ରାମ ଲାଲାଙ୍କ ବାଳୁତ ମୂର୍ତ୍ତି ଶୋଭା ପାଇବେ ଅଯୋଧ୍ୟାର ଭବ୍ୟ ମନ୍ଦିରରେ । ତେବେ ପ୍ରତିମାର ରୂପ କିପରି ହେବ ତାର ନମୂନା ପ୍ରସ୍ତୁତ କରିଛନ୍ତି ଦେଶର ବଛା ବଛା 4 ଜଣ ମୂର୍ତ୍ତୀକଳା ବିଶେଷଜ୍ଞ । ସେମାନଙ୍କ ମଧ୍ୟରେ ଅଛନ୍ତି ପଦ୍ମ ବିଭୂଷଣ ସୁଦର୍ଶନ ସାହୁ । ଯଦି ପଦ୍ମ ବିଭୂଷଣ ସୁଦର୍ଶନ ସାହୁଙ୍କୁ ଏହା ଦାୟିତ୍ବ ମିଳେ ଓଡ଼ଶା ପାଇଁ ଏହା ହେବ ବଡ଼ ଗୌରବର ବିଷୟ । ଖାଲି ସେତିକି ନୁହେଁ ଯେଉଁ ପଥରରେ ରାମ ଲାଲାଙ୍କ ପ୍ରତିମା ବନିବା ତାହା ବି ଓଡ଼ିଶାରୁ ଯିବାର ରହିଛି ଯଥେଷ୍ଟ ସମ୍ଭାବନା । ବାଲେଶ୍ବର ସୋର ମହୁମୁହାଣରେ ମିଳୁଥିବା ଆକାଶିଆ ରଙ୍ଗର ପଥରରୁ ନିର୍ମିତ ହୋଇପାରେ ରାମ ଲାଲାଙ୍କ ପ୍ରତିମା । ଏ ଖବର ଜଣାପଡ଼ିବା ପରେ ମହୁମୁହାଣର ଶିଳ୍ପୀଜଗତ ବି କୃତ୍ୟକୃତ୍ୟ ।
ସେପଟେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଯୋରସୋରରେ ଆଗେଇ ଚାଲିଛି । ସାରା ଦେଶରୁ ଶହ ଶହ ଶିଳ୍ପୀ ଜିଜାନ ଲଗାଇ ଦେଇଛନ୍ତି ମନ୍ଦିର ନିର୍ମାଣରେ । କେନ୍ଦ୍ର ସରକାର ବି ଲଗାଇଛନ୍ତି ପୁରା ଜୋର । 2024 ଜାନୁଆରୀ ସୁଦ୍ଧା ମନ୍ଦିର ପ୍ରତିଷ୍ଠା ଶେଷ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଘୋଷଣା ପରେ କୋଟି କୋଟି ସନାତନ ଧର୍ମୀଙ୍କ ମଧ୍ୟରେ ବଢିଯାଇଛି ଆହୁରି ଉତକଣ୍ଠା ।
ଅଯୋଧ୍ୟାରେ ଆଜି ଯେଉଁ ରାମ ଲାଲାଙ୍କ ମନ୍ଦିର ବାସ୍ତବ ରୂପ ନେବାକୁ ଯାଉଛି ଏହା ପଛରେ ରହିଛି ଲମ୍ବା ସଂଘର୍ଷ ଓ ବଳିଦାନର ଇତିହାସ । 1528 ଶାଲରେ ମୋଗଲ ଆକ୍ରମଣକାରୀ ବାବର କୋଟି କୋଟି ଭାରତୀୟଙ୍କ ଅସ୍ଥାର କେନ୍ଦ୍ର ଅଯୋଧ୍ୟାର ରାମ ମନ୍ଦିରକୁ ଭାଙ୍ଗି ନିର୍ମାଣ କରିଥିଲା ବିବାଦୀୟ ଢାଞ୍ଚା । ଏହି ଅପମାନ ପ୍ରତୀକକୁ ହଟାଇବା ପାଇଁ ହିନ୍ଦୁ ସମାଜକୁ ବହୁ ସଂଘର୍ଷ କରିବାକୁ ପଡ଼ିଛି । ରାମ ଭକ୍ତଙ୍କ ରକ୍ତରେ ବହୁବାର ଲାଲ ହୋଇଛି ସରଜୂ ନଦୀ । ଅଦାଲତରେ ଦଶନ୍ଧି ଦଶନ୍ଧି ଧରି ଚାଲିଛି ମାମଲା । ଏଥିମଧ୍ୟରେ ଉଲ୍ଲେଖନୀୟ ଥିଲା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲାକୃଷ୍ଣ ଆଡଭାନୀଙ୍କ ଦ୍ବାରା ସୋମନାଥରୁ ଅଯୋଧ୍ୟା ଯାଏ ରଥଯାତ୍ରା । ଏହାର ପ୍ରଭାବ ଦେଶବ୍ୟାପୀ ପଡ଼ିଥାଲା । ଜାଗି ଉଠିଲା କୋଟି କୋଟି ହିନ୍ଦୁଙ୍କ ଭାବାବେଗ । ଏଥିସହ ଛଦ୍ମ ସେକ୍ୟୁଲାର ବାଦର ହୋଇଥିଲା ପର୍ଦ୍ଦାଫାଶ । ବିଶ୍ବହିନ୍ଦୁ ପରିଷଦର ଆହ୍ବାନରେ 6 ଡିସେମ୍ବର 1992ରେ ଲକ୍ଷ ଲକ୍ଷ କରସେବକ ଭାରତ ପ୍ରତି ଅପମାନର ପ୍ରତୀକ ବାବରୀ ଢାଞ୍ଚାକୁ ମାଟିରେ ମିଶାଇଦେଲେ । ତେବେ ସଂଘର୍ଷ ଏଇଠି ସରିଲାନି। ଏହାପରେ ଚାଲିଥିଲା ଲମ୍ବା ଅଦାଲତୀ ଲଢେଇ । ଆଉ ଶେଷରେ 9 ନଭେମ୍ବର 1919ରେ ସୁପ୍ରିମକୋର୍ଟର 5 ଜଣିଆ ଖଣ୍ଡପୀଠ ଅଯୋଧ୍ୟା ଜନ୍ମଭୂମିରେ ରାମ ଲାଲଙ୍କ ମନ୍ଦିର ନିର୍ମାଣ ନେଇ ଶୁଣାଇଥିଲେ ଐତିହାସିକ ରାୟ ।