ଅର୍ଗସ ବ୍ୟୁରୋ: ଜାମିନ ପାଇବା ସତ୍ତ୍ବେ ଜଣେ କଏଦୀଙ୍କୁ ଅଧିକ ୩ ବର୍ଷ ଜେଲରେ ରହିବାକୁ ପଡ଼ିଥିବାରୁ ରାଜ୍ୟ ସରକାର ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଗୁଜରାଟ ହାଇକୋର୍ଟ ଆଦେଶ ଦେଇଛନ୍ତି। ଜେଲ କର୍ତ୍ତୃପକ୍ଷ କୋର୍ଟଙ୍କୁ ଜଣାଇଥିଲେ ଯେ, ୨୦୨୦ରେ ଇମେଲ ମାଧ୍ୟମରେ କୋର୍ଟରୁ ସେମାନଙ୍କ ପାଖକୁ ଯେଉଁ ଜାମିନ ଆଦେଶ ଆସିଥିଲା, ସେହି ଇମେଲର ଆଟାଚମେଣ୍ଟକୁ ଖୋଲିବାରେ ସେମାନେ ବିଫଳ ହୋଇଥିଲେ। ତେଣୁ ସେମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜାମିନରେ ମୁକ୍ତ କରିପାରି ନ ଥିଲେ। ସେତେବେଳେ କୋଭିଡ୍ ମହାମାରୀ ଚାଲିଥିବାରୁ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରି ନ ଥିଲା। ଚନ୍ଦନଜୀ ଟାକୋର ନାମକ ସମ୍ପୃକ୍ତ ବ୍ୟକ୍ତିଙ୍କ ବୟସ ବର୍ତ୍ତମାନ ୨୭।
ଏକ ହତ୍ୟା ମାମଲାରେ ତାଙ୍କୁ ଆଜୀବନ ଜେଲଦଣ୍ଡ ହୋଇଥିଲା। ପରେ କୋର୍ଟ ତାଙ୍କ ଦଣ୍ଡାଦେଶକୁ ଖାରଜ କରି ଜାମିନ ପ୍ରଦାନ କରିଥିଲେ। କିନ୍ତୁ ଜାମିନ ପାଇବା ସତ୍ତ୍ବେ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ତାଙ୍କୁ ଅଧିକ ତିନିବର୍ଷ ଜେଲରେ ରହିବାକୁ ପଡ଼ିଥିଲା। ଗୁଜରାଟ ହାଇକୋର୍ଟ କହିଲେ ଯେ, ଇମେଲ ଖୋଲିଲାନି ବୋଲି ଜେଲ କର୍ତ୍ତୃପକ୍ଷ ଚୁପ୍ଚାପ୍ ବସିଯିବା ଚରମ ଅବହେଳାର ନିଦର୍ଶନ। ଜେଲ କର୍ତ୍ତୃପକ୍ଷ ରେଜିଷ୍ଟ୍ରି ବା ଦୌରା କୋର୍ଟ ସହ ଏ ବାବଦରେ ଯୋଗଯୋଗ କରିପାରିଥାନ୍ତେ। ଗୁଜରାଟ ସରକାର ୧୪ ଦିନ ଭିତରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର