ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ବିଭିନ୍ନ ଏଜେଣ୍ଡା ଉପରେ ବାଜିବ ମୋହର । ରାଜନୈତିକ, ଅର୍ଥନୈତିକ ଓ ଆନ୍ତର୍ଜାତିକ । ରାଜନୈତିକ ପ୍ରସ୍ତାବରେ 2024 ସାଧାରଣ ନିର୍ବାଚନ ନେଇ ପ୍ରସ୍ତୁତ ହେବ ରଣନୀତି । 160 ଦୁର୍ବଳ ଲୋକସଭା କ୍ଷେତ୍ରରୁ ମତାମତ ସଂଗ୍ରହ କରି 2024 ପାଇଁ କ୍ଷେତ୍ର ପ୍ରସ୍ତୁତି କରାଯିବ । ଲୋକସଭା ପ୍ରବାସ ଯୋଜନା କାର୍ଯ୍ୟକ୍ରମକୁ ନେଇ ବିସ୍ତାରରେ ଚର୍ଚ୍ଚା ହେବ । ସେହିପରି ଆଗକୁ ହେବାକୁ ଥିବା 9ଟି ରାଜ୍ୟର ବିଧାନସଭା ନିର୍ବାଚନ ନେଇ ହେବ ଆଲୋଚନା । ରାଜସ୍ଥାନ, ଛତିଶଗଡ଼ ଓ ତେଲଙ୍ଗାନା ପରି ଯେଉଁ ସବୁ ରାଜ୍ୟରେ ବିଜେପି ସରକାରରେ ନାହିଁ ସେଠାରେ କିପରି ଦଳ କ୍ଷମତା ଅକ୍ତିଆର କରିବ ସେନେଇ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ମନ୍ଥନ ହେବ । ବିଶେଷ କରି ମୋଦି ସରକାରର 9 ବର୍ଷର ସଫଳତା ତଥା ଗୁଜରାଟ ନିର୍ବାଚନର ସକସେସ୍ ଷ୍ଟୋରୀକୁ କିପରି ଲୋକମାନଙ୍କ ପାଖରେ ପହଞ୍ଚାଯିବ ସେନେଇ ତିଆରି ହେବ ଗେମପ୍ଲାନ୍ ।
ଅର୍ଥନୈତିକ ଏଜେଣ୍ଡା ଭାବେ ଭାରତକୁ 5 ଟ୍ରିଲିଅନ ଅର୍ଥନୀତିରେ ପହଞ୍ଚାଇବା ନେଇ ହେବ ଆମୂଳଚୂଳ ଆଲୋଚନା । ବିଶ୍ବରେ ଲାଗି ରହିଥିବା ଅର୍ଥନୈତିକ ଅସ୍ଥିରତା ତଥା ଭାରତର ଗରିବ କଲ୍ୟାଣ ଯୋଜନା ନେଇ ହେବ ମନ୍ଥନ । ଭାରତକୁ G-୨୦ ସଭାପତିତ୍ବ ମିଳିଥିବା ବେଳେ କିପରି ସଫଳ ଭାବେ ଏହାକୁ ନିଭାଇ ଯାଇପାରିବ ସେ ସମ୍ପର୍କରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ପ୍ରସ୍ତୁତ ହେବ ଏଜେଣ୍ଡା ।
କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ, ୩୫ କେନ୍ଦ୍ରମନ୍ତ୍ରୀ, ୩୭ ରାଜ୍ୟର ସଭାପତି ଓ ୩୫୦ ଦଳୀୟ ପଦାଧିକାରୀ ଯୋଗଦାନ କରିଛନ୍ତି । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପୂର୍ବରୁ ଆଜି ବିଜେପିର 6ଟି ଥିମକୁ ନେଇ ଆୟୋଜିତ ଏକ ପ୍ରଦର୍ଶନୀକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଉଦଘାଟନ କରିଛନ୍ତି । ଯାହା ମଧ୍ୟରେ ରହିଛି ସେବା, ସଙ୍ଗଠନ ଓ ସମର୍ପଣ, ବିଶ୍ବଗୁରୁ ଭାରତ, ଗଭର୍ଣ୍ଣେସ ଫାଷ୍ଟ, ସମାବେଶୀ ଓ ସଶକ୍ତ ଭାରତ, ସଂସ୍କୃତିର ସଂବାହକ-କାଶୀ ବିଶ୍ବନାଥ ଓ ମହାକାଳ ଲୋକ ଏବଂ ବିରୋଧୀ ରାଜ୍ୟରେ ସଂଘର୍ଷ ଓ ଦଳୀୟ ଗତିବିଧି ରହିଛି । ତେବେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ମୁଖ୍ୟତଃ ଆଗାମୀ ନିର୍ବାଚନଗୁଡ଼ିକ ପାଇଁ ବିଜେପି ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ କରିବା ବୋଲି ଚର୍ଚ୍ଚା ହେଉଛି ।
ଭାରତ ଖବର ଆହୁରି ପଢନ୍ତୁ