ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି କେନ୍ଦ୍ର ସରକାର ଏକ ଟ୍ରଷ୍ଟ ଗଠନ କରିଛନ୍ତି । ଟ୍ରଷ୍ଟର ନାମ ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ । ଦିଲ୍ଲୀ ଗ୍ରେଟର କୈଳାସ ଅଞ୍ଚଳରେ ଟ୍ରଷ୍ଟର କାର୍ଯ୍ୟାଳୟ ସ୍ଥାପନ ହେବ । ବୁଧବାର ଦିନ ସଂସଦରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଏହି ଟ୍ରଷ୍ଟ ରାମ ମନ୍ଦିର ନିର୍ମାଣ କରିବାଠାରୁ ଆରମ୍ଭ କରି ଆର୍ଥିକ କାରବାର ମଧ୍ୟ ଦେଖିବ । ରାମ ମନ୍ଦିର ଟ୍ରଷ୍ଟ ସ୍ୱତନ୍ତ୍ର ରହିବ, ଏଥିରେ ସରକାରଙ୍କର କୌଣସି ଅଧିକାର ରହିବ ନାହିଁ । ଏଥିସହିତ ଟ୍ରଷ୍ଟ ସ୍ୱାଧୀନ ଭାବେ ପ୍ରତ୍ୟେକ ନିଷ୍ପତ୍ତି ନେଇପାରିବ । ଏହି ଟ୍ରଷ୍ଟରେ ପାଖାପାଖି 15 ଜଣ ସଦସ୍ୟ ରହିବେ । ଯେଉଁଥିରେ 9 ସ୍ଥାୟୀ ଓ 6 ନାମକୁ ମାତ୍ର ସଦସ୍ୟ ରହିବେ । ଟ୍ରଷ୍ଟ ପାଇଁ ମୋଦି ସରକାର 9ଟି ନିୟମ ପ୍ରସ୍ତୁତ କରିଛନ୍ତି । ଏହି ନିୟମ ଆଧାରରେ ଟ୍ରଷ୍ଟ କାର୍ଯ୍ୟ କରିବ ।
ପ୍ରଥମ ନିୟମ- ଶ୍ରୀ ରାମ ଜନ୍ମଭମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକରେ ସ୍ଥାୟୀ କାର୍ଯ୍ୟାଳୟ ଉପରେ ଆଲୋଚନା କରାଯିବ । ତେବେ ପ୍ରଥମ ନିୟମରେ ରାମମନ୍ଦିର ନିର୍ମାଣର ରୁପରେଖ କିପରି ରହିବ ଓ ଆଗକୁ କିପରି ଭାବରେ ଏହା କାର୍ଯ୍ୟ କରାଯିବ, ଏହାର ରୋଡ ମ୍ୟାପ୍ ପ୍ରସ୍ତୁତ ପ୍ରଭୃତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପରେ ମଧ୍ୟ ଆଲୋଚନା କରାଯିବ । ଏଥିସହିତ ମନ୍ଦିର ନିର୍ମାଣରେ ଆସିବାକୁଥିବା ସମସ୍ତ ସମସ୍ୟାର ସମାଧାନ ଟ୍ରଷ୍ଟ ହିଁ କରିବ ।
ଦ୍ୱିତୀୟ ନିୟମ- କେନ୍ଦ୍ର ସରକାରଙ୍କ ଟ୍ରଷ୍ଟର କାର୍ଯ୍ୟରେ କୌଣସି ଦଖଲ ରହିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ କହିଥିଲେ, ଟ୍ରଷ୍ଟ ରାମ ମନ୍ଦିର ନିର୍ମାଣ ସହ ଜଡିତ ପ୍ରତ୍ୟେକ ନିଷ୍ପତ୍ତି ନେବା ପାଇଁ ସମ୍ପୂର୍ଣ୍ଣ ରୂପେ ସ୍ୱତନ୍ତ୍ର ରହିବ । ଏହି ଟ୍ରଷ୍ଟ ଶ୍ରଦ୍ଧାଳୁମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯେପରି ଅନ୍ନକ୍ଷେତ୍ର, ରୋଷେଇ ଘର, ଗୋଶାଳା, ପ୍ରଦର୍ଶନୀ, ମ୍ୟୁଜିୟମ ଓ ଧର୍ମଶାଳାର ବନ୍ଦୋବସ୍ତ କରିବ ।
