ନୂଆଦିଲ୍ଲୀ: ଉତ୍ତର ଭାରତରେ ପାଗ ଦିନକୁ ଦିନ ଅତି ଖରାପ୍ ହେବାରେ ଲାଗିଛି । ଏନେଇ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି । ତାପମାତ୍ରା କମିବା ଯୋଗୁଁ ଶୀତର ପ୍ରକୋପ ବଢୁଛି । ଏପଟେ ବହୁରାସ୍ତା ଘନ କୁହୁଡି ଯୋଗୁଁ ବନ୍ଦ ହୋଇ ରହିଛି ।
ଦିଲ୍ଲୀରୁ ରାଜସ୍ଥାନ ପର୍ଯ୍ୟନ୍ତ ଏବଂ ହିମାଚଳରୁ କାଶ୍ମୀର ପର୍ଯ୍ୟନ୍ତ ଥଣ୍ଡା କବଳିତ କରି ରଖିଛି ଲୋକମାନଙ୍କୁ । ତେବେ ଥଣ୍ଡାରୁ କିଛିଦିନ ଆସ୍ୱସ୍ଥି ମିଳିଥିଲେ ମଧ୍ୟ ଏହାପରେ ପାଣିପାଗରେ ପୁନର୍ବାର ପରିବର୍ତ୍ତନ ଆସିଛି । କେଉଁଠି ବର୍ଷା ହେଉଛି ତ ଆଉ କେଉଁଠି ବରଫ ପଡୁଛି । ସେହିପରି ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଦିନ ସକାଳେ ସର୍ବନିମ୍ନ ତାପମାତ୍ରା 5.3 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ପାଣିପାଗ ବିଭାଗର ଅଧିକାରୀଙ୍କ ସୁଚନାନୁଯାୟୀ, ଦିଲ୍ଲୀର କିଛି ଅଞ୍ଚଳରେ ଘନ କୁହୁଡି ମଧ୍ୟ ଲାଗି ରହିଛି ।
ପାଳମ ପାଣିପାଗ ବିଭାଗ ଷ୍ଟେସନ ତରଫରୁ ସବୁଠାରୁ ଅଧିକ ଘନ କୁହୁଡି ରେକର୍ଡ କରାଯାଇଛି । ସେହିପରି ଉତ୍ତର ପ୍ରଦେଶର କିଛି ଅଞ୍ଚଳରେ ଏହି ସପ୍ତାହରେ ଲଗାତାର ବର୍ଷା ପରେ ଏବେ ଥଣ୍ଡାର ପ୍ରକୋପ ବଢିଛି । ରାଜ୍ୟର ପାଣିପାଗ ବିଭାଗ ସୁଚନାନୁଯାୟୀ ରାଜ୍ୟରେ ପାଗ ସୁଖିଲା ରହିବ ଏବଂ ରାଜଧାନୀ ଲକ୍ଷ୍ନୌ ସହିତ ଅନେକ ଭାଗରେ ଦିନସାରା ବାଦଲ ଘୋଟିକି ରହିବ ବୋଲି ସୂଚନା ମିଳିଛି ।
