍ଞପ୍ତି ଜାରି କରି କହିଛି ଯେ, ଏମରଜେନ୍ସି ରେସପନ୍ସ ଟିମଙ୍କୁ ପଠାଯାଇଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିଜନଙ୍କ ସମ୍ପର୍କରେ ଅଛୁ। ଯାତ୍ରୀଙ୍କ ସମ୍ବନ୍ଧରେ ସୂଚନା ପାଇଁ କମ୍ପାନୀ ପାସେଞ୍ଜର ଇନଫରମେଶନ ସେଣ୍ଟର ଖୋଲିଛି। ଏହି ସେଣ୍ଟରରୁ ବିମାନରେ ସବାର ଥିବା ଯାତ୍ରୀଙ୍କ ସମ୍ପର୍କରେ ସେମାନଙ୍କ ପରିଜନ ସମ୍ପର୍କ କରିପାରିବେ।
ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି ମୋଦି
କେରଳର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ଫୋନ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଘଟଣା ସମ୍ପର୍କରେ ସୂଚନା ଦେବା ସହ କୋଝିକୋଡ ଓ ମଲ୍ଲପୁରାମ ଜିଲ୍ଲାର କଲେକ୍ଟର ଓ ଆଇଜି ଅଶୋକ ଯାଦବ ଅନ୍ୟ ଅଧିକାରୀଙ୍କ ସମେତ ଉଦ୍ଧାର କାର୍ଯ୍ୟ କରୁଥିବା ସୂଚନା ଦେଇଥିଲେ।
ହେଲ୍ପଲାଇନ ନମ୍ବର ଜାରି
ସିଆଇଏସଏଫର ମହାନିର୍ଦ୍ଦେଶକ ରାଜେଶ ରଞ୍ଜନ କହିଛନ୍ତି ଯେ, ଆମ କର୍ମୀମାନେ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛନ୍ତି। ବିମାନରେ ସବାର ଥିବା ଯାତ୍ରୀଙ୍କୁ ବାହାର କରିବାରେ ସହାୟତା କରୁଥିଲେ। ଏହି ଦୁର୍ଘଟଣା ପରେ (0565463903, 0543090572, 0543090572, 0543090575) ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।