ରବିବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବାସଭବନରେ ବିଜେପିର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ସାଧାରଣ ସମ୍ପାଦକ ବାଲା ସନ୍ତୋଷ ପ୍ରମୁଖ ଯୋଗ ଦେଇଥିଲେ ।
ବିରେନ ସିଂ ମଣିପୁରର ବିଧାୟକ ଦଳର ନେତା ନିର୍ବାଚିତ ହୋଇ ସାରିଥିବାବେଳେ ଅନ୍ୟ ରାଜ୍ୟରେ ଦଳ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଛି । ବିଧାନସଭା ନିର୍ବାଚନରେ 4 ରାଜ୍ୟରେ ବିଜେପି ବିପୁଳ ଜନସମର୍ଥନ ପାଇଥିବା ବେଳେ ସରକାର ଗଢିବାକୁ ପ୍ରସ୍ତୁତ ହେଉଛି । ଗୋଆ ଏବଂ ଉତ୍ତରାଖଣ୍ଡରେ ଆଜି ବିଧାୟକ ଦଳ ବୈଠକ ବସିବାକୁ ଥିବାବେଳେ ନୂଆ ନେତା ନିର୍ବାଚିତ କରାଯିବ । ଯିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।
ଗୋଆରେ ଅପରାହ୍ନ 4ଟାରେ ବିଧାୟକ ଦଳ ବୈଠକ ବସିବ, ପରେ ବିଜେପି ପ୍ରତିନିଧି ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରାଯିବ । ସେହିପରି ଆଜି ସଂଧ୍ୟାରେ ଉତ୍ତରାଖଣ୍ଡର ନବନିର୍ବାଚିତ ବିଜେପି ବିଧାୟକ ମାନଙ୍କୁ ନେଇ ବୈଠକ ବସିବାକୁ ଥିବା ବେଳେ ନୂଆ ନେତା ଚୟନ କରାଯିବ । ଏହି ବୈଠକରେ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ମୀନାକ୍ଷୀ ଲେଖି ଉପସ୍ଥିତ ରହିବେ ବୋଲି ଜଣାପଡିଛି ।