ଭ୍ରଷ୍ଟାଚାର ଓ ପରିବାରବାଦ ବିରୋଧରେ ଲଢ଼େଇ ପାଇଁ ବିଜେପି ପ୍ରସ୍ତୁତ ହେଉଥିବା ନେଇ ଜାତୀୟ କାର୍ଯ୍ୟକାରିଣୀ ଠାରୁ ଲାଲକିଲ୍ଲା ଯାଏଁ ବାର୍ତ୍ତା ଦେଇସାରିଛନ୍ତି ପ୍ରଧାନମନ୍ତ୍ରୀ । ଦେଖିବାକୁ ଗଲେ ବି ପୂରା ଦେଶ ସାମ୍ନାରେ ରାକ୍ଷସଙ୍କ ଭଳି ଛିଡ଼ା ହୋଇଛି ପରିବାରବାଦ । କାଶ୍ମୀରରୁ କନ୍ୟା କୁମାରୀ ଯାଏଁ ନଜର ପକାନ୍ତୁ । କାଶ୍ମୀରରେ ଅବଦୁଲ୍ଲା ଓ ମୁଫତି ପରିବାର । ପଞ୍ଜାବରେ ବାଦଲ ଫ୍ୟାମିଲି । ୟୁପିରେ ୟାଦବ ଓ ଚୌଧୁରୀ ପରିବାର । ବିହାରରେ ୟାଦବ ପରିବାର । ବେଙ୍ଗଲରେ ମମତାଙ୍କ ପରେ ପୁତୁରା ଅଭିଷେକ । ତେଲଙ୍ଗାନାରେ କେସିଆର ଓ କେ.ଟି ରାମା ରାଓ, ତାମିଲନାଡ଼ୁରେ ଷ୍ଟାଲିନ ଭାଇଭଉଣୀ, ମହାରାଷ୍ଟ୍ରରେ ଉଦ୍ଧବ-ଆଦିତ୍ୟ ଓ ପୱାର ପରିବାର ଯାଏଁ ବଂଶବାଦର ଗୋଟିଏ ଗୋଟିଏ ନମୂନା । ହେଲେ ପ୍ରକୃତ ପରିବାରବାଦର ନମୂନା ରହିଛି ଦିଲ୍ଲୀରେ । ଗାନ୍ଧି ନାଁ ନେଇ ଯେମିତି ଭାବେ ଗାନ୍ଧି ଫ୍ୟାମିଲି ଦେଶରେ ଶାସନ କରିଆସିଛି, ସେସବୁ ବିରୋଧରେ ଯୁଦ୍ଧର ଆହ୍ବାନ ଦେଇଛନ୍ତି ମୋଦି । କାହିଁକି ନା ଏବେ ଗାନ୍ଧି ପରିବାର ନ୍ୟାସନାଲ ହେରାଲ୍ଡ ମାମଲାରେ ଦୁର୍ନୀତିରେ ଫସିଥିବା ବେଳେ ମମତାଙ୍କ ସରକାର ବିରୋଧରେ ମଧ୍ୟ ଦୁର୍ନୀତିର ଲମ୍ବା ତାଲିକା ଅଛି । ସେହିପରି ଏବେ ନୀତୀଶ କୁମାରଙ୍କ ସହ ମିଶି ବିହାରରେ ସରକାରକୁ ଆସିଥିବା ୟାଦବ ପରିବାର ମଧ୍ୟ ଦୁର୍ନୀତିର ବୁଢ଼ିଆଣୀ ଜାଲରେ ଛନ୍ଦି ହୋଇଯାଇଛନ୍ତି । ସେଥପାଇଁ ଦେଶରୁ ଦୁର୍ନୀତି ହଟାଇବା ପାଇଁ ପରିବାରବାଦର ମୂଳପୋଛ ପାଇଁ ଡାକରା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଧୀରେଧୀରେ ଏବେ ଦେଶର ମୁଡ୍ ନିର୍ବାଚନମୁହାଁ ହେଲାଣି । ତେଣୁ ଏଭଳି ପରିସ୍ଥିତିରେ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ପରିବାରବାଦ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇ ବିରୋଧୀଙ୍କୁ ମନୋବଳ ଭାଙ୍ଗିବାର ପୂରା ପ୍ରୟାସ କରିଛନ୍ତି ବିଜେପିର ଦୁଇ ଧୂରନ୍ଧର ମୋଦି ଓ ଶାହ ।
ଭାରତ ଖବର ଆହୁରି ପଢ଼ନ୍ତୁ ।