by Dr. Samanwaya Nanda
ଭାରତର ଚୀନ ନୀତିରେ କୌଣସି ପ୍ରକାର ପରିବର୍ତନ ଆସିଛି କି ? ଯଦି ଏହି ପ୍ରଶ୍ନ କରା ଯାଏ ତେବେ ଉତର ଆସିବ ଯେ ହଁ ଓ ଏହା ସ୍ପଷ୍ଟ ଭାବେ ପରିଲକ୍ଷିତ ହେଉଛି । ପଣ୍ଡିତ ନେହେରୁଙ୍କ ସମୟରୁ ଚାଲି ଆସିଥିବା ଭାରତର ଚୀନ ନୀତିରେ ପରିବର୍ତନ ଆସିଛି । ଏହି ଲେଖାରେ ଆମେ ଭାରତର ଚୀନ ସମ୍ପର୍କିତ ନୀତିରେ କିଭଳି ଭାବେ ପରିବର୍ତନ ଆସିଛି ତାକୁ ବିଗତ ଦିନରେ ଘଟିଥିବା ଘଟଣାବଳୀର ଉଦାହରଣ ଜରିଆରେ ଦୃଷ୍ଟି ପକାଇବା ।
ଗତ ଜୁଲାଇ ମାସ ୬ ତାରିଖ ଦିନ ତିବତର ସର୍ବୋଚ୍ଚ ଅଧ୍ୟାତ୍ମିକ ନେତା ତଥା ରାଷ୍ଟ୍ର ମୁଖ୍ୟ ପରମ ପାବନ ଦଲାଇ ଲାମାଙ୍କ ୮୭ ତମ ଜନ୍ମ ଦିନ ଥିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଲାଇଲାମାଙ୍କୁ ଟେଲିଫୋନ କରି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଦଲାଇଲାମାଙ୍କୁ ଦ୍ୱିତୀୟ ଥର ପାଇଁ ଦଲାଇଲାମାଙ୍କୁ ତାଙ୍କର ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଏହାର ସୂଚନା ନିଜେ ଟ୍ୱିଟ କରି ଦେଇଥିଲେ ।
ଭାରତର ପ୍ରଧାନମନ୍ତ୍ରୀ ମାନେ ପୂର୍ବରୁ ଦଲାଇଲାମାଙ୍କୁ ତାଙ୍କର ଜନ୍ମ ଦିନରେ ଶୁଭକାମନା ଜଣାଇବା ସମ୍ପର୍କରେ ସୂଚନା କେବେ ହେଲେ ପବ୍ଲିକ ଡୋମେନରେ ନ ଥିଲା । ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ମାନେ ଦଲାଇଲାମାଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଉଥିଲେ ନା ନାହିଁ , ସେ ବିଷୟରେ କିଛି ସ୍ପଷ୍ଟତା ନାହିଁ । ସେମାନେ ଦଲାଇଲାମାଙ୍କୁ ପୂର୍ବରୁ ମଧ୍ୟ ଶୁଭେଚ୍ଛା ଜଣାଉ ଥାଇ ପାରନ୍ତି ହେଲେ କେବେ ହେଲେ ଏହାକୁ ସେମାନେ ସାର୍ବଜନୀନ କରୁ ନଥିଲେ । ତେବେ ପ୍ରଶ୍ନ ଉଠେ ଯେ ଭାରତ ସରକାର ଏହାକୁ କାହିଁକି ସାର୍ବଜନୀନ କରୁ ନ ଥିଲେ । ଏହାର କାରଣ ହେଉଛି ଭାରତ ସରକାରଙ୍କ ମନରେ ସବୁ ବେଳେ ରହି ଆସିଛି ଯେ ଏଭଳି କଲେ ଚୀନ ଭାରତ ପ୍ରତି ଅସନ୍ତୁଷ୍ଟ ହୋଇ ଯିବ ।
