ଭୁବନେଶ୍ୱର: ଭାରତ ମହାସାଗର ଓ ଦକ୍ଷିଣ ବଙ୍ଗୋପସାଗର କେନ୍ଦ୍ରସ୍ଥଳରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଲଘୁଚାପ ଘନୀଭୂତ ହୋଇ ସାମୁଦ୍ରିକ ଝଡର ରୂପ ନେବ ବୋଲି ସୂଚନା ମିଳିଛି । ଅପ୍ରେଲ ୩୦ ଓ ମେ ୧ରେ ତାମିଲନାଡୁ ଓ ପୁଡୁଚେରୀ ଉପକୂଳରେ ଛୁଇଁବ ବୋଲି ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ସାମୁଦ୍ରିକ ଝଡ଼କୁ ବାଂଲାଦେଶ ଦ୍ୱାରା ‘ଫଣି’ ନାମରେ ନାମିତ କରାଯାଇଛି । ତେବେ ଏହି ଝଡ଼ ଓଡ଼ିଶାକୁ କେତେ ପ୍ରଭାବିତ କରିବ ତାହା ଏ ପର୍ଯ୍ୟନ୍ତ ଆକଳନ କରାଯାଇ ନାହିଁ ।
ଅନ୍ୟପକ୍ଷରେ ସମ୍ଭାବ୍ୟ ଝଡ଼ ଓ ବର୍ଷା ଆଶଙ୍କା କରି ତାମିଲନାଡ଼ୁ ସରକାର ଉପକୂଳ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ଭାରତ ମହାସାଗର ଓ ବଙ୍ଗୋପସାଗର ଦକ୍ଷିଣପୂର୍ବ ଭାଗରେ ଏହି ଝଡ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଶ୍ରୀଲଙ୍କା ଉତ୍ତରଭାଗ ଓ ତାମିଲନାଡୁ ଦକ୍ଷିଣ ଭାଗରେ ଏପ୍ରିଲ ୨୮ରେ ମଧ୍ୟମ ବର୍ଷା, ୨୯ରେ ପ୍ରବଳ ବର୍ଷା ଏବଂ ୩୦ ଓ ମେରେ ୧ରେ ଅତିପ୍ରବଳ ବର୍ଷାର ଆଶଙ୍କା କରାଯାଇଛି । ଝଡର ବେଗ ୯୦ରୁ ୧୦୦ କିଲୋମିଟର ମଧ୍ୟରେ ରହିବାର ଆକଳନ କରାଯାଇଛି ।
