ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଓକିଲ ମାନଙ୍କର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହବାଜ ଶରିଫ ଏହା କହିଛନ୍ତି । ତାଙ୍କର ଏହି ବକ୍ତବ୍ୟ ପାକିସ୍ତାନୀ ଗଣମାଧ୍ୟମରେ ଚର୍ଚାର ବିଷୟ ପାଲଟିଛି ।
ଶାବବାଜ ତାଙ୍କ ଭାଷଣରେ କହିଥିଲେ ଯେ ଆଜି ଯଦି ଆମେ କୌଣସି ମିତ୍ର ଦେଶକୁ ଗସ୍ତ କରୁଛୁ କିମ୍ବା ଫୋନରେ କଥା ହେଉଛୁ ତେବେ ସେମାନେ ଭାବୁଛନ୍ତି ଯେ ପାକିସ୍ତାନର ନେତୃତ୍ୱ ଭିକ ମାଗିବାକୁ ଗସ୍ତ କରିଛନ୍ତି ବା ଫୋନ କରୁଛନ୍ତି ।
ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସେ କହିଛନ୍ତି ଯେ – ଆମେ ଗତ 75 ବର୍ଷରେ ଭିକ ଥାଳୀ ଧରି ବୁଲୁଛି । ଛୋଟ ଛୋଟ ଦେଶ ଓ ଛୋଟ ଛୋଟ ଅର୍ଥନୀତି ମଧ୍ୟ ପାକିସ୍ତାନକୁ ପଛରେ ପକାଇ ଖୁବ ଆଗକୁ ଯାଇ ସାରିଲେଣି । ଆଜି 75 ବର୍ଷ ପରେ ପାକିସ୍ତାନର ଆର୍ଥିକ ସ୍ଥିତି କଣ ରହିଛି ତାହା ଆମକୁ ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ପାକିସ୍ତାନରେ କରିବାର ସାମର୍ଥ ଅଛି ହେଲେ କରିବାର ଇଚ୍ଛାଶକ୍ତିର ଅଭାବ ରହିଛି । ପୂର୍ବରୁ ପାକିସ୍ତାନର ଅର୍ଥନୀତି ଅତ୍ୟନ୍ତ ଖରାପ ସ୍ଥିତିରେ ଥିଲା । ହେଲେ ଏବେ ନିକଟରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ପାକିସ୍ତାନର ଆର୍ଥିକ ସ୍ଥିତିକୁ ଜଟିଳ କରିବା ସହ ତାକୁ ଦୋହଲାଇ ଦେଇଛି ।
ଯେତେବେଳେ ସେ ଶାସନ କ୍ଷମତାରେ ଆସିଲେ ସେତେବେଳେ ପାକିସ୍ତାନରେ ଆର୍ଥିକ ଅଭାବର ସ୍ଥିତି ଥିଲା । ହେଲେ ତାଙ୍କର ମେଂଟ ସରକାର ନିଜର କଠିନ ପରିଶ୍ରମ ଫଳରେ ଦେଶକୁ ଡିଫଲଟର ହେବାରୁ ରକ୍ଷା କରି ପାରିଥିଲା ଓ କିଛି ସୀମା ଯାଏ ଆର୍ଥିକ ଅସ୍ଥିରତାକୁ ନିୟନ୍ତ୍ରିତ କରି ପାରିଥିଲା।
ପାକିସ୍ତାନରେ ମୁଦ୍ରାସ୍ଫିତି ଆକାଶ ଛୁଆଁ ହେବାକୁ ନେଇ ପୂର୍ବବର୍ତୀ ସରକାର ଅର୍ଥାତ ଇମରାନ ଖାନଙ୍କ ତେହେରିକ ଏ ପାକିସ୍ତାନ ସରକାରଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ ପୂର୍ବବର୍ତୀ ଇମରାନ ସରକାର ଆନ୍ତର୍ଜାତିକ ମୁଦ୍ରା କୋଷ ବା ଆଇଏମଏଫର ସର୍ତାବଳୀକୁ ଉଲ୍ଲଂଘନ କରିଥିଲେ । ଏହା ଫଳରେ ବର୍ତମାନ ସରକାରଙ୍କୁ ଆଇଏମଏଫପ କଠିନ ସର୍ତାବଳୀକୁ ମାନିବାକୁ ବାଧ୍ୟ ହେବାକୁ ପଡିଛି ।