ବସୁଧୈବ କୁଟୁମ୍ବକମ୍ ମନ୍ତ୍ର ନେଇ ଦେଶର ସ୍ବାସ୍ଥ୍ୟ ବ୍ୟବସ୍ଥା ଆଗକୁ ବଢ଼ୁଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗୋଟିଏ ପରିବାର, ଗୋଟିଏ ପୃଥିବୀ, ଗୋଟିଏ ଭବିଷ୍ୟତ ଲକ୍ଷ୍ୟରେ ବିକାଶର କାର୍ଯ୍ୟଧାରା ଜାରି ରହିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି କୋଭିଡ୍ ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତ ଯେଉଁଭଳି ମହାମାରୀର ମୁକାବିଲା କଲା ତାହା ନିଶ୍ଚିତ ରୂପେ ଭାରତର ପରିଚୟକୁ ବିଶ୍ବସ୍ତରରେ ଅଧିକ ଗ୍ରହଣୀୟ କରିଛି ।
ଆଜି ଭାରତ ଏକ ବିଶ୍ବସନୀୟ ବନ୍ଧୁ ଭାବେ ବିଶ୍ବର 100ରୁ ଅଧିକ ଦେଶକୁ କରୋନା ଭାକସିନ ଯୋଗାଇଥିବା ବେଳେ 150ରୁ ଅଧିକ ଦେଶକୁ ମେଡିସନ୍ ଯୋଗାଇଛି । ସେପଟେ ସ୍ବାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାକୁ କେନ୍ଦ୍ର ଦେଇଥିବା ଅବଦାନ ସମ୍ପର୍କରେ ମଧ୍ୟ ସବିଶେଷ ତଥ୍ୟ ରଖିଛନ୍ତି ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ । ୨୦୧୩ ସୁଦ୍ଧା ରାଜ୍ୟରେ ୭ଟି ମେଡିକାଲ ଥିବା ବେଳେ ବିଗତ ୮ ବର୍ଷରେ ଆଉ ୮ଟି ମେଡିକାଲ୍ କଲେଜ୍ ଗ୍ରାଣ୍ଟ କରିଛନ୍ତି କେନ୍ଦ୍ର ସରକାର । ଫଳରେ ଏହି ସଂଖ୍ୟା ୧୫କୁ ବୃଦ୍ଧି ପାଇଛି ।
ସେହିପରି ମେଡିକାଲ୍ ୟୁଜି ସିଟ୍ ୧୦୫୦ରୁ ଆଠ ବର୍ଷ ମଧ୍ୟରେ ୨୩୨୫କୁ ବୃଦ୍ଧି ପାଇଛି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ହେଲ୍ଥ ଇନଫ୍ରାଷ୍ଟ୍ରକଚର ମିଶନ ଅଧୀନରେ ଓଡ଼ିଶାକୁ ୧୩୪୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ରାଜ୍ୟରେ ୬ ହଜାରରୁ ଅଧିକ ହେଲ୍ଥ ଓ ୱେଲନେସ୍ ସେଣ୍ଟର ଖୋଲିଥିବା ବେଳେ ପ୍ରତିଟି ଜିଲ୍ଲାରେ ଆଡାଭାନ୍ସଡ୍ ଲ୍ୟାବ ପ୍ରତିଷ୍ଠା ଲକ୍ଷ୍ୟରେ କେନ୍ଦ୍ର ସରକାର କାର୍ଯ୍ୟରତ ଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର ।
ଆଜି ଅର୍ଗସ ନ୍ୟୁଜ୍ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଆଲୋଚନା ଚକ୍ରରେ ଦେଶର ସ୍ବାସ୍ଥ୍ୟକ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଶିକ୍ଷାବିତ୍ ମାନେ ସେମାନଙ୍କର ମତ ଉପସ୍ଥାପନ କରିଥିଲେ । କରୋନା ପରବର୍ତ୍ତୀ ସମୟରେ କିଭଳି ଦେଶରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି ଏବଂ ଓଡ଼ିଶା ଭଳି ରାଜ୍ୟରେ ଡିଜିଟାଲ ସ୍ବାସ୍ଥ୍ୟ ବ୍ୟବସ୍ଥାର କେତେ ଆବଶ୍ୟକତା ରହିଛି, ସେନେଇ ଅତିଥିମାନେ ଆଲୋକପାତ କରିଛନ୍ତି । ସାମ୍ପ୍ରତିକ ସମୟରେ ଆୟୁର୍ବେଦର ଆବଶ୍ୟକତା ନେଇ ମଧ୍ୟ ଆଲୋଚନା ହୋଇଛି । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପାୱାରଙ୍କ ବ୍ୟତୀତ ଦିଲ୍ଲୀ ଏମ୍ସର ପ୍ରସିଦ୍ଧ ଶଲ୍ୟ ସର୍ଜନ ଡକ୍ଟର ଅକ୍ଷୟ କୁମାର ବିଷୋୟୀ, ସିସିଆରଏଏସର ମହାନିର୍ଦ୍ଦେଶକ ପ୍ରଫେସର ରବି ନାରାୟଣ ଆଚାର୍ଯ୍ୟ, ଅତିଥି ଭାବେ ଯୋଗଦାନ କରିଥିଲେ ।
ସେହିପରି ଅନ୍ୟାନ୍ୟ ବକ୍ତାଙ୍କ ମାନଙ୍କ ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର, ଗୁରୁଗ୍ରାମ ନାରାୟଣ ହେଲ୍ଥର ହେପାଟୋଲୋଜି ବିଭାଗ ମୁଖ୍ୟ ଡକ୍ଟର ଅଶୋକ ଚୌଧୁରୀ, ଏନଆରଡିସିର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ବିଜୟ କୁମାର ସାହୁ, ଭୁବନେଶ୍ବର ଆପୋଲୋର ସିଓଓ ଡକ୍ଟର ଆଲୋକ ଶ୍ରୀବାସ୍ତବ, ପାରସ ହେଲ୍ଥକେୟାରର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ସୁହାସ ବସନ୍ତ ଆରାଧ୍ୟେ ଏବଂ ଆମ୍ରିର ମେଡିକାଲ ସୁପରିଟେନଡେଣ୍ଟ ଡକ୍ଟର ସିଦ୍ଧାର୍ଥ ମିଶ୍ର ଯୋଗଦାନ କରିଥିଲେ ।
ସେହିପରି ଆରଏମଆରସି ଡାଇରେକ୍ଟର ସଂଘମିତ୍ରା ପତି, ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ ଡକ୍ଟର ମନୋଜ କୁମାର ସାହୁ, ଦୁବାଇର ପ୍ରସିଦ୍ଧ ଡେନଟିଷ୍ଟ ଡକ୍ଟର ଚନ୍ଦ୍ର ଶେଖର ଖୁଣ୍ଟିଆ, ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଶଙ୍କର ରାମଚନ୍ଦାନି ଓ ଟିଟଲାଗଡ଼ ସବ୍ ଡିଭିଜିନାଲ ହସ୍ପିଟାଲର ଆସିଷ୍ଟାଣ୍ଟ ସର୍ଜନ ଡକ୍ଟର ଓଁକାର ହୋତା ଯୋଗଦେଇ ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ନେଇ ଆଲୋଚନା କରିଛନ୍ତି । କନକ୍ଲେଭରେ ବିଭିନ୍ନ କ୍ଷେତ୍ରରେ ଲବ୍ଧ ପ୍ରତିଷ୍ଠିତ ପ୍ରତିଭାମାନଙ୍କୁ ସମ୍ମାନିତ କରାଯାଇଥିଲା ।
ଓଡିଶା ଖବର ଆହୁରି ପଢନ୍ତୁ