ତୃତୀୟ ନିୟମ- ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟି ଆଇନ୍ଗତ ଭାବେ ଟ୍ରଷ୍ଟ ଶ୍ରଦ୍ଧାଳୁଙ୍କ ସୁବିଧା, ମନ୍ଦିର ନିର୍ମାଣ ପାଇଁ କୌଣସି ବ୍ୟକ୍ତି ବା ସଂସ୍ଥାଠାରୁ ଦାନ ଗ୍ରହଣ, ଅନୁଦାନ, ସ୍ଥାବର ସମ୍ପତ୍ତି ଓ ସହାୟତା ଗ୍ରହଣ କରିପାରିବେ । ଏହାବ୍ୟତିତ ଟ୍ରଷ୍ଟ ଲୋନ୍ ମଧ୍ୟ ନେଇପାରିବ ।
ଚତୁର୍ଥ ନିୟମ- ରାମ ମନ୍ଦିର ଟ୍ରଷ୍ଟର ସମସ୍ତ ଟ୍ରଷ୍ଟି ବୋର୍ଡ କୌଣସି ଜଣେ ଟ୍ରଷ୍ଟିଙ୍କୁ ସଭାପତି ମ୍ୟାନେଜିଙ୍ଗ ଟ୍ରଷ୍ଟି ନିଯୁକ୍ତି କରିବେ । ଯିଏ ସମସ୍ତ ବୈଠକର ଅଧ୍ୟକ୍ଷତା କରିବେ । ସେହିପରି ଜେନେରାଲ ସେକ୍ରେଟାରୀ ଓ କୋଷାଧ୍ୟକ୍ଷଙ୍କୁ ମଧ୍ୟ ସେହି ସଦସ୍ୟମାନଙ୍କ ମଧ୍ୟରୁ ମନୋନୀତ କରାଯିବ ।
ପଞ୍ଚମ ନିୟମ- ରାମମନ୍ଦିର ନିର୍ମାଣ ପାଇଁ ଥିବା ସଞ୍ଚିତ ଅର୍ଥ ବା ଇନିଭେଷ୍ଟମେଣ୍ଟ ଉପରେ ଟ୍ରଷ୍ଟ ନିଷ୍ପତ୍ତି ନେବ । ମନ୍ଦିର ପାଇଁ ଇଭେଷ୍ଟମେଣ୍ଟ ଟ୍ରଷ୍ଟ ନାମରେ ହେବେ ।
ଷଷ୍ଠ ନିୟମ- ରାମ ମନ୍ଦିର ପାଇଁ ପ୍ରାପ୍ତ ଦାନର ବ୍ୟବହାର କେବଳ ଟ୍ରଷ୍ଟ କାର୍ଯ୍ୟରେ ଲାଗିବ । ଏହା ବ୍ୟତିତ ଅନ୍ୟ କୌଣସି କାମରେ ଏହି ଅର୍ଥ ବ୍ୟବହାର ହୋଇପାରିବ ନାହିଁ ।
ସପ୍ତମ ନିୟମ- ରାମ ମନ୍ଦିର ଟ୍ରଷ୍ଟ ସହ ଜଡ଼ିତ ଥିବା ସ୍ଥାବର ବା ଅଚଳ ସମ୍ପତ୍ତିକୁ ବିକ୍ରି କରିବାର ଅଧିକାର ଟ୍ରଷ୍ଟ ନିକଟରେ ରହିବ ନାହିଁ ।
ଅଷ୍ଟମ ନିୟମ- ରାମ ମନ୍ଦିର ପାଇଁ ମିଳୁଥିବା ଦାନ ଓ ଖର୍ଚ୍ଚର ହିସାବ ଟ୍ରଷ୍ଟକୁ ରଖିବାକୁ ହେବ । ଏହାର ପ୍ରତିବର୍ଷ ଏକ ବାଲାନ୍ସସିଟ୍ ତିଆରି କରାଯିବ ଓ ଚାର୍ଟାର୍ଡ ଏକାଉଟାଣ୍ଟ ଟ୍ରଷ୍ଟର ସମସ୍ତ ଅଡିଟ୍ କରିବ ।
ନବମ ନିୟମ- ରାମମନ୍ଦିର ଟ୍ରଷ୍ଟର ସଦସ୍ୟଙ୍କୁ ପାରିଶ୍ରମିକର ବ୍ୟବସ୍ଥା ରହିବ ନାହିଁ । କିନ୍ତୁ ଯାତ୍ରା ସମୟରେ ହେବାକୁଥିବା ଖର୍ଚ୍ଚର ସମସ୍ତ ମୂଲ୍ୟ ଟ୍ରଷ୍ଟ ଦ୍ୱାରା ଭରଣା କରାଯିବ ।
