ଉତ୍ତରପ୍ରଦେଶ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମାଫିଆ ଅତିକ ଓ ତାର ଭାଇ ଅଶରଫକୁ ହତ୍ୟା କରାଯିବା ପରେ ଘଟଣାସ୍ଥଳରେ ଯେଉଁ ପିସ୍ତଲ ମିଳିଛି ତାହା ଉପରେ ଭାରତରେ କଟକଣା ରହିଛି । ଏହାର ମୂଲ୍ୟ 4 ରୁ 5 ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଏଭଳି ପ୍ରତିବନ୍ଧିତ ଅତ୍ୟାଧୁନିକ ହତିଆର ଅଭିଯୁକ୍ତମାନଙ୍କ ନିକଟକୁ କିପରି ଆସିଲା ସେ ନେଇ ପ୍ରଶ୍ନ ଉଠିଛି । ଅଭିଯୁକ୍ତମାନଙ୍କୁ କିଏ ସାହାଯ୍ୟ କରୁଛି ଏହା ଜାଣିବା ପାଇଁ ମଧ୍ୟ ଉତ୍ତରପ୍ରଦେଶ ପୋଲିସ କାମ କରୁଛି ।
ଉତ୍ତରପ୍ରଦେଶ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ହତ୍ୟା ପରେ ପ୍ରମାଣ ଭାବେ ପୋଲିସ ଓ ଫରେନସିକ ଟିମକୁ ଏକ ପିସ୍ତଲ ମିଳିଛି । ପ୍ରାରମ୍ଭିକ ଯାଞ୍ଚରୁ ଏହି ପିସ୍ତଲ ତୁର୍କିରେ ନିର୍ମିତ ହୋଇଥିବା ଭଳି ଲାଗୁଛି । ଏହା ଜିଗାନା ମେଡ ନାମରେ ପରିଚିତ । ଜିଗାନା ମେଡ ଭାରତରେ ପ୍ରତିବନ୍ଧିତ ଓ ଏହାକୁ ପାକିସ୍ତାନ ଜରିଆରେ ଭାରତକୁ ତସ୍କରୀ କରାଯାଇଥାଏ । ଏହି ପିସ୍ତଲ ସମ୍ପୂର୍ଣ୍ଣ ଅଟୋମେଟିକ ଓ ଏଥିରେ ଗୋଟିଏ ଥରରେ 17ଟି ଗୁଳି ଲୋଡ ହୋଇଥାଏ । ଟ୍ରିଗର ଚିପିଲା ମାତ୍ରେ ପୂରା ମାଗାଜିନ ଖାଲି ହୋଇଯାଇଥାଏ ।
ଅତିକ ଓ ଅଶରଫର ହତ୍ୟା ମାମଲାର ଅଭିଯୁକ୍ତ ଶନି, ଅରୁଣ ଓ ଲବକେଶର ଆପରାଧିକ ରେକର୍ଡ ତ ରହିଛି ହେଲେ ସେମାନଙ୍କର ପାରିବାରିକ ପୃଷ୍ଠଭୂମିକୁ ଦେଖିଲେ ସେମାନେ ଏତେ ଦାମିକିଆ ପ୍ରତିବନ୍ଧିତ ପିସ୍ତଲ କିଣି ପାରିବେ, ଏହାକୁ ନେଇ ସନ୍ଦେହ ରହିଛି । ତେଣୁ ସେମାନଙ୍କୁ କିଏ ଏହି ପିସ୍ତଲ ଦେଇଛି ଓ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କିଏ ସେ ବିଷୟରେ ଯାଞ୍ଚ କରାଯାଉଛି ।
ମାଫିଆ ଅତିକ ପୂର୍ବରୁ ସ୍ୱୀକାର କରି ସାରିଥିଲା ଯେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଓ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବା ସହ ତାର ସିଧା ସମ୍ପର୍କ ରହିଛି । ପାକିସ୍ତାନରୁ ତାକୁ ଅସ୍ତ୍ର ଶସ୍ତ୍ର ଡ୍ରୋନ ଜରିଆରେ ପହଂଚା ଯାଇଥାଏ ବୋଲି ମଧ୍ୟ ସେ ସ୍ୱୀକାର କରିଥିଲା । ଏହା ବାଦ ତାର ବିଶାଳ ବେଆଇନ ସାମ୍ରାଜ୍ୟରେ ଅଂଶୀଦାରର ନାମ କାଳେ ଆସିଯିବ, ତେଣୁ ତାର କେହି ଘନିଷ୍ଠ ମଧ୍ୟ ତାକୁ ଟାର୍ଗେଟ କରିଥାଇ ପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।
ଅନ୍ୟପକ୍ଷରେ ଅତିକ ଅହମ୍ମଦ ବିରୋଧୀ (ସମାଜବାଦୀ ପାର୍ଟି)ର କୌଣସି ରହସ୍ୟୋଦଘାଟନ କରିବାକୁ ଯାଉଥିଲା ଓ ସେହି କାରଣରୁ ତାର ହତ୍ୟା କରାଯାଇଛି କି ବୋଲି କେନ୍ଦ୍ରୀୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ ରବିବାର ଦିନ ଭୁବନେଶ୍ୱରରେ ପ୍ରଶ୍ନ ଉଠାଇଛନ୍ତି ।
ସାମ୍ବାଦିକ ମାନଙ୍କର ଅତିକ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ କଣ ଅତିକ ବିରୋଧୀ ଅର୍ଥାତ ସମାଜବାଦୀ ପାର୍ଟିର କୌଣସି ରହସ୍ୟ ସମ୍ପର୍କରେ ଉଦଘାଟନ କରିବାକୁ ଯାଉଥିଲା । ତାର ମୃତ୍ୟୁ କାହିଁକି ଓ କିପରି ହେଲା ତାହା ଯାଂଚର ପରିସର ମଧ୍ୟରେ ଅଛି । ସେ କହିଛନ୍ତି ଯେ ଏହାର ଦୁଇଟି ପକ୍ଷ ରହିଛି । ଗୋଟିଏ ପକ୍ଷ ଆପଣମାନେ ଉଠାଉଛନ୍ତି ଓ ଅନ୍ୟ ପକ୍ଷ ଟି ଯାଂଚ ପରେ ଜଣାପଡିବ ବୋଲି ସେ କହିଛନ୍ତି ।
ଗ୍ୟାଙ୍ଗଷ୍ଟର ଅତିକ ଓ ଭାଇ ଅସ୍ରଫକୁ ହତ୍ୟା, ଉତ୍ତରପ୍ରଦେଶରେ ୧୪୪ ଧାରା ଜାରି