ଅର୍ଗସ ବ୍ୟୁରୋ: ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ସରକାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ। ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ବଜେଟ ହୋଇଥିବାରୁ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଲାଗି କେନ୍ଦ୍ର ସରକାର ଯଥେଷ୍ଟ ଚେଷ୍ଟା କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିପାଇଁ ଆୟକର ଟିକସ ସ୍ଲାବରେ ହ୍ରାସ କରାଯିବାସହ ବହୁ ନୂଆ ଯୋଜନା ସମ୍ପର୍କରେ ଘୋଷଣା ହୋଇଛି। ରେଲଓ୍ବ ବିଭାଗ ଉପରେ ଏହି ବଜେଟରେ ସମସ୍ତଙ୍କ ନଜର ରହିଥିଲା। ଅନ୍ୟ ବର୍ଷ ବଜେଟ ତୁଳନାରେ ଚଳିତବର୍ଷ ରେଲଓ୍ବେକୁ ଅଗ୍ରାଧିକାର ଦିଆଯାଇଛି। ୨୦୨୨ରେ ରେଲଓ୍ବେକୁ ୧.୪ ଲକ୍ଷ କୋଟି ଟଙ୍କାର ବଜେଟ ମିଳିଥିଲା। ଆଜିର ଏହି ବଜେଟରେ ରେଲୱେ ପାଇଁ ୨.୪ ଲକ୍ଷ କୋଟି ଟଙ୍କାର ବଜେଟ ଘୋଷଣା କରାଯାଇଛି । ଦେଶର ପ୍ରତ୍ୟେକ ରାଜ୍ୟ ଓ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାଧ୍ୟମ ହେଉଛି ଟ୍ରେନ। ତେଣୁ ସରକାର ରେଳ ବିଭାଗକୁ ପ୍ରାଧାନ୍ୟ ଦେଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ରେଳ ବିଭାଗରେ ବହୁତ କିଛି ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଛି। ଏବଂ ଏହା କ୍ରମାଗତ ଭାବେ ଉନ୍ନତ ହେଉଛି।
ବିଶ୍ବ ମାନ୍ଦାବସ୍ଥାରେ ଭାରତର ଅର୍ଥନୀତି ମଜଭୁତ ହୋଇଛି। ଭାରତୀୟ ଅର୍ଥନୀତି ଏବେ ବିଶ୍ବରେ ପଞ୍ଚମ। କରୋନା ମୁକାବିଲାରେ ସଫଳ ହୋଇଛନ୍ତି କେନ୍ଦ୍ର ସରକାର। ବିଶ୍ବସ୍ତରରେ ଭାରତର ପରିଚୟ ବଢ଼ୁଛି। ଚଳିତ ଆର୍ଥିକବର୍ଷରେ ଅଭିବୃଦ୍ଧି ହାର ୭ପ୍ରତିଶତ ଆକଳନ କରାଯାଇଛି। ଭାରତର ବିକଶିତ ହାର ଅନ୍ୟ ଦେଶ ତୁଳନାରେ ଭଲ ରହିଛି। ଏହା ୨୦୧୩-୧୪ ବଜେଟର ପ୍ରାୟ ୯ଗୁଣା ଅଧିକା। ରେଲୱେର ନୂଆ ଯୋଜନା ପାଇଁ ୭୫ ହଜାର କୋଟି ଟଙ୍କାର ଘୋଷଣା ହୋଇଛି। ସେହିପରି ୫୦ଟି ଅତିରିକ୍ତ ବିମାନବନ୍ଦର ଏବଂ ଏୟାରଷ୍ଟ୍ରିପର ପୁନରୁଦ୍ଧାର ହେବ ବୋଲି ବଜେଟରେ ଉପସ୍ଥାପନ କରାଯାଇଛି ।
ସେହିପରି ‘ବନ୍ଦେ ଭାରତ ଟ୍ରେନ୍’ ଉପରେ ଚଳିତ ବଜେଟ୍ ଅଧିକ ଧ୍ୟାନ ଦେବ। ୨୦୨୩ ଅଗଷ୍ଟ ସୁଦ୍ଧା ୭୫ଟି ‘ବନ୍ଦେ ଭାରତ ଟ୍ରେନ୍’ ଚଳାଇବା ପାଇଁ ଭାରତୀୟ ରେଳବାଇ ବ୍ୟବସ୍ଥା କରିଛି। ଖୁବ୍ ଶୀଘ୍ର ୨୦୦ ‘ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍’ ନିର୍ମାଣ କରିବା ପାଇଁ ଟେଣ୍ଡର୍ ଦିଆଯିବ।