ଗରୀବ କଲ୍ୟାଣ ପାଇଁ ବିଗତ ୮ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ନିଆ ଯାଇଥିବା ଯୁଗାନ୍ତକାରୀ ପଦକ୍ଷେପ ଦଳକୁ କ୍ରମାଗତ ଲୋକଙ୍କ ନିକଟତର କରାଇଛି । ଜାତି, ଭାଷା, ଆଂଚଳିକ ବିବାଦରୁ ଉପରକୁ ଉଠି ଗରୀବ, ମହିଳା, ଆଦିବାସୀ, ଦଳିତ ଓ ଯୁବପିଢ଼ିକୁ ନିଜ ଯୋଜନା ମାଧ୍ୟମରେ ନିଜ ସହ ଯୋଡ଼ିଛନ୍ତି । ହାଇଦ୍ରାବାଦର ପ୍ରଥମ ଦିନ ବୈଠକରେ ଏହି ବାର୍ତ୍ତା ଲୋକଙ୍କ ପାଖରେ ପହଁଚେଇବାକୁ ସଂକଳ୍ପ ନିଆଯାଇଛି । ଆଗକୁ ବିଜେପି କର୍ମକର୍ତ୍ତାମାନେ ବୁଥ୍ ସ୍ତରରେ ‘ହରଘର୍ ତ୍ରିରଙ୍ଗା’ ଅଭିଯାନ ମାଧ୍ୟମରେ କିପରି ଲୋକଙ୍କ ନିକଟତର ହୋଇ ପାରିବେ ତା’ର ରୂପରେଖ ପ୍ରସ୍ତୁତ କରାଯାଇଛି ।
୧୯୮୪-୮୫ ଲୋକସଭା ନିର୍ବାଚନରେ କଂଗ୍ରେସକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳିଥିବା ବେଳେ ମାତ୍ର ୨ ଟି ଆସନ ପାଇ ବେଶ ପଛରେ ଥିଲା ବିଜେପି ମାତ୍ର ଏହାର ପର ନିର୍ବାଚନ ୧୯୮୯ରେ ଦଳକୁ ମିଳିଥିଲା ୮୫ ଟି ଆସନ । ୨୦୧୪ରୁ ଦଳ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହ ସରକାର ଗଢ଼ିପାରିଛି । ୨୦୨୪ରେ ମଧ୍ୟ ମୋଦିଙ୍କ ନେତୃତ୍ବରେ ଦଳ ଅଣ ବିଜେପିଶାସିତ ରାଜ୍ୟରେ ନିଜର ସ୍ଥିତି ମଜବୁତ କରି କ୍ଷମତାକୁ ଆସିବ । କାରଣ କଂଗ୍ରେସ ସମେତ ଅନ୍ୟ ବିରୋଧିଦଳଗୁଡ଼ିକ ଏବେ ସଂଘଠିତ ହେବା ଅବସ୍ଥାରେ ନାହାଁନ୍ତି ଯାହା ବିଜେପି ପାଇଁ ପାଲଟିବ ଓ୍ବିନିଂ ଫ୍ୟାକ୍ଟର ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂହ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ, ଦଳର ସର୍ବଭାରତୀୟ ସ୍ତରର ନେତା, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜାତୀୟ ଅଫିସ ବିୟରରଙ୍କ ସମ୍ମିଳନୀ ଆରମ୍ଭ ହୋଇଛି ଯାହା ଦୁଇଦିନ ଧରି ଚାଲିବ।