ଚୀନର ଦଲାଇଲାମାଙ୍କ ପ୍ରତି ପ୍ରବଳ ଘୃଣାଭାବ ରହିଛି । ଚୀନ ସରକାରଙ୍କର ଦଲାଇଲାମାଙ୍କ ସମ୍ପର୍କରେ ଆଧିକାରିକ ଷ୍ଟାଣ୍ଡ ହେଲା ଯେ ଦଲାଇଲାମା ହେଉଛନ୍ତି ଜଣେ ‘ବିଭାଜନକାରୀ ନେତା’ । ତେଣୁ ଦଲାଇଲାମାଙ୍କୁ କେହି ମହତ୍ୱ ନ ଦିଅନ୍ତୁ ଏହି ଚେଷ୍ଟା ଚୀନ ବାରମ୍ବାର କରିଥାଏ । କୌଣସି ଦେଶ ଯେତେବେଳେ ଦଲାଇଲାମାଙ୍କୁ ତାଙ୍କ ଦେଶକୁ ଯିବାକୁ ଭିସା ପ୍ରଦାନ କରିଥାଏ ସେତେବେଳ ଚୀନ ତାର ସମସ୍ତ କୂଟନୈତିକ, ଆର୍ଥିକ ଓ ଅନ୍ୟାନ୍ୟ ଶକ୍ତି ବ୍ୟବହାର କରି ଭିସା ପ୍ରଦାନ ନିଷ୍ପତିକୁ ପ୍ରତ୍ୟାହାର କରିବାକୁ ଚାପ ପକାଇଥାଏ । ବେଳେ ବେଳେ ଚୀନ ଏଥିରେ ସଫଳ ହୋଇଥାଏ ଓ ଅନେକ ଦେଶ ଚୀନର ଚାପ ଆଗରେ ମୁଣ୍ଡ ନୂଆଇଁ ଦଲାଇଲାମାଙ୍କୁ ଦିଆ ଯାଇଥିବା ଭିସାକୁ ରଦ୍ଦ କରିଥାନ୍ତି ଓ କେତେକ ସ୍ଥଳେ ଦଲାଇଲାମାଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମ ବା ବ୍ୟାଖ୍ୟାନକୁ ରଦ୍ଦ କରି ଦେଇଥାନ୍ତି । ଏହାର ଅନେକ ଉଦାହରଣ ଅତୀତରେ ଦେଖିବାକୁ ମିଲିଛି । ଦଲାଇଲାମାଙ୍କ ସହ ସମ୍ପର୍କରେ ଚୀନ କେତେ ମାତ୍ରାରେ ବ୍ୟଥିତ ହୋଇ ଯାଏ ତାହା ଏଥିରୁ ସ୍ପଷ୍ଟ ହୁଏ ।
ଏହି କାରଣରୁ ପୂର୍ବର ପ୍ରଧାନମନ୍ତ୍ରୀ ମାନଙ୍କୁ ଲାଗୁଥିଲା ଦଲାଇଲାମାଙ୍କୁ ଜନ୍ମ ଦିନରେ ଶୁଭକାମନା ଜଣାଇବା ବିଷୟରେ ଅବଗତ କରାଇ ବିନା କାରଣରେ ଚୀନକୁ ଅସନ୍ତୁଷ୍ଟ କରିବାର କୌଣସି ଲାଭ ନାହିଁ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି କରୁ ନାହାନ୍ତି । ସେ ଦଲାଇଲାମାଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇ ତାକୁ ସାର୍ବଜନୀନ କରିବା ସହ ଚୀନକୁ କଡା ବାର୍ତା ଦେଇଛନ୍ତି । କୂଟନୀତିରେ ସବୁ କଥା ବାର୍ତା ଜରିଆରେ ଦିଆ ଯାଇଥାଏ ଓ ଭାରତ ସରକାର ଓ ମୋଦୀ ଏହି ପ୍ରକ୍ରିୟାକୁ ଆପଣାଇଛନ୍ତି ।
ତେବେ ୧୯୫୦ ମସିହା ପର ଠାରୁ ଭାରତ ସରକାରଙ୍କର ଚୀନ ପ୍ରତି ନୀତି କଣ ଥିଲା । ଚୀନ ଯେେତେବେଳେ ତିବତକୁ ଗ୍ରାସ କରୁଥିଲା ସେତେବେଳେ ଭାରତ ସରକାର ଏହାର ପ୍ରତିକାର କରିବା ପରିବର୍ତେ ଚୁପ ରହିବାକୁ ଶ୍ରେୟସ୍କର ମନେ କଲେ । ପଣ୍ଡିତ ନେହେରୁଙ୍କ ସମୟରୁ ଭାରତ ସରକାରଙ୍କ ନୀତି ଥିଲା ଯେ ଯଦି ଚୀନକୁ ତିବତର ବଳି ଦେଇ ଦିଆ ଯାଏ ତେବେ ଚୀନ ପ୍ରସନ୍ନ ହୋଇ ଯିବ ଓ ଭାରତ ସହ ମିତ୍ରତାର ସମ୍ପର୍କ ସ୍ଥାପନା କରିବ । ମାତ୍ର କାହା ପାଟିରେ ଯଦି ରକ୍ତ ଲାଗି ଯାଏ ତେବେ ସେ ସେତିକିରେ ସନ୍ତୁଷ୍ଟ ହୁଏ ନାହିଁ । ଚୀନ କ୍ଷେତ୍ରରେ ମଧ୍ୟ ସେଇଆ ହେଲା । ଚୀନ ଯେତେବେଳେ ତିବତ ଉପରେ ସମ୍ପୂର୍ଣ ଅଧିକାର କରି ସାରିଲା ତା ପରେ ୧୯୬୨ ମସିହାରେ ଭାରତ ଉପରେ ଆକ୍ରମଣ କରି ଦେଲା ଓ ହଜାର ହଜାର ବର୍ଗ ମାଇଲ ଭାରତୀୟ ଭୂମି ଉପରେ କବଜା କରି ନେଲା । ଏହା ପରେ ମଧ୍ୟ ଭାରତ ସରକାର କୌଣସି ଶିକ୍ଷା ଗ୍ରହଣ କଲେ ନାହିଁ ଓ ଚୀନ ପ୍ରତି ସେହି ପୁରୁଣା ନୀତି ଅର୍ଥାତ ଚୀନକୁ ଖୁସି କରିବା ନୀତି ଜାରି ରଖିଥିଲେ ।
ମୋଦୀ ସରକାର ଆସିବା ପରେ ଭାରତର ଚୀନ ନୀତିରେ ପରିବର୍ତନ ଆସିଥିବା ସ୍ପଷ୍ଟ ହୋଇଛି । ଏହାର କିଛି ଉଦାହରଣ ଉପରେ ଆମେ ଦୃଷ୍ଟି ପକାଇବା । ୨୦୧୪ ମସିହାରେ ନରେନ୍ଦ୍ର ମୋଦୀ ଯେତେବେଳେ ପ୍ରଥମ ଥର ପାଇଁ ଶପଥ ଗ୍ରହଣ କଲେ ସେତେବେଳେ ପଡୋଶୀ ଦେଶ ମାନଙ୍କର ରାଷ୍ଟ୍ର ମୁଖ୍ୟ ମାନଙ୍କୁ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ । ତତ୍କାଳୀନ ନିର୍ବାସିତ ତିବତ ସରକାରଙ୍କ ପ୍ରଧାନମନ୍ତ୍ରୀ ଲବଜାଙ୍ଗ ସାଙ୍ଗେଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଥିଲେ । ଲବଜାଙ୍ଗ ନିଜେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଭାବିଥିଲେ ଯେ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଶହ ଶହ ଲୋକଙ୍କ ଭୀଡରେ ତାଙ୍କୁ ମଧ୍ୟ ଡକା ହୋଇଛି । ସେ ନିମନ୍ତ୍ରଣ ପତ୍ର ଧରି କାର୍ଯ୍ୟକ୍ରମ ସ୍ଥଳକୁ ପହଂଚିଥିଲେ । ସାଧାରଣ ଗେଟରେ ପ୍ରବେଶ ପାଇଁ ପହଂଚିଥିଲେ ଓ ସେ ସୁରକ୍ଷା କର୍ମୀଙ୍କୁ କାର୍ଡ ଦେଖାଇବା ବେଳେ ସୁରକ୍ଷା କର୍ମୀ ମାନେ ତାଙ୍କୁ ଆଗ ଧାଡିରେ ଅର୍ଥାତ ରାଷ୍ଟ୍ର ମୁଖ୍ୟ ମାନଙ୍କର ପାଇଁ ସଂରକ୍ଷିତ ଥିବା ଆସନକୁ ନେଇ ଯାଇଥିଲେ । କେବଳ ସେତିକି ନୁହେଁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପରେ ବିଭିନ୍ନ ରାଷ୍ଟ୍ର ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଫଟୋ ଉଠାଇଥିଲେ ଓ ସେଥିରେ ମଧ୍ୟ ଲବଜେଙ୍ଗଙ୍କୁ ସାମିଲ କରା ଯାଇଥିଲା । ଲବଜେଙ୍ଗ ସେହି ସାକ୍ଷାତକାରରେ ଏହାର ଉଲ୍ଲେଖ କରିବା ସହ ଏହାକୁ ନେଇ ସୁଖଦ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ ।
୨୦୧୪ ମସିହାରେ ଶପଥ ଗ୍ରହଣ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାସିତ ତିବତ ସରକାରରେ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ର ମୁଖ୍ୟ ଭାବେ ନିମନ୍ତ୍ରିତ କରି ଚୀନକୁ କଡା ସଂକେତ ଦେଇଥିଲେ ଓ ସେହି ସମୟରୁ ହିଁ ଭାରତର ଚୀନ ନୀତିରେ ପରିବର୍ତନ ସମ୍ଭବ ବୋଲି ସୂଚନା ଦେଇଥିଲେ ।
ଏବେ ଆଉ ଏକ ଘଟଣା ଉପରେ ଦୃଷ୍ଟି ପକାଇବା । ଭାରତର ସେନାରେ ଭାରତରେ ରହୁଥିବା ତିବତୀୟ ମାନେ ମଧ୍ୟ ଅଛନ୍ତି । ସ୍ପେଶାଲ ଫ୍ରଂଟିଅର ଫୋର୍ସ ବା (ଏସଏଫଏଫ)ର ଗଠନ ୧୯୬୨ ମସିହାରେ ଭାରତ –ଚୀନ ଯୁଦ୍ଧ ପରେ ହୋଇଥିଲା । ତିବତୀୟ ମାନେ ଏଥିରେ ଅଛନ୍ତି । ୧୯୭୧ ମସିହାରେ ପାକିସ୍ତାନ ସହ ଭାରତର ଯେଉଁ ଯୁଦ୍ଧ ହୋଇଥିଲା ସେଥିରେ ଏସଏଫଏଫର ତିବତୀୟ ଜବାନ ମାନେ ଅପ୍ରତିମ ବୀରତ୍ୱର ପରିଚୟ ଦେଇଥିଲେ । ୧୯୯୯ ମସିହାରେ କାରଗିଲ ଯୁଦ୍ଧରେ ମଧ୍ୟ ଭାରତ ମାତାର ସୁରକ୍ଷା ପାଇଁ ଏହି ତିବତୀୟ ସୈନିକ ମାନେ ପ୍ରାଣବଳୀ ଦେଇଥିଲେ । ହେଲେ ଭାରତ ତିବତୀୟ ମାନଙ୍କର ଭାରତୀୟ ସେନାରେ ସାମିଲ ହୋଇଥିବା କଥାକୁ ପ୍ରଚାରିତ କରୁ ନ ଥିଲା ବରଂ ଅତ୍ୟନ୍ତ ଗୁପ୍ତ ରଖୁଥିଲା । ଅନ୍ୟ ଭାରତୀୟ ସୈନିକଙ୍କ ବଳିଦାନ ପରି ତିବତୀୟ ସୈନିକଙ୍କ ବଳିଦାନ ଘଟଣାକୁ ମଧ୍ୟ ପ୍ରଚାରିତ କରୁ ନଥିଲା । ହେଲେ ଗଲବାନ ଘାଟିରେ ହୋଇଥିବା ସଂଘର୍ଷ ପରେ ଭାରତ ସରକାରଙ୍କ ଏହି ନୀତିରେ ପରିବର୍ତନ ଆସିଛି ।
ଗଲବାନରେ ଅନ୍ୟ ଭାରତୀୟ ଜବାନଙ୍କ ବଳିଦାନ ସହ ତିବତୀୟ ନିମା ତେଂଜିନ ମଧ୍ୟ ପ୍ରାଣବଳୀ ଦେଇଥିଲେ । ହେଲେ ପ୍ରଥମ ଥର ପାଇଁ ଭାରତ ସରକାର ତିବତୀୟ ଜବାନଙ୍କ ବଳିଦାନ ଓ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମକୁୁ ଗୁପ୍ତ ଭାବେ ନ କରି ସାର୍ବଜନୀନ ଭାବେ କରିଥିଲେ । ପ୍ରଥମ ଥର ପାଇଁ ତିବତୀୟ ଜବାନଙ୍କ ବଳିଦାନ ପାଇଁ ହଜାର ହଜାର ସଂଖ୍ୟାରେ ଲୋକ ହାତରେ ଭାରତର ଜାତୀୟ ପତାକା ଓ ତିବତର ଜାତୀୟ ପତାକା ଧରି ଭାରତ ମାତା କି ଜୟ ଓ ତିବତ ଜିନ୍ଦାବାଦର ନାରା ଦେବାର ଦେଖା ଯାଇଥିଲା । ଏ ସବୁ ଜାତୀୟ ଓ ଆନ୍ତର୍ଜାତିକ ଗଣମାଧ୍ୟମ ସାମନାରେ ହୋଇଥିଲା । ଏହି ଘଟଣା ମଧ୍ୟ ଭାରତ ସରକାରଙ୍କ ଚୀନ ନୀତିରେ ପରିବର୍ତନକୁ ସ୍ପଷ୍ଟ ରୂପେ ରେଖାଙ୍କିତ କରିଥିଲା ।
ମୋଦୀ ସରକାର ଭାରତର ସେହି ପୁରୁଣା ପାରମ୍ପାରିକ ଚୀନକୁ ତୁଷ୍ଟିକରଣ କରିବାର ନୀତିକୁ ପରିବର୍ତନ କରି ଏକ କଡା ବାର୍ତା ଦେଇଛନ୍ତି । ଏହା ଖୁବ ପୂର୍ବରୁ ହେବା ଉଚିତ ଥିଲା । ବିଳମ୍ବରେ ହେଲେ ମଧ୍ୟ ଏହି ନୀତିରେ ପରିବର୍ତନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେବାକୁ ପଡିବ ।