ପରେଡର ଶୁଭାରମ୍ଭ ପ୍ରଥମ ଥର ଇଜିପ୍ଟର ସେନାର ରେଜିମେଣ୍ଟ ଦ୍ବାରା ଆରମ୍ଭ ହୋଇଥିଲା ସେହିପରି ଆଜିର ଗଣତନ୍ତ୍ର ଦିବସ ଅବସରରେ ଦେଖିବାକୁ ମିଳିଛି ନାରୀଶକ୍ତିର ଭରମାର । ମହିଳା ଅଧିକାରୀମାନେ ନିଜ ନିଜ ସାମରିକ ଦଳର ନେତୃତ୍ବ ନେଇଛନ୍ତି । ନୌବାହିନୀର ଏଆର ଅପରେସନ ଅଧିକାରୀ ଲେଫ୍ଟନାଣ୍ଟ କମାଣ୍ଡର ଦିଶା ଅମୃତ ୧୪୪ ଜଣିଆ ନୌବାହିନୀର ନେତୃତ୍ବ ନେଇଛନ୍ତି । ନୌସେନାର ଟ୍ରୁଫରେ 6 ଜଣ ଅଗ୍ନିବୀରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ସ୍ବଦେଶରେ ନିର୍ମିତ ଭୁପୂଷ୍ଠରୁ-ବାୟୁ କ୍ଷେପଣାସ୍ତ୍ର ବ୍ୟବସ୍ଥା ଆକାଶର ନେତୃତ୍ବ ନେଇଛନ୍ତି ଲେଫଟନାଣ୍ଟ ଚେତନା ଶର୍ମା । ସ୍କ୍ବାଡ୍ରନ ଲିଡର ସିନ୍ଧୁ ରେଡ୍ଡି ଭାରତୀୟ ବାୟୁସେନା ପରେଡ ଦଳର ନେତୃତ୍ବ ନେଇଛନ୍ତି । ସେହିପରି ଏନସିସି ବାଳିକା ବିଭାଗର ନେତୃତ୍ବ ନେଇଛନ୍ତି ଓଡ଼ିଆ ଝିଅ ସୋନାଲି ସାହୁ । 148 ଜଣିଆ ଏନସିସିର ବାଳିକା କଣ୍ଟିଜେଣ୍ଟର କମାଣ୍ଡିଂ ଭୂମିକାର ଦାୟିତ୍ବ ତୁଲାଇଛନ୍ତି ଖୋର୍ଦ୍ଧା ପି.ଏନ୍. କଲେଜର ସୋନାଲି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ୍ କରି ସୋନାଲିଙ୍କ ତାରିଫ କରିଛନ୍ତି ।
ଭାରତ ରେ ନିର୍ମିତ ବ୍ରହ୍ମୋସ ମିସାଇଲ ସିଷ୍ଟମ ଓ ଆକାଶ ଆର୍ମି ଲଞ୍ଚର ସହିତ ଭୀମ, ତ୍ରିଶୂଳ, ବିଜୟ ଶକ୍ତି ଦେଖାଇଥିଲେ । ଏହା ବ୍ୟତୀତ ନାଗ ମିସାଇଲ ସିଷ୍ଟମ, ସ୍ବଦେଶୀ ଅର୍ଜୁନ ଟ୍ୟାଙ୍କ, କେ-୯ ବଜ୍ର, ଆର୍ଟିଲାରୀ ଗନ୍, କ୍ବିକ ଆକ୍ସନ ଟିମ ଭେଇକିଲ ବି ନିଜର ପ୍ରଚଣ୍ତ ଶକ୍ତି ପ୍ରଦର୍ଶନ ସହ କର୍ତ୍ତବ୍ୟପଥରେ ଡେୟାରଡେଭିଲ୍ସ ଶୋରେ ଭାରତୀୟ ସେନାର ପରାକ୍ରମର ନିଦର୍ଶନ ଦେଖିବାକୁ ମିଳିଥିଲା ।
