ସେପଟେ ଓଡିଶା ସୀମାନ୍ତ କୋଟିଆ ଗ୍ରାମପୁଞ୍ଜରେ ଏବେ ବି ଆନ୍ଧ୍ର ଦାଦାଗିରି କରିଚାଲିଛି । କେବଳ ଏଥର ପଞ୍ଚାୟତ ନିର୍ବାଚନ ନୁହେଁ 2006 ଓ 2013ରେ କୋଟିଆ ଗ୍ରାମପୁଞ୍ଜର ଯେଉଁ ତିନୋଟି ପଞ୍ଚାୟତରେ ଆନ୍ଧ୍ର ନାଁ ବଦଳାଇ ନିର୍ବାଚନ କରିଛି । ଓଡିଶାର ଫଗୁଣ ସିନେରି ଗାଁକୁ ପଗୁଲୁଚିନେରୁ, ଗଞ୍ଜେଇପଦରକୁ ଗଞ୍ଜାଭଦ୍ରା ଓ ଫଟୁସିନେରି ଗାଁକୁ ପଟୁ ଚିନେରୁ ନାଁ ଦେଇ ନିର୍ବାଚନ କରିଥିଲା ଆନ୍ଧ୍ର । ଏ ତିନି ପଞ୍ଚାୟତରେ 2006 ଓ 2013ରେ ନିର୍ବାଚିତ ପ୍ରତିନିଧିଙ୍କ ନାଁ ଦେଇଛନ୍ତି ବିଜୟନଗରମ ଜିଲ୍ଲାପାଳ । ସେହିପରି ଏଠାରେ ଥିବା ସ୍କୁଲ ଓ ପଞ୍ଚାୟତ ଅଫିସ ବି ତାଙ୍କର ବୋଲି ଦାବି କରି ସତ୍ୟପାଠରେ ଫଟୋ ଦେଇଛନ୍ତି ଜିଲ୍ଲାପାଳ । ଆନ୍ଧ୍ରର ଏ ଚାଲକୁ ନେଇ ସ୍ଥାନୀୟ ଅଞ୍ଚଳରେ ଘୋର ପ୍ରତିକ୍ରିୟା ପ୍ରକାଶ ପାଇଛି ।
କେବଳ କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ରର ଜଗନ ସରକାର ଯୋଜନା ବାଣ୍ଟୁନାହାନ୍ତି ନୀରିହ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ଧର୍ମ ପ୍ରଚାର କରିଚାଲିଛନ୍ତି । କୋଟିଆ ସହ ନାରାୟଣପାଟଣା ବ୍ଲକର ଗୁମାଣ୍ଡି, ପଡାପଦର, କୁମ୍ଭାରୀ, ସିରିଗୁଡାରେ ବି ମାଳ ମାଳ ଚର୍ଚ୍ଚ । ସୀମାନ୍ତରେ ଥିବା ଆଲମଣ୍ଡା, ହାତୀଗେଡା, ୟେଲେଙ୍ଗା ବଲସା, କୁମ୍ଭଗଣ୍ଡା, ରାମଜିପୁଟ, ଜାଗୁଡ଼ା , କାବେରିବାଡି, ଟିକରପଡା ଅଞ୍ଚଳରେ ବୁଲି ଆଦିବସୀଙ୍କୁ ଶୋଷଣ କରିବାରେ ଲାଗିଛନ୍ତି ଖ୍ରୀଷ୍ଟିଆନ୍ ସଙ୍ଗଠନ । ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଖ୍ରୀଷ୍ଟିଆନ୍ । କୁଟିଆର ଚର୍ଚ୍ଚ ମାନଙ୍କରେ ଆନ୍ଧ୍ର ନିର୍ବାଚନୀ ବୁଥ କରୁଛି । ଆଉ ସେଠାରେ ହୋଇଥିବା 90 ପ୍ରତିଶତ ଧର୍ମାନ୍ତରୀକରଣ ପାଇଁ ଜଗନ ରେଡ୍ଡୀ ସରକାର ଫଣ୍ଡ ଯୋଗାଉଥିବାର ହୋଇଛି ଅଭିଯୋଗ ।
କୋଟିଆରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ତାଲା ପକାଇବା ପାଇଁ ଚର୍ଚ୍ଚର ବଡ ଷଡଯନ୍ତ୍ରର ଖୁଲାସା ମଧ୍ୟ ହୋଇଛି । ଯଦି ଜଗନ୍ନାଥ ରହିବେ ତାହାହେଲେ ଓଡିଆ ଭାବାବେଗ ରହିବ । ସେଥିପାଇଁ ଏହାକୁ ଭଣ୍ଡୁର କରିବା ପାଇଁ ୱାଇଏସଆରଙ୍କ ସମୟରୁ ଆରମ୍ଭ ହୋଇଥିଲା ମିଶନ । ୱାଇଏସଆରଙ୍କ ସମୟରୁ ଆରମ୍ଭ ହୋଇଥିବା ଏହି ମାଷ୍ଟରପ୍ଲାନ୍ର ମୁଣ୍ଡି ମାରୁଛନ୍ତି ଖୋଦ୍ ଜଗନ । ଆଉ ସୀମାରେ ଜାଣିଶୁଣି ସୃଷ୍ଟି ହେଉଛି ବିବାଦ । ଅସୁରକ୍ଷିତ ସୀମା, ଆନ୍ଧ୍ରର ଦାଦାଗିରି, ଓଡିଶା ସରକାର ଚୁପ୍ । ଓଡିଶାର ଅଂଶ ଚାଲିଗଲାଣୀ ଆନ୍ଧ୍ର କବଜାକୁ । ଓଡିଶା ମାଟିର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଆଖପାଖରେ ଗଢି ଉଠିଲାଣୀ ମାଳମାଳ ଚର୍ଚ୍ଚ । ହେଲେ କେବେ ଭାଙ୍ଗିବ ସରକାରଙ୍କ ନିଦ ତାହାକୁ ନେଇ ଉଠିଛି ପ୍ରଶ୍ନ । କୋଟିଆରେ ଆନ୍ଧ୍ର ଅନୁ ପ୍ରବେଶକୁ ଅନେକ ସମୟରେ ଆଲୋଚନା ହୋଇଛି । ଅତୀତରେ ଆନ୍ଧ୍ର ଭୋଟର କାର୍ଡ, ରାସନକାର୍ଡ, ଜଙ୍ଗଲଜମିପଟ୍ଟନା ଓ ଜାତି ପ୍ରମାଣ ପତ୍ର ବାଣ୍ଟିବାର ପୁଳା ପୁଳା ପ୍ରମାଣ ସାମନାକୁ ଆସିଛି । କୋଟିଆ ଲୋକଙ୍କୁ ପ୍ରଭାବିତ ଓ ପ୍ରଲୋଭିତ କରି ଲୋଭନୀୟ ସ୍କିମ ବି ବାଣ୍ଟିଛି । ହେଲେ ଆମ ସରକାରଙ୍କ ପାଖରେ ଏହା ଖବର ନାହିଁ ।