ଅର୍ଗସ ବ୍ୟୁରୋ: କେରଳରେ ଗର୍ଭବତୀ ହାତୀର ମୃତ୍ୟୁ ଘଟଣା ଏବେ ଦେଶରେ ହଇଚଇ ସୃଷ୍ଟି କରିଛି । ଏହି ଘଟଣା ପାଇଁ ଲୋକଙ୍କ ମାନବିକତା ଲଜ୍ଜିତ ହେଲା । ତେବେ କିଛି ଲୋକ ଭୋକିଲା ହାତୀ ସାମ୍ନାରେ ବାଣ ଭର୍ତ୍ତି ଏକ ସପୁରୀ ରଖିଦେଇଥିଲେ । ମଣିଷ ତାଙ୍କୁ କିଛି ଖାଇବାକୁ ଦେଇଛି ବୋଲି ଭାବି ହାତୀଟି ତାକୁ ଖାଇଦେଇଥିଲା । ହେଲେ ତାହା ପାଟିକୁ ନେବା ମାତ୍ରେ ତାହା ଫାଟିବା ଆରମ୍ଭ ହଲା । ହାତୀଟି ଗୁରୁତର ଆହାତ ମଧ୍ୟ ହୋଇଥିଲା । ପରେ ହାତୀଟିର ମୃତ୍ୟୁ ହୋଇଗଲା ।
ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କେରଳର ମଲାପୁରମ୍ ର ଜଣେ ବନ ଅଧିକାରୀ ନିଜ ଫେସବୁକ ପେଜରେ ଏହି ଘଟଣା ସେୟାର କରିବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ନେଇ ଲୋକଙ୍କ ମନରେ ବହୁତ କ୍ରୋଧ ବଢିଲା । ସୋସିଆଲ ମିଡିଆରେ ସେହି ଅପରାଧୀ ଓ ହାତୀର ନ୍ୟାୟ ପାଇଁ ଦାବି କଲେ ଲୋକେ ।
ସେହିପରି ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମରେ ଟେଡ୍ ଷ୍ଟୋନର୍ ନାମକ ଇନଷ୍ଟାଗ୍ରାମ ପୋଷ୍ଟକୁ ପୁନଃ ପୋଷ୍ଟ କରି କେରଳର ସିଏମ୍ କାର୍ଯ୍ୟାଳୟକୁ ଟ୍ୟାଗ୍ କରି ଲେଖିଛନ୍ତି ଯେ, “ଆମେ ସମସ୍ତେ ସିଏମଓ କେରଳକୁ ଅନୁରୋଧ କରୁଛୁ ଯେ, ଏହି ନିଷ୍ଠୁର ଅପରାଧ ପାଇଁ ସେମାନଙ୍କୁ ଦଣ୍ଡ ଦିଅନ୍ତୁ” ।
