ଅର୍ଗସ ବ୍ୟୁରୋ : ରାମନବମୀରେ ଝଲସୁଛି ମର୍ଯ୍ୟାଦା ପୁରୁଷୋତ୍ତ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଧାମ । ଲକ୍ଷଲକ୍ଷ କଣ୍ଠରେ ଉଚ୍ଚାରିତ ରାମନାମ । ବାଦ୍ୟ, ଶଙ୍ଖ ଓ ଭଜନର ଅପୂର୍ବ ସଂଗମରେ, ଭକ୍ତିଭାବରେ ହଜି ଯାଇଛନ୍ତି ଭକ୍ତ । ରାମ ଜନ୍ମୋତ୍ସବରେ ଭକ୍ତିର ଭବ୍ୟ ରୂପରେ ସଜେଇ ହୋଇଛି ଅଯୋଧ୍ୟା ନଗରୀ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମୁହଁରେ ଜୟ ଶ୍ରୀରାମ, ଜୟ ସୀୟାରାମ ଶବ୍ଦରେ ପ୍ରକମ୍ପିତ ଅଯୋଧ୍ୟାର ଗଗନ ପବନ । କିଏ ଆଖିରେ ଆଖିରେ ଭକ୍ତିର ଲୁହ ଚଢ଼େଇ ଭଗବାନଙ୍କୁ ଜଣାଉଛି ପ୍ରଣାମ । ପୁଣି କିଏ ଲୋକ ମଙ୍ଗଳର ନାୟକଙ୍କ ଆଗରେ ଅସ୍ଥାୟୀ ମନ୍ଦିରକୁ ନେଇ କରିଛି ଅଭିମାନ । ପ୍ରଭୁଙ୍କ ଜନ୍ମୋତ୍ସବରେ ଭକ୍ତିମୟ ପରିବେଶ...ରାମ ନାମ ଜପରେ ପରିବର୍ତ୍ତିତ ଅଯୋଧ୍ୟାର ବେଶ । ମଧ୍ୟାହ୍ନ 12 ଟାରେ ଜନ୍ମ ନେଲେ ପ୍ରଭୁ ଶ୍ରୀ ରାମ । ମୁଖ୍ୟ ମନ୍ଦିର ଅନୁଯାୟୀ ଅନ୍ୟ ସମସ୍ତ ମନ୍ଦିରରେ ସମାନ ନୀତିରେ ହୋଇଥିଲା ଜନ୍ମ ଉତ୍ସବ । ସେପଟେ ପାପକ୍ଷୟ ପାଇଁ ସକାଳୁ ଲାଗିଥିଲା ସରଜୁ ନଦୀରେ ଭକ୍ତଙ୍କ ଭିଡ଼ । ଯେତେବେଳେ ଶ୍ରୀରାମଚନ୍ଦ୍ର ରାବଣକୁ ବଦ୍ଧ କରି ଅଯୋଧ୍ୟା ଫେରିଥିଲେ, ସେତେବେଳେ ସେ ଏହିଠାରେ ସର୍ବ ପ୍ରଥମେ ସ୍ନାନ କରି ଗୋପୂଜନ କରିଥିଲେ ବୋଲି ବିଶ୍ବସ ରହିଛି ।
ଅଧିକ ପଢନ୍ତୁ : ଖାଲି ରାମ ରାମ କହିଦେଲେ ହେବନି, ରାମଙ୍କ ଭଳି ହେବାକୁ ଚେଷ୍ଟା କରନ୍ତୁ
ସମାପ୍ତ ହେବ ଶତାବ୍ଦୀର ଅପେକ୍ଷା, କେଇ ପୀଢ଼ିର ସ୍ବପ୍ନ ହେବ ସାକାର । ନୂଆ ଇତିହାସର ପ୍ରଥମ ଅଧ୍ୟାୟ ସାଜିବ ଅଯୋଧ୍ୟା । ଛଳଛଳ ଆଖିରେ ଭକ୍ତର ଅଭିମାନ ହେବ ପୂରା । କିମ୍ବଦନ୍ତୀ ଅନୁଯାୟୀ ଚଳିତ ବର୍ଷ ପ୍ରଭୁ ଶ୍ରୀରାମଙ୍କର 8,82,125 ତମ ଜିନ୍ମତ୍ସୋବ ପାଳନ କରାଯାଉଛି । ଅଯୋଧ୍ୟାର ଚଳିତ ରାମନବମୀ ସ୍ବତନ୍ତ୍ର ମାନ୍ୟତା ପାଇଛି। କାରଣ ଅସ୍ଥାୟୀ ବାସରେ ଶେଷ ଥର ପାଇଁ ଜନ୍ମୋତ୍ସବ ପାଳିତ ହେଉଛି ।
ଆସନ୍ତା ବର୍ଷ ଭବ୍ୟ ମନ୍ଦିରରେ ପ୍ରଭୁଙ୍କ ଭବ୍ୟ ଦର୍ଶନ ଲାଭ କରିବେ ଶ୍ରଦ୍ଧାଳୁ । ଦିନରାତି ପରିଶ୍ରମ କରି ଐତିହାସିକ ରାମମନ୍ଦିର ନିର୍ମାଣରେ ଲାଗି ପଡ଼ିଛନ୍ତି କାରିଗର । ଆସନ୍ତା ଜାନୁଆରୀ ସୁଦ୍ଧା ରାମ ମନ୍ଦିର ତାର ପ୍ରକୃତ ସ୍ବରୂପ ପାଇ ସାରିଥିବ । ଯାହାକୁ ନେଇ ଭକ୍ତଙ୍କ ମନରେ ଯେତିକି ଉତ୍କଣ୍ଠା ସେତିକି ଉତ୍ସାହ ମଧ୍ୟ । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି କଡ଼ାକଡ଼ି ହୋଇଛି ସୁରକ୍ଷା ବ୍ୟବସ୍ଥା । ଅଯୋଧ୍ୟାରେ ପ୍ରାୟ ୩୦ ଲକ୍ଷ ଲୋକଙ୍କ ସମାଗମ ଭଗବାନଙ୍କ ପ୍ରତି ଭକ୍ତଙ୍କ ଭକ୍ତିର ପ୍ରମାଣ ।