ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ବିବୃତି ରଖିଥିଲେ । ନାଗରିକତା ସଂଶୋଧନ ଆଇନ ସଂକ୍ରାନ୍ତରେ ବିସ୍ତୃତ ବିବୃତି ରଖି ପ୍ରଧାନମନ୍ତ୍ରୀ ଗୃହକୁ ଆଶ୍ୱାସନା ଦେଇଥିଲେ ଯେ ଏହି ଆଇନ ଦ୍ୱାରା କେହି ଜଣେ ହେଲେ ଭାରତୀୟ ନାଗରିକ ପ୍ରଭାବିତ ହେବେ ନାହିଁ ।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ପୂର୍ବ ସରକାରଗୁଡ଼ିକର କାର୍ଯ୍ୟ ପ୍ରକ୍ରିୟା ବିଷୟରେ ଉଲ୍ଲେଖ କରିଥିଲେ, ଯେଉଁମାନେ ଏହି ସମାନ ମାର୍ଗରେ ହିଁ ଚାଲିଥିଲେ । ନରେନ୍ଦ୍ର ମୋଦି କହିଥିଲେ ଯେ, ପଡ଼ୋଶୀ ଦେଶରେ ଉତ୍ପୀଡ଼ନର ଶିକାର ହେଉଥିବା ଶରଣାର୍ଥୀମାନଙ୍କୁ ଭାରତରେ ଆଶ୍ରୟ ଦେବା ପାଇଁ ଆବଶ୍ୟକ ହେଲେ ଆଇନରେ ସଂଶୋଧନ ଆଣିବା ଲାଗି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ମଧ୍ୟ ଚାହୁଁଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କେତେକ ରାଜନୈତିକ ଦଳ ଭାରତକୁ ଭାଗ ଭାଗ କରିବା ଲାଗି ପାକିସ୍ତାନର ଏଜେଣ୍ଡାକୁ ଆଗେଇ ନେବାର କାର୍ଯ୍ୟ କରୁଛନ୍ତି । ସିଏଏ କୌଣସି ଭାରତୀୟ ନାଗରିକଙ୍କୁ ପ୍ରଭାବିତ କରିବ ନାହିଁ ବୋଲି ସେ ଲୋକସଭାରେ ଆଶ୍ୱାସନା ଦେଇଥିଲେ ।
“ସିଏଏ ଲାଗୁ ହେବା ଦ୍ୱାରା ଧର୍ମ, ବିଶ୍ୱାସ ନିର୍ବିଶେଷରେ ଭାରତର କେହି ଜଣେ ହେଲେ ନାଗରିକ ପ୍ରଭାବିତ ହେବେ ନାହିଁ ବୋଲି ମୁଁ ସ୍ପଷ୍ଟ କରିଦେବାକୁ ଚାହେଁ”, ପ୍ରଧାନମନ୍ତ୍ରୀ କହିଥିଲେ ।
