ପ୍ରାକୃତିକ କୃଷି ନେଇ ଓଡ଼ିଆ ଚାଷୀଙ୍କୁ ବହୁମୂଲ୍ୟ ପରାମର୍ଶ ଦେଲେ ରାଜ୍ୟପାଳ । ଓଡିଶାର ଚାଷୀ ପ୍ରାକୃତିକ କୃଷି କରୁଥିବାରୁ ଖୁସି ବ୍ୟକ୍ତ କଲେ ଗୁଜରାଟ ରାଜ୍ୟପାଳ । ଓଡିଶାକୁ ପ୍ରାକୃତିକ କୃଷି ସହ ଯୋଡିବା ପାଇଁ ଓଡ଼ିଆ ଚାଷୀଙ୍କୁ ଆହ୍ୱାନ କରିଛନ୍ତି ଗୁଜରାଟ ରାଜ୍ୟପାଳ । କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନ କୌଶଳର ବହୁଳ ବ୍ୟବହାର କରିବାକୁ ରାଜ୍ୟପାଳ କହିଛନ୍ତି ।
ଜୟ ଜଗନ୍ନାଥ କହି ରାଜ୍ୟପାଳ ଚାଷୀଙ୍କ ସହ ଆଲୋଚନା ଆରମ୍ଭ କରିଥିଲେ । ଏପଟେ ଜୟ ଜଗନ୍ନାଥ ନାରା ଏବଂ ହୁଳହୁଳି ପକାଇ ରାଜ୍ୟପାଳଙ୍କୁ ଅଭିବାଦନ ଜଣାଇଛନ୍ତି ଓଡିଶା ଚାଷୀ । ଏହାସହ ଲାଇଭଲିହୁଡ ଅଲଟର୍ନେଟିଭସ୍ ପକ୍ଷରୁ ରାଜ୍ୟପାଳଙ୍କୁ ମହାପ୍ରସାଦ ଭେଟି ଦିଆଯାଇଛି । ଚିନାବାଦାମ ଚାଷ କ୍ଷେତ୍ରରେ ଗୁଜରାଟର ସ୍ଵତନ୍ତ୍ର ସ୍ଥାନ ଅଛି । ଚିନାବାଦାମ ଚାଷ ପାଇଁ ଓଡିଶାରେ ଅନୁକୂଳ ଜଳବାୟୁ ଏବଂ ଭୂମି ରହିଛି ।
ଯାହାଦ୍ୱାରା ଚିନାବାଦାମ ଚାଷ ବ୍ୟାପକ ହୋଇପାରିବ ଏବଂ ଚାଷୀ ଅଧିକ ଲାଭ ପାଇବେ । ଗୁଜରାଟରୁ ପାଇଥିବା ଅନୁଭୂତିକୁ ନେଇ ଓଡ଼ିଶା ରେ ଚିନାବାଦାମ ସହ ଅନ୍ୟ ଫସଲ ବହୁଳ ମାତ୍ରରେ ଚାଷ କରିବାକୁ କହିଛନ୍ତି ରାଜ୍ୟପାଳ । ତେବେ ପ୍ରାକୃତିକ କୃଷିକୁ ଆହୁରି ବ୍ୟାପକ କରିବା ପାଇଁ ଓଡ଼ିଆ ଚାଷୀଙ୍କୁ ଆହ୍ୱାନ କରିଛନ୍ତି ଗୁଜରାଟ ରାଜ୍ୟପାଳ ।
ପ୍ରାକୃତିକ କୃଷିରେ ଖର୍ଚ୍ଚ ଶୂନ ହୁଏ ଏବଂ ଉତ୍ପାଦନ ମଧ୍ୟ ହ୍ରାସ ହୋଇନଥାଏ । ଯାହାଦ୍ୱାରା ଦେଶରେ ଚାଷୀଙ୍କ ଆୟ ଦୁଇଗୁଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଖିଥିବା ସ୍ଵପ୍ନ ସାକାର ହୋଇପାରିବ । ପ୍ରାକୃତିକ ଉପାୟରେ ଚାଷ କଲେ ମୃତ୍ତିକା ଏବଂ ଫସଲ ପାଇଁ ଉପକାରୀ ଜୀବାଣୁ ଗୁଡ଼ିକ ସର୍ବଦା ସୁରକ୍ଷିତ ରୁହନ୍ତି । ଆଉ ଏହି ଜୀବାଣୁ ଯେତେ ବଢ଼ିବେ, ମାଟି ମାଆର ଉର୍ବରତା ସେତେ ବଢିବ ବୋଲି କହିଛନ୍ତି ରାଜ୍ୟପାଳ ।
କିନ୍ତୁ ଚାଷରେ ୟୁରିଆ ଓ ଡିଏପି ଭଳି ରାସାୟନିକ ସାର ଓ କୀଟନାଶକ ବ୍ୟବହାର କଲେ ଜୀବାଣୁ ଲୋପ ପାଇଯାନ୍ତି । ଏ ସବୁ ଯେତେ ଅଧିକ ବ୍ୟବହାର ହେବ ମାଟିର ଉର୍ବରତା କ୍ଷୟ ହେବ । ଫସଲରେ ରସାୟନ ପ୍ରଭାବ ଯୋଗୁଁ ସେଗୁଡିକୁ ଖାଦ୍ୟ ଭାବେ ଗ୍ରହଣ କଲେ ବିଭିନ୍ନ ରୋଗ ହୋଇଥାଏ ବୋଲି ରାଜ୍ୟପାଳ କହିଛନ୍ତି ।
