
ନୂଆଦିଲ୍ଲୀ : ସାରା ବିଶ୍ଵରେ ଆତଙ୍କ ଖେଳାଇଥିବା କୋରୋନା ଏବେ ଭାରତରେ କାୟା ବିସ୍ତାର କରିବାକୁ ଲାଗିଛି। କୋରୋନା କାୟାରେ ଏବେ ଲୋକେ ଆତଙ୍କିତ। କେନ୍ଦ୍ର ସରକାର ଏହାକୁ ରାଷ୍ଟ୍ରୀୟ ଆପତ୍ତିକାଳୀନ ସ୍ଥିତି ଘୋଷଣା କରିବା ପରେ ସାଧାରଣ ଲୋକେ ବସ୍, ଟ୍ରେନରେ ଦୂର ସ୍ଥାନକୁ ଯାତ୍ରା କରିବାକୁ ଡରୁଛନ୍ତି। ଏଭଳି ସମୟରେ ୨ ଜଣ ବସ କଣ୍ଡକ୍ଟର ଓ ଡ୍ରାଇଭରଙ୍କ ମହାନତା ଦେଖିବାକୁ ମିଳିଛି। କର୍ଣ୍ଣାଟକର ଜଣେ ବସ କଣ୍ଡକ୍ଟର ଏମଏଲ ନଦାଫ ଏବଂ ଡ୍ରାଇଭର ଡଦୋଇଭର ଏଚଟି ମୟନାବର ୟାରଗୁପ୍ପୀରୁ ହୁବଲୀ ଯାଉଥିବା ଏକ ବସରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଫ୍ରୀରେ ମାସ୍କ ବାଣ୍ଟିଛନ୍ତି।
ସେମାନେ ନିଜସ୍ଵ ଅର୍ଥରେ ଏହି ମାସ୍କ କିଣି ଯାତ୍ରୀମାନଙ୍କୁ ବାଣ୍ଟିଛନ୍ତି। ଏନେଇ ନଦାଫ କହିଛନ୍ତି ଯେ, ଲୋକମାନେ କୋରୋନା ଭୂତାଣୁ ସଂକ୍ରମଣରେ ଆତଙ୍କିତ ହୋଇ ବସ୍ ଯାତ୍ରା ପ୍ରତି ଡରୁଥିଲେ। ଏଥିପାଇଁ ଆମେ ଏଭଳି ପ୍ରୟାସ କରିଛୁ। ତେବେ ଫ୍ରୀରେ ମାସ୍କ ବାଣ୍ଟିବାକୁ ମୁଁ ସରକାରଙ୍କୁ ନିବେଦନ କରୁଛି।
ଦେଖିବାକୁ ଗଲେ ସାରା ଦେଶରେ ଏବେ ୮୫ଟି ମାମଲା ସାମ୍ନାକୁ ଆସିଛି। ସେମାନଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ୧୦ ଜଣ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି।
