କୋଲକତାର ଆର.ଜି କର ହସ୍ପିଟାଲରେ ଘଟିଥିବା ଟ୍ରେନି ମହିଳା ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲାକୁ ନେଇ ଆଜି ବି ସାରା ଦେଶରେ ବିବାଦ ଥମିନାହିଁ । ଏହାରି ଭିତରେ ଗତକାଲି ପଶ୍ଚିମବଙ୍ଗ ବିଧାନସଭାରେ ମମତା ସରକାର ‘ଆଣ୍ଟି ରେପ୍ ବିଲ’ ଆଗତ କରିଛନ୍ତି । ରାଜ୍ୟ ବିଧାନସଭାର ଦୁଇ ଦିବସୀୟ ସ୍ଵତନ୍ତ୍ର ଅଧିବେଶନର ଅନ୍ତିମ ଦିନରେ ମମତା ବାନାର୍ଜୀ ସରକାର ଏହି ବିଲ୍ ଆଗତ କରିଥିଲେ । ବିଲ୍ ବିଧାନସଭାରେ ପାସ୍ ହେବା ପରେ ଏଣିକି ଦୋଷୀଙ୍କୁ ୧୦ ଦିନ ଭିତରେ ଫାଶୀ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି ।
ସୂଚନା ଅନୁସାରେ, ଏହି ବିଲର ନାମ ‘ଅପରାଜିତା ୱିମେନ ଆଣ୍ଡ ଚାଇଲ୍ଡ (ପଶ୍ଚିମ ବଙ୍ଗ ଅପରାଧିକ କାନୁନ ଓ ସଂଶୋଧନ) ବିଲ୍ ୨୦୨୪’ ରଖାଯାଇଛି । ଏହି ବିଲରେ ଦୋଷୀଙ୍କୁ ୧୦ ଦିନ ଭିତରେ ଫାଶୀ ଦେବାର ବ୍ୟବସ୍ଥା ରହିବା ସହିତ ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ୨୧ ଦିନ ଭିତରେ ଦାଖଲ କରିବାକୁ କୁହାଯାଇଛି । ଜିଲ୍ଲା ସ୍ତରରେ ଟାସ୍କ ଫୋର୍ସ ଗଠନ କରିବା ଓ ଧାର୍ଯ୍ୟ ସମୟରେ ଶୁଣାଣି ସମାପ୍ତ କରିବାର ମଧ୍ୟ ବ୍ୟବସ୍ଥା ରହିଛି । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ, ଅଗଷ୍ଟ ୯ ତାରିଖରେ ଜୁନିୟର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ କରାଯିବା ସହ ତାଙ୍କୁ ହତ୍ୟା କରାଯାଇଥିଲା । ହେଲେ ହତ୍ୟାକୁ ଆତ୍ମହତ୍ୟାର ରୂପ ଦେବାକୁ ହୀନ ଚକ୍ରାନ୍ତ କରିଥିଲା ବଙ୍ଗ ପୋଲିସ । କିନ୍ତୁ ପରିବାର ଲୋକଙ୍କ ସନ୍ଦେହ ବଢିବା ପରେ ପୁରା ମାମଲା ଜଣାପଡ଼ିଥିଲା । ଆଉ ମୁଖ୍ୟ ଅପରାଧୀ ସଂଜୟକୁ ଗରିଫ କରାଯାଇଥିଲା ।
କୋଲକତା ମାମଲାର ମୁଖ୍ୟ ଅଭିଯୁକ୍ତ ସଂଜୟକୁ ନେଇ ଥମୁନି ଚର୍ଚ୍ଚା । କାରଣ ଜେଲରେ ସେ ଯେଉଁପରି ଭାବରେ ନଖରା ଦେଖାଉଛି ତାହାକୁ ନେଇ ଖବର ନିଇତି ନୂଆ ଖବର ସାମ୍ନାକୁ ଆସୁଛି । କାରଣ ଜେଲର ରୁଟି ଓ ତରକାରୀ ତାକୁ ପସନ୍ଦ ହେଉନି । ତେଣୁ ଖାଇବାରେ ମାଗୁଛି ଏଗ୍ ଚାଓମିନ୍ । ହେଲେ ଜେଲରେ ରହିବା ପରେ ବି ଅନୁତାପ ନକରି ଯେଉଁପରି ଭାବରେ ସେ ଖାଇବା ମାଗୁଛି ତାହାକୁ ନେଇ ଏବେ ବିବାଦ ଉପୁଜିଛି । ନୂଆ ବିଲ ଆଗତ ପରେ ସଂଜୟକୁ କେବେ ଫାଶୀ ମିଳୁଛି ତାହାକୁ ଅପେକ୍ଷା ।