ରାଜସ୍ଥାନ: ରାଜସ୍ଥାନ ସରକାରରେ ଫାଟ । କୋଟା ହସ୍ପିଟାଲରେ ନିରିହ ଶିଶୁଙ୍କ ମୃତ୍ୟୁ 34 ଦିନରେ 107କୁ ବୃଦ୍ଧି ପାଇଛି । ଏନେଇ ଉପ ମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ ସିଧା ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କୁ । ସଚିନ୍ ତାଗିଦ୍ କରି ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ ଦାୟିତ୍ୱରୁ ଆମକୁ ପଛକୁ ହଟିବାର ନାହିଁ । ଆମର ଦାୟିତ୍ୱକୁ ଆମକୁ ତୁଲାଇବାକୁ ପଡିବ ବୋଲି ସିଧା ସିଧା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କୁ ଟାର୍ଗେଟ କରି କହିଛନ୍ତି ସଚିନ୍ । ସେ ଆହୁରି ମଧ୍ୟ କହିଛନ୍ତି ପୂର୍ବ ସରକାରରେ କଣ ହୋଇଥିଲା ସେଥିରେ ଚର୍ଚ୍ଚା କରିବାର କୌଣସି ଆବଶ୍ୟକତା ନାହିଁ । ବସୁନ୍ଧରାଙ୍କୁ ଜନତା ହରାଇଲା କିନ୍ତୁ ଏବେ ଦାୟିତ୍ୱ ଆମର ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ । ତେବେ ସଚିନ୍ ଆଜି କୋଟା ଯାଇ କିଛି ମୃତ ଶିଶୁଙ୍କ ପରିବାରଙ୍କୁ ଭେଟି ଥିଲେ । ଏସମ୍ପର୍କରେ ପଚରାଉଚରା ସହ ପରିବାରଙ୍କୁ ସାନ୍ତ୍ୱନା ଦେଇଥିଲେ ।
ଏଠି କହି ରଖୁଛୁ ଯେ ରାଜସ୍ଥାନ କୋଟାର ଜେକେଲୋନ ସରକାରୀ ହସ୍ପିଟାଲରେ ନିରିହ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଯାହା ଏବେ ସାରା ଦେଶରେ ଚିନ୍ତାର ବିଷୟ ପାଲଟିଛି । ତେବେ ଏପର୍ଯ୍ୟନ୍ତ 107 ଶିଶୁଙ୍କ ମୃତ୍ୟୁ ଘଟିସାରିଛି । କୋଟା ପରେ ଏବେ ବୁନ୍ଦିରେ ମଧ୍ୟ ଏହି ସଂକ୍ରମଣ ବ୍ୟାପିଛି । ଯାହାଦ୍ୱାରା 10 ଶିଶୁଙ୍କ ମୃତ ଘଟିଛି । ଅତିରିକ୍ତ ଜିଲ୍ଲାପାଳ ଶୁକ୍ରବାର ହସ୍ପିଟାଲ ପରିଦର୍ଶନ କରି ଏଠାକାର ସ୍ଥିତି ସଂପର୍କରେ ଅବଗତ ହେବା ପରେ ଘଟଣା ସାମ୍ନାକୁ ଆସିଛି ।
ଏହି ମାମଲାରେ ଗଠିତ ଯାଞ୍ଚ ସମିତିର କହିବାନୁଯାୟୀ ହସ୍ପିଟାଲରେ ବିଭିନ୍ନ ଉପକରଣର ଅଭାବ ଓ ବ୍ୟବସ୍ଥାରେ ବହୁ ଅବହେଳା ଯୋଗୁ ଶିଶୁଙ୍କ ମୃତ୍ୟୁ ଘଟୁଛି । ତେବେ ନିରିହ ଶିଶୁଙ୍କର ମୃତ୍ୟୁର ମୁଖ୍ୟ କାରଣ ହେଉଛି ହାଇପୋଥର୍ମିଆ ବୋଲି ସମିତି ଦର୍ଶାଇଛି । ତେବେ ସତ୍ୟାସତ୍ୟ ହେଉଛି ଯେ ଶିଶୁଙ୍କୁ ବଞ୍ଚାଇବା ପାଇଁ ହସ୍ପିଟାଲରେ ଆବଶ୍ୟକ ଉପକରଣ ସବୁ ଖରାପ୍ ହୋଇ ପଡିଛି । ଯାହାଦ୍ୱାର ନିରିହ ଶିଶୁ ପ୍ରାଣ ହରାଉଛନ୍ତି । କୋଟା ହସ୍ପିଟାଲରେ 34 ଦିନ ମଧ୍ୟରେ 107 ଶିଶୁଙ୍କ ମୃତ୍ୟୁ ଘସାରିଛି ।
କେନ୍ଦ୍ରୀୟ ଅଧିକାରୀଙ୍କ ଏକ ଟିମ୍ ଜେକେଲୋନ୍ ହସ୍ପିଟାଲରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ବିଶେଷଜ୍ଞର ଟିମ୍ ରାଜ୍ୟ ସରକାରଙ୍କ ସହ ମିଶି କୋଟା ମେଡିକାଲ କଲେଜର ମାତୃ, ନବଜାତ ଶିଶୁ ଓ ବାଲ ଚିକିତ୍ସା ବିଭାଗକୁ ସମୀକ୍ଷା କରିବେ ।