ଗଣତନ୍ତ୍ର ଦିବସ ଅବସରରେ 17 ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ 6ଟି ମନ୍ତ୍ରାଳୟ ସହ ମୋଟ୍ 23ଟି ପ୍ରଜ୍ଞାପନ ମେଢ଼ ଦ୍ବାରା ଭାରତୀୟ ସଂସ୍କୃତି, ପରମ୍ପରା, ଆର୍ଥିକ ପ୍ରହତି ଓ ରାଷ୍ଟ୍ରୀୟ ସୁରକ୍ଷାର ଝଲକ ଦେଖିବାକୁ ମିଳିଛି । ବିଶେଷ କରି ଉତ୍ତରପ୍ରଦେଶର ଝଲକରେ ଅଯୋଧ୍ୟର ୩ ଦିନିଆ ‘ଦୀପ ଉତ୍ସବ’କୁ ବି ପ୍ରଦର୍ଶନ କରାଯାଇଛି । ହରିୟାଣାର ଝଲକରେ ଭଗବାନ କୃଷ୍ଣ ଅର୍ଜୁନଙ୍କ ରଥରେ ସାରଥୀ ହୋଇ ଗୀତା ସଂପର୍କରେ ବୁଝାଉଛନ୍ତି ତାହା ଦେଖିବାକୁ ମିଳିଛି । ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରବ୍ୟାପୀ ବନ୍ଦେ ଭାରତମ୍ ନୃତ୍ୟ ପ୍ରତିଯୋଗିତା ମାଧ୍ୟମରେ ଚୟନ ହୋଇଥିବା 479 ଜଣ କଳାକାର ମଧ୍ୟ ପ୍ରତିଭା ପ୍ରଦର୍ଶନ କରିଛନ୍ତି । କର୍ତ୍ତବ୍ୟ ପଥ ରେ ବିଶ୍ୱ ଦେଖିଲା ଓଡ଼ିଶାର ଓଡିଶୀ ନୃତ୍ୟ, ପୁରୀର ସାହିଯାତ ଏବଂ କେନ୍ଦୁଝରର ଆଦିବାସୀ ଝୁମର ନୃତ୍ୟ ।
ତେବେ ଏଥରର କାର୍ଯ୍ୟକ୍ରମରେ ବିଶେଷତ୍ବ ରୂପେ ସେଣ୍ଟ୍ରାଲ ଭିଷ୍ଟା, କର୍ତ୍ତବ୍ୟ ପଥ ଓ ନୂଆ ସଂସଦ ଭବନ ନିର୍ମାଣ ସହ ଜଡ଼ିତ ଶ୍ରମିକ ଏବଂ କ୍ଷୀର, ପରିବା ବ୍ୟବସାୟୀଙ୍କୁ ପ୍ରଥମ ଲାଇନରେ ବସାଯାଇଥିଲା । ପରେଡରେ ଭାରତୀୟ ବାୟୁସେନା ପକ୍ଷରୁ ଶାନଦାର ଫ୍ଲାଇପାଷ୍ଟ ଓ ଏୟାର ଡିସପ୍ଲେ ପ୍ରସ୍ତୁତ କରାଯାଇଥିଲା । ଯେଉଁଥିରେ ତିନି ସେନାର 50 ବିମାନ ଓ ହେଲିକପ୍ଟର ସାମିଲ ହୋଇଥିଲେ । Mi-17 ଏୟାରକ୍ରାଫ୍ଟର ଧ୍ବଜ ଫର୍ମେସନ ସହ ଆରମ୍ଭ ହୋଇଥିଲା ଏୟାର ଶୋ । ରୁଦ୍ର, ପ୍ରଚଣ୍ଡ, ତ୍ରିରଙ୍ଗା ପରି ଫର୍ମେସନ ସହ ଶତ୍ରୁରାଷ୍ଟ୍ରକୁ ପରାକ୍ରମର ମିସାଲ ପ୍ରଦର୍ଶନ କରିଥିଲେ ଲଢ଼ୁଆ ବିମାନ ଓ ହେଲକପ୍ଟର । ତେବେ ରାଫେଲ୍ ପୁଣି ଥରେ ଶୋ ଷ୍ଟପର ଥିବା ବେଳେ ସୁଖୋଇ ବି ଦେଖାଇଥିଲା ପରାକ୍ରମ ।