ବ୍ୟବସାୟୀ ମାନଙ୍କର ସଂଗଠନ କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (କେଟ) ହୋଲି ପର୍ବ ଉପଲକ୍ଷେ ଏକ ବଡ ପୂର୍ବାନୁମାନ କରିଛି । କେଟ କରିଥିବା ପୂର୍ବାନୁମାନ ଅନୁସାରେ ହୋଲି ପର୍ବରେ ସାରା ଦେଶରେ ଚଳିତ ବର୍ଷ ପାଖାପାଖି 25 ହଜାର କୋଟି ଟଙ୍କାର ବ୍ୟବସାୟ ହେବ । କେଟ କରିଥିବା ତାର ପୂର୍ବାନୁମାନରେ କୁହାଯାଇଛି ଯେ ଗତ ବର୍ଷ ହୋଲିରେ ଯେତେ ମାତ୍ରାରେ ବ୍ୟବସାୟ ହୋଇଥିଲା ଚଳିତ ବର୍ଷ ତା ଠାରୁ 25 ପ୍ରତିଶତ ଅଧିକ ବ୍ୟବସାୟ ହେବ । 2021 ମସିହା ତୁଳନାରେ 2022 ମସିହା ହୋଲିରେ 30 ପ୍ରତିଶତ ଅଧିକ ବ୍ୟବସାୟ ହୋଇଥିଲା । ଏଠାରେ ମନେ ରଖିବାକୁ ପଡିବ ଯେ 2021 ମସିହା ବେଳକୁ ସାରା ଦେଶରେ କରୋନାର ପ୍ରକୋପ ଥିଲା । ଏବେ ସ୍ୱଦେଶୀ ଭ୍ୟାକ୍ସିନ ଲଗା ଯାଇ ଥିବା କାରଣରୁ କରୋନାର ପ୍ରକୋପ ପ୍ରାୟ ନାହିଁ।
ଚଳିତ ବର୍ଷ ଦିଲ୍ଲୀରେ ହିଁ କେବଳ 15 ଶହ କୋଟି ଟଙ୍କାର ବ୍ୟବସାୟ ହେବ ବୋଲି ଆକଳନ କରା ଯାଇଛି । ପୂର୍ବରୁ ଚୀନରୁ ହୋଲି ପାଇଁ ଅନେକ ସାମଗ୍ରୀ ଆସୁଥିଲା, ହେଲେ ଚଳିତ ବର୍ଷ ଏହା ଖୁବ କମ ହୋଇ ସାରିଛି । ପୂର୍ବରୁ ଚୀନରୁ ରଙ୍ଗ ଠାରୁ ଆରମ୍ଭ କରି ବେଲୁନ ଓ ଖେଳଣା ସବୁ ବହୁଳ ମାତ୍ରାରେ ଆସୁଥିଲା । ହେଲେ ଚଳିତ ଥର ଅଧିକାଂଶ ବ୍ୟବସାୟ ସ୍ୱଦେଶୀ ବସ୍ତୁରେ ହେବ । କେଟ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ଦେଶରେ ତିଆରି ହୋଇଥିବା ଅବିର, ଖେଳନା ବନ୍ଧୁକ, ରଙ୍ଗ ଓ ଅନ୍ୟ ସାମଗ୍ରୀ ଅଧିକାଂଶ ମାତ୍ରାରେ ବିକ୍ରୀ ହେଉଛି ।
ଏହା ବ୍ୟତୀତ ମିଠା, ଡ୍ରାଇ ଫ୍ରୁଟସ, ଗିଫ୍ଟ ଆଇଟମ, ଟେକ୍ସଟାଇଲ, ଫୁଲ, ଫଳ ଓ ପୁଜାପାଠ ସାମଗ୍ରୀ ଆଦି ମଧ୍ୟ ବହୁଳ ଭାବେ ବିକ୍ରୀ ହେବ । କେବଳ ଦିଲ୍ଲୀରେ ହୋଲି ଅବସରେ 3 ହଜାର ସ୍ଥାନରେ ସାମୁହିକ ହୋଲି କାର୍ଯ୍ୟକ୍ରମ ହେବାକୁ ଯାଉଛି ।