ମାର୍ଚ୍ଚ ୨୬, ସାବରମତି ଜେଲ
ଗଣମାଧ୍ୟମ ଆଗରେ ପ୍ରତିକ୍ରିୟାରେ ଅତିକ କହିଥିଲା, ମୋର ହତ୍ୟା ପାଇଁ ପ୍ରୟାସ କରିବେ। ମତେ ମାରିଦେବେ।
ମାର୍ଚ୍ଚ 28, ଶିବପୁରୀ
ମିଡିଆକର୍ମୀଙ୍କୁ ଧନ୍ୟବାଦ ଦେଇ କହିଥିଲା ଆପଣମାନଙ୍କ ପାଇଁ ମୁଁ ସୁରକ୍ଷିତ
ଏପ୍ରିଲ 15, ପ୍ରୟାଗରାଜ
ଯେଉଁ ଗଣମାଧ୍ୟମକୁ ସୁରକ୍ଷା କବଚ ଭାବୁଥିଲା ଅତିକ, ସେହି ଗଣମାଧ୍ୟମ ପ୍ରତିନିଧି ବେଶରେ ଅତିକର ମୃତ୍ୟୁ ଛକି ବସିଥିଲା ପ୍ରୟାଗରାଜରେ। ଆଉ ସୁଯୋଗର ସନ୍ଧାନରେ ଥିଲେ ୩ ସାର୍ପ ସୁଟର। ଶନିବାର ରାତିରେ ପ୍ରୟାଗରାଜ ମେଡିକାଲକୁ ଚେକଅପ ପାଇଁ ନେଲା ବେଳେ ସୁଯୋଗ ପାଇ ଅତିକ ଆଉ ଭାଇ ଅଶ୍ରଫ ଦେହରେ ତୁହାକୁ ତୁହା ଗୁଳି ଉତାରି ଥିଲେ ୩ ଯୁବକ ଆଉ ପରେ ପୋଲିସ ପାଖରେ କରିଥିଲେ ସରେଣ୍ଡର।
ପ୍ରୟାଗରାଜରେ ଉମେଶ ପାଲ ହତ୍ୟାକୁ ନେଇ ପୁଣି ଚର୍ଚ୍ଚାକୁ ଆସିଥିଲା ଅତିକ। ହେଲେ ଏହାପୂର୍ବରୁ ଅତିକର ଅପରାଧ ହିଷ୍ଟ୍ରି ଶୁଣିଲେ ଉଡିଯିବ ହୋସ। ୧୭ ବର୍ଷ ବୟସରୁ ବଟି ଆଦାୟ ଏବଂ ହତ୍ୟା ଭଳି ସଂଗୀନ ଅଭିଯୋଗ ସହ ଅତିକ ଭିତରେ ଜନ୍ମ ନେଇଥିଲେ ଜଣେ କ୍ରିମିନାଲ୍। ପରେ 27 ବର୍ଷରେ ଅପରାଧକୁ ବଳ ଦେବାପାଇଁ ରାଜନୀତିରେ ପାଦ ଥାପିଥିଲା ଅତିକ । 1989ରେ ଆହ୍ଲାବାଦ ୱେଷ୍ଟ ଆସନରୁରୁ ପ୍ରଥମ ଥର ପାଇଁ ବିଧାୟକ, 1996ରେ ସମାଜବାଦୀ ପାର୍ଟି ଟିକେଟରୁ ବିଧାୟକ, ପୁଣି ୨୦୦୨ରେ ଆପନା ଦଳ ଟିକେଟରୁ ବିଧାନସଭାକୁ କ୍ରମାଗତ ପଞ୍ଚମ ଥରପାଇଁ ନିର୍ବାଚିତ ହୋଇଥିଲା ଅତିକ ଅହମ୍ମଦ।
ରାଜନୀତିରେ ପାଦ ଜମିସାରିଥିଲେ ଏପଟେ ପ୍ରୟାଗରାଜରେ ଅତିକର ଅପରାଧ ସାମ୍ରାଜ୍ୟ ମଧ୍ୟ ବଢ଼ି ଚାଲିଥିଲା । ୨୦୦୪ରେ ସପା ଟିକେଟରେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହେଲା ଅତିକ । ଯାହାଫଳରେ ଖାଲି ପଡ଼ିଲା ଆହ୍ଲାବାଦ ୱେଷ୍ଟ ଆସନ। ଉପନିର୍ବାଚନରେ ଅତିକର ଭାଇ ଅଶ୍ରଫ ବିଏସପିର ରାଜୁ ପାଲଠାରୁ ପରାସ୍ତ ହେଲା । ସହିପାରିଲେନି ଅହମ୍ମଦ ବ୍ରଦର୍ସ, ଦୁଇ ଭାଇ ମିଶି ସବୁଦିନ ପାଇଁ ରାଜୁ ପାଲକୁ ରାସ୍ତାରୁ ହଟାଇଦେଲେ । ପରେ ଧରାଛୁଆଁ ଦେଲାନି ଅତିକ।
ଗ୍ୟାଙ୍ଗଷ୍ଟର ଅତିକ ଓ ଭାଇ ଅସ୍ରଫକୁ ହତ୍ୟା, ଉତ୍ତରପ୍ରଦେଶରେ ୧୪୪ ଧାରା ଜାରି
ରାଜନୈତିକ ଚାପ ଫଳରେ ୨୦୦୮ରେ ସରଣ୍ଡର କଲା, ପରେ ୨୦୧୧ରେ ଜେଲରୁ ମୁକୁଳିଲା। 2019ରେ ଶେଷଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ବାରାଣସୀରେ ନିର୍ବାଚନ ଲଢ଼ି ହାରିଥିଲା ଅତିକ। ଏତିକିରେ ସରିନି ଅତିକର ଅପରାଧ ତାଲିକା, ୨୦୧୬ରେ ପ୍ରୟାଗରାଜର ଏକ କଲେଜରେ ମାରପିଟ ଏବଂ କିଛି ଦିନ ପରେ ୩୨୦ ଗାଡ଼ିର କନଭଏରେ ପ୍ରୟାଗରାଜରୁ କାନପୁର ଯାତ୍ରା।
୨୦୧୮ରେ ବ୍ୟବସାୟୀ ମୋହିତ ଜୟସୱାଲଙ୍କୁ କିଡନାପ କରି, ସାଧା କାଗଜରେ ଦସ୍ତଖତ କରାଇ 45 କୋଟିର ସମ୍ପତ୍ତି ନିଜ ନାଁରେ କରାଇନେଇଥିଲା ଅତିକ। ୧୦୦ରୁ ଅଧିକ ସଂଗୀନ ଅପରାଧୀକ ମାମଲା ଥିଲା ଅତିକ ନାଁରେ ।