ପାଲି ଜିଲ୍ଲାର ୧୯ଟି ଗାଁରେ ଲାଗୁ କରାଯାଇଛି ଏହି ଦାଢି-ନିଶ ବିରୋଧୀ ନିୟମ । କୁମାଓ୍ୱତ୍ ସମ୍ପ୍ରଦାୟର ମୁଖିଆମାନଙ୍କ ମତରେ, ବରମାନେ ଫ୍ୟାସନ ନାଁରେ ବାହାଘର ବେଳେ ଦାଢି ରଖୁଛନ୍ତି । ଏହା ପରମ୍ପରା ବିରୋଧୀ । ତେଣୁ ବିବାହ ବେଳେ କାହାକୁ ବି ଦାଢି ରଖିବାକୁ ଅନୁମତି ଦିଆଯିବ ନାହିଁ । ଏହି ସମ୍ପ୍ରଦାୟର ବିଶ୍ବାସ, ବିବାହ ଏକ ରାଜକୀୟ ସଂସ୍କାର । ଏହି ସମୟରେ ବର ରାଜା ଭଳି ଦେଖାଯିବା ଉଚିତ । ତେଣୁ ବରମାନେ ବାହାଘର ବେଳେ ଦାଢି- ନିଶ ରଖିବା ଅନୁଚିତ ବୋଲି ଏହି ସମ୍ପ୍ରଦାୟର ମୁଖ୍ୟ ଘୋଷଣା କରିଛନ୍ତି ।
ଖାଲି ସେତିକି ନୁହେଁ, ଏହି ୧୯ ଗାଁ’ର ପଞ୍ଚାୟତ ବିବାହ ଉତ୍ସବକୁ ସାଦାସିଧା ଭାବେ କରି ଖର୍ଚ୍ଚ କମାଇବା ପାଇଁ ନିଷ୍ପତ୍ତି ନିଆ ଯାଇଛି । ଡିଜେ ବାଜା ଓ ବରଯାତ୍ରୀଙ୍କ ନାଚ ଉପରେ ଲାଗିଛି କଡା କଟକଣା । ବିବାହ ଉତ୍ସବରେ କୌଣସି ପ୍ରକାର ନିଶା ତଥା ମାଦକ ଦ୍ରବ୍ୟ ସେବନ ସମ୍ପୂର୍ଣ ମନା । ନିୟମ ଭାଙ୍ଗିଲେ ପଂଚାୟତ ଦେବ ଦଣ୍ଡ ।
ଏବେ ଯୁବ ଗୋଷ୍ଠୀ ହଳଦି ରସମ୍ , ମେହେନ୍ଦି ରସମ୍ ପରି ଇଭେଣ୍ଟ କରି ସାଙ୍ଗସାଥୀଙ୍କ ସହ ପୁଳା ପୁଳା ଟଙ୍କା ଉଡ଼ାଉଛନ୍ତି । ସଙ୍ଗୀତ କାର୍ଯ୍ୟକ୍ରମ, କେକ୍ କଟା ଆଦିରେ ଖର୍ଚ୍ଚ ହେଉଛି ଲକ୍ଷଲକ୍ଷ ଟଙ୍କା । ନିର୍ବନ୍ଧ, ରିଙ୍ଗ ସେରେମନି ପାଇଁ ଟଙ୍କା ଉଡୁଛି ।
ଏସବୁ ଅଯଥା ଖର୍ଚ୍ଚ ବିରୋଧରେ କୁମାଓ୍ୱତ୍ ସମ୍ପ୍ରଦାୟ ଲଗାଇଛି କଟକଣା । କନିଆଁ ପିନ୍ଧୁଥିବା ସୁନା ,ରୂପା ଗହଣାର ପରିମାଣକୁ ସୀମିତ କରାଯାଇଛି। ଯେତିକି ଆବଶ୍ୟକ ସେତିକି ଗହଣା ପିନ୍ଧିବା ସହ ନିଜର ସାମର୍ଥ୍ୟ ଅନୁସାରେ ପୋଷାକ କିଣିବାକୁ କହିଛନ୍ତି କୁମାଓ୍ୱତ୍ ମୁଖିଆ । ବାହାଘର ଭୋଜି ଖର୍ଚ୍ଚ ଓ ବ୍ୟଞ୍ଜନ ପ୍ରକାର ଉପରେ ବି କଟକଣା ରହିଛି । କୁମାୱତ ସମ୍ପ୍ରଦାୟର ଏହି କଟକଣା ସମାଜ ପାଇଁ ଏକ ଆଦର୍ଶ ସୃଷ୍ଟି କରିଛି ।
ବିବାହ ଉତ୍ସବ ଅତ୍ୟନ୍ତ ଦାମୀ ଓ ବିଳାସପୂର୍ଣ୍ଣ ହୋଇ ଗଲାଣି । ଥିଲାବାଲା ଆଖିବୁଜା ଖର୍ଚ୍ଚ କରୁଛନ୍ତି, ନିମ୍ନ-ମଧ୍ୟବିତ୍ତ ପରିବାର ବାହାଘର ଖର୍ଚ୍ଚ ପାଇଁ ମୁଣ୍ଡ ଗଡାଉଛନ୍ତି । ଏଭଳି ସମୟରେ କୁମାଓ୍ୱତ୍ ସମ୍ପ୍ରଦାୟ ବିବାହ ଉତ୍ସବକୁ ସରଳ ଭାବେ ଅଳ୍ପ ଖର୍ଚ୍ଚରେ କରିବା ପାଇଁ ଚେଷ୍ଟା କରୁଛି । ଏହି ନିଆରା ପଦକ୍ଷେପ ସମସ୍ତଙ୍କ ପାଇଁ ଅନୁକରଣୀୟ ।