ଏହାକୁ ନେଇ ବିଜେପି କଡା ପ୍ରତିକ୍ରିୟା ପ୍ରକାଶ କରି ଏହାର ପାଲଟା ଜବାବ ଦେଇଛି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଅଧିନମ ଦ୍ୱାରା ସେଙ୍ଗୋଲ ଅର୍ଥାତ ଧର୍ମ ଦଣ୍ଡ ପ୍ରଦାନ କରାଯାଇଥିବା ସତ୍ୱେ ଏହି ଧର୍ମ ଦଣ୍ଡକୁ ସଂଗ୍ରହାଳୟରେ ତାଙ୍କର ବାଡି ବୋଲି ପ୍ରଦର୍ଶିତ କରାଯାଇଥିବା ନେଇ ବିବାଦ ପରେ କଂଗ୍ରେସ ପକ୍ଷରୁ ଏକ ଟ୍ୱିଟ କରା ଯାଇଛି । ଏହି ଟ୍ୱିଟରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ କେହି ଯେତେ ଚେଷ୍ଚା କଲେ ସୁଦ୍ଧା କେହି ହେଲେ ଜବାହରଲାଲ ନେହେରୁଙ୍କ ସମକକ୍ଷ ହୋଇ ପାରିବେ ନାହିଁ । ଜବାହର ଲାଲ ନେହେରୁଙ୍କ ସାମନାରେ ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବାମନ ବୋଲି ଫଟୋରେ ଦର୍ଶାଯାଇଛି ।
ତେବେ ବିଜେପି ପକ୍ଷରୁ ଏହାର କଡା ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାର ଉତ୍ତରରେ ବିଜେପି ପକ୍ଷରୁ ଟ୍ୱିଟରରେ ଏକ ସ୍କେଚ ଜାରୀ କରି ସେଥିରେ କ୍ୟାମେରା ସାମନାରେ ପଣ୍ଡିତ ନେହେରୁ ଓ କ୍ୟାମେରା ବାହାରେ ଏକଦମ ସୁକ୍ଷ୍ମ ଭାବେ ଦର୍ଶା ଯାଇଛି । ଏହି ସ୍କେଚକୁ ବିଜେପି ଅଫିସିଆଲ ମିଡିଆ ହ୍ୟାଣ୍ଡେଲ ଦ୍ୱାରା ଜାରୀ କରାଯାଇ କୁହାଯାଇଛି ଯେ ଏହା ହେଉଛି ନେହେରୁଙ୍କର ବାସ୍ତବିକତା ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ବର୍ତମାନ ସମୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ଐତିହାସିକ ସେଙ୍ଗୋଲ ଅଥବା ଧର୍ମ ଦଣ୍ଡକୁ ନୂଆ ସଂସଦ ଭବନରେ ସ୍ଥାପିତ କରାଯିବାକୁ ନେଇ ବିବାଦ ଦେଖା ଦେଇଛି । ଦେଶର ସ୍ୱାଧୀନତା ସମୟରେ ସତ୍ତା ହସ୍ତାନ୍ତରଣ ସମୟରେ ଏହି ଧର୍ମ ଦଣ୍ଡ ଅର୍ଥାତ ସେଙ୍ଗୋଲକୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁଙ୍କୁ ପ୍ରଦାନ କରାଯାଇଥିଲା ।
ନୂଆ ସଂସଦ ଭବନର ସମର୍ପଣ କାର୍ଯ୍ୟକ୍ରମକୁ କଂଗ୍ରେସ ସମେତ ବିଭି୍ନ୍ନ ବିରୋଧୀ ଦଳ ବହିଷ୍କାର କରିଥିଲେ । ସେମାନେ ଏହାର ଲୋକାର୍ପଣ କାହିଁକି ରାଷ୍ଟ୍ରପତିଙ୍କ ଦ୍ୱାରା କରା ଯାଉ ନାହିଁ ବୋଲି ପ୍ରଶ୍ନ କରିଥି୍ଲେ। ତେବେ ଏହି ପ୍ରସଙ୍ଗରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ କଂଗ୍ରେସ ଦଳରୁ ଆଇନା ଦେଖାଇ ସାରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ଯେ 1975 ମସିହାରେ ଯେତେବେଳେ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ସଂସଦ ଭବନର ଆନେକ୍ସି ବିଲ୍ଡିଂର ଲୋକାର୍ପଣ ହୋଇଥିଲା । ସେତେବେଳେ ଏହାର ଉଦଘାଟନ ସ୍ୱୟଂ ଇନ୍ଦିରା ଗାନ୍ଧୀ କରିଥିଲେ । ହରଦୀପ ସିଂହ ପୁରୀ ପ୍ରଶ୍ନ କରିଥିଲେ ଯେ ସେତେବେଳେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ସଂସଦ ଭବନର ଆନେକ୍ସି ବିଲ୍ଡିଂକୁ ଲୋକାର୍ପଣ କାହିଁକି କରାଯାଇ ନ ଥିଲା ।
ହରଦୀପ ସିଂହ ପୁରୀ ସେତିକିରେ ଅଟକି ଯାଇ ନ ଥିଲେ । ସେ ଇତିହାସର ଆଉ ଏକ ଘଟଣାକୁ ନେଇ ମଧ୍ୟ କଂଗ୍ରେସକୁ ଆଇନା ଦେଖାଇଥିଲେ । ହରଦୀପ ସିଂହ ପୁରୀ କହିଥିଲେ ଯେ 1987 ମସିହାରେ ସଂସଦର ନୂଆ ଲାଇବ୍ରେରୀର ଲୋକାର୍ପଣ ହୋଇଥିଲା । ସେତେବେଳେ ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିଲୋ । ସଂସଦର ନୂଆ ଲାଇବ୍ରେରୀ ଭବନର ଲୋକାର୍ପଣ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କରିଥିଲେ । ସେତେବେଳେ ମଧ୍ୟ କଂଗ୍ରେସ ଦଳ ରାଷ୍ଟ୍ରପତିଙ୍କ ଦ୍ୱାରା ଏହାର ଉଦଘାଟନ କରାଇ ନଥିଲା ।
ଅଧିକ ପଢନ୍ତୁ ଭାରତ ଖବର