ଚଳିତ ବର୍ଷ ବଜେଟରେ ପ୍ରାକୃତିକ କୃଷି ପାଇଁ ଦେଶ ସାରା 1 କୋଟି କୃଷକଙ୍କୁ ଯୋଡିବାର ଲକ୍ଷ୍ୟ ରଖିଛନ୍ତି । ଆଉ ଏଥିପାଇଁ ସହାୟତା ଯୋଗାଇଦେବେ କେନ୍ଦ୍ର ସରକାର । ତେଣୁ ଯାହା ବି ଚାଷ କରୁଛନ୍ତି, ସେଗୁଡିକୁ ପ୍ରାକୃତିକ ଉପାୟରେ କରିବାକୁ ପରାମର୍ଶ ଦେଲେ ରାଜ୍ୟପାଳ । ଯାହାଦ୍ୱାରା ପରିବେଶ ସୁରକ୍ଷିତ ରହିବା ସହ ମାଟି ଅନୁର୍ବର ହେବ ନାହିଁ । ଗୋମାତାର ପାଳନ ହୋଇପାରିବ ଏବଂ ଲୋକଙ୍କ ସ୍ବାସ୍ଥ୍ୟ ଠିକ୍ ରହିବ । ବିଦେଶରୁ ରାସାୟନିକ ସାର ଆମଦାନୀ କରିବାର ଖର୍ଚ୍ଚ ମଧ୍ୟ ହେବ ନାହିଁ ଏବଂ ଚାଷୀଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ ।
ଦେଶୀ ଗାଈ ପାଳନ କରିବାର ଲାଭ ବିଷୟରେ ଆଲୋକପାତ କଲେ । ଦେଶୀ ଗାଈ ପାଳନ କରନ୍ତୁ ବୋଲି ପରାମର୍ଶ ଦେଲେ ରାଜ୍ୟପାଳ । ଦେଶୀ ଗାଈର ଗୋବର ଏବଂ ମୂତ୍ର ପ୍ରାକୃତିକ କୃଷି ପାଇଁ ବରଦାନ ସଦୃଶ । ଗୁଜରାଟରେ ଦେଶୀ ଗାଈ ପାଳୁଥିବା ଚାଷୀ ମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମାସକୁ 900 ଟଙ୍କା ସହାୟତା ଦିଆଯାଉଛି ।
ଆଜାଦୀ କୀ ଅମୃତ ମହୋତ୍ସବ ଅବସରରେ ଗୁଜରାଟର ପ୍ରତି ପଞ୍ଚାୟତରେ ଅତିକମରେ 75 ଜଣ ଚାଷୀଙ୍କୁ ପ୍ରାକୃତିକ କୃଷି ସହ ଯୋଡିବାର ଲକ୍ଷ୍ୟ ରଖାଯାଇଛି । 2024 ଅଗଷ୍ଟ 15 ତାରିଖ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ଗୁଜୁରାଟରେ ପ୍ରାକୃତିକ କୃଷିକୁ ଆହୁରି ବୃଦ୍ଧି କରିବା ପାଇଁ କୃଷକ ମାନଙ୍କ ମଧ୍ଯରୁ 500 ଜଣ ଟ୍ରେନର ତିଆରି କରିବାକୁ ଲକ୍ଷ୍ୟ ରହିଛି । ଏହି ଟ୍ରେନର ବା ଚାଷୀ ମାନେ ନିଜ ଜମିରେ ମଡେଲ ପ୍ରସ୍ତୁତ କରିବେ ଏବଂ ଆଖପାଖ ଗାଁ ଗୁଡିକୁ ଯୋଡ଼ିବେ । ଟ୍ରେନର ମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରତିଦିନ 1200 ଟଙ୍କା ମିଳିବ ।
ଏସବୁ ଉପାୟ ଅବଲମ୍ବନ କଲେ ଓଡିଶା ମଧ୍ୟ ଆଗକୁ ବଢ଼ିପାରିବ । ରାସାୟନିକ ସାର ଓ କୀଟନାଶକର କମ ବ୍ୟବହାର ପାଇଁ ଓଡିଶା ଚାଷୀଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ । ଜଗନ୍ନାଥଙ୍କ ମାଟିର ଲୋକ ଭଲ ଲୋକ । କାରଣ ଆପଣ ମାନେ ଲୋକ ମାନଙ୍କୁ କ୍ୟାନସର ଭଳି ରୋଗରୁ ଦୁରେଇ ରଖିବା ସହ ଭାରତକୁ କାଙ୍ଗଳ ହେବାରୁ ରକ୍ଷା କରୁଛନ୍ତି । ଦିନେ ଗୁଜୁରାଟ ମଧ୍ୟ ଓଡ଼ିଶା ଭଳି ଥିଲା । କିନ୍ତୁ ପରିଶ୍ରମ ବଳରେ ଗୁଜରାଟ ଆଗକୁ ବଢ଼ିଛି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଓଡିଶାରୁ ଚାଷୀ ଆସୁଥିବା ନେଇ ସୂଚନା ମିଳିଥିଲା ବୋଲି କହିଲେ ରାଜ୍ୟପାଳ । କୃଷକ ମାନଙ୍କ ହିତ ପାଇଁ ଏଲ.ଏ. ସିଇଓ ସମ୍ବିତ ତ୍ରିପାଠୀ ପ୍ରଚେଷ୍ଟା ଜାରି ରଖିଛନ୍ତି ।
ଭାରତ ଖବର ଆହୁରି ପଢ଼ନ୍ତୁ ।