ଅର୍ଗସ ବ୍ୟୁରୋ : କଂଗ୍ରେସରେ ଯୁବନେତା ୟୁଜ ଆଣ୍ଡ ଥ୍ରୋ । ରାହୁଲ ଓ ପ୍ରିୟଙ୍କା ଙ୍କ ଭବିଷ୍ୟତ ଉଦ୍ଧାର ଯଜ୍ଞରେ ବଳି ପଡ଼ୁଛନ୍ତି କଂଗ୍ରେସର ଯୁବନେତା । ନିର୍ବାଚନରେ ଭୋଟ୍ ପାଇବା ପାଇଁ କଂଗ୍ରେସ ଯୁବ ଚେହେରା ବ୍ୟବହାର କରେ । ସେମାନେ ଲୋକପ୍ରିୟ ହେବା ମାତ୍ରେ କଂଗ୍ରେସ ସେମାନଙ୍କ ପକ୍ଷ ଛେଦନ କରି ଫିଙ୍ଗି ଦେଇଥାଏ | ଆନ୍ଧ୍ରର ଜଗନ୍ ମୋହନ ରେଡ୍ଡୀ, ମଧ୍ୟ ପ୍ରଦେଶର ଜ୍ୟୋତିରାଦିତ୍ୟ ସିନ୍ଧିଆ , ରାଜସ୍ଥାନର ସଚିନ୍ ପାଇଲଟ୍ କିମ୍ବା ଉତ୍ତରାଖଣ୍ଡର ପ୍ରୀତମ ସିଂ ସମସ୍ତଙ୍କ କ୍ଷେତ୍ରରେ ଏହାହିଁ ଘଟିଛି । ଓଡ଼ିଶାରେ ପୂର୍ବତନ ପିସିସି ଅଧ୍ୟକ୍ଷ ପ୍ରସାଦ ହରିଚନ୍ଦନ ଏବେ କଣଠେସା, ପ୍ରଦୀପ ମାଝୀ ବିତସ୍ପୃହ ହୋଇ ବିଜେଡି କୁ ଡିଆଁ ମାରି ସାରିଛନ୍ତି।
କଂଗ୍ରେସ ହାଇକମାଣ୍ଡ ୪୫ ବର୍ଷ ବୟସ୍କ ଅମରିନ୍ଦର ସିଂ ବରାଡ଼ଙ୍କୁ ପଞ୍ଜାବ କଂଗ୍ରେସର ସଭାପତି କରିଛି । ଓଡ଼ିଶାରେ ଜଣେ ଯୁବନେତାଙ୍କୁ ପି ସି ସି ଅଧ୍ୟକ୍ଷ କରିବା କଥା ଶୁଣା ଯାଉଛି। କିନ୍ତୁ କଂଗ୍ରେସ ଦଳର ଇତିହାସ କହୁଛି ଯୁବନେତା ମାନଙ୍କ ଉନ୍ନତିକୁ ସହି ପାରନ୍ତିନି କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀ । କଂଗ୍ରେସରେ ରାହୁଲ ଓ ପ୍ରିୟଙ୍କାଙ୍କ ରାଜନୈତିକ ପ୍ରତିଦ୍ଵନ୍ଦୀ ଭାବେ ଉପରକୁ ଉଠିବାକୁ କୌଣସି ଯୁବନେତାଙ୍କୁ ସୁଯୋଗ ଦିଆଯାଏ ନାହିଁ ।
ସେପ୍ଟେମ୍ବର ୨୦୦୯ ରେ ଆନ୍ଧ୍ରପ୍ରଦେଶର କଂଗ୍ରେସ ମୁଖ୍ୟମନ୍ତ୍ରୀ YSR ରେଡ୍ଡୀଙ୍କ ଦେହାନ୍ତ ପରେ ଅଧିକାଂଶ କଂଗ୍ରେସ ବିଧାୟକ ତାଙ୍କ ପୁଅ ଜଗନ୍ ମୋହନ ରେଡ୍ଡୀଙ୍କୁ ସିଏମ୍ କରିବାକୁ ଦାବି କରିଥିଲେ। ଏହି ଦାବିକୁ ମାନି ନଥିଲେ କଂଗ୍ରେସ ହାଇକମାଣ୍ଡ। ଜଗନ କଂଗ୍ରେସ ଛାଡି YSR କଂଗ୍ରେସ ଦଳ ତିଆରି କଲେ । ୨୦୧୯ ରେ ହେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ଆନ୍ଧ୍ରରେ କଂଗ୍ରେସ ନିଜ ଭିଟା ମାଟି ହରାଇଲା
୨୦୧୮ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶରେ କଂଗ୍ରେସର ବିଜୟ ସମ୍ଭବ ହୋଇଥିଲା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପାଇଁ । କିନ୍ତୁ ନେହରୁ-ଗାନ୍ଧୀ ପରିବାରର ଖାସମ ଖାସ କମଲନାଥ ମୁଖ୍ୟମନ୍ତ୍ରୀ ପଦ ହାତେଇଥିଲେ। ଜ୍ୟୋତିରାଦିତ୍ୟ ଏବଂ ତାଙ୍କ ସମର୍ଥକ ବିଧାୟକମାନେ କଂଗ୍ରେସରେ ଅବହେଳିତ ହୋଇଥିଲେ। ଜ୍ୟୋତିରାଦିତ୍ୟ ଓ ତାଙ୍କର ସମର୍ଥକ ବିଧାୟକ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଲେ। ମଧ୍ୟପ୍ରଦେଶରେ କମଲନାଥଙ୍କ ସରକାର ପତନ ସହ ବିଜେପି ପୂନର୍ବାର ଶାସନକୁ ଫେରିଥିଲା ।
ଯୁବନେତା ସଚିନ ପାଇଲଟଙ୍କ ନେତୃତ୍ୱ ଓ ପ୍ରଚେଷ୍ଟାରେ ରାଜସ୍ଥାନରେ କଂଗ୍ରେସ ସରକାର କ୍ଷମତାକୁ ଆସିଲା। କିନ୍ତୁ କଂଗ୍ରେସ ହାଇକମାଣ୍ଡ ପାଇଲଟଙ୍କୁ ଧୋକା ଦେଇ ମୁଖ୍ୟମନ୍ତ୍ରୀ ଭାବେ ଅଶୋକ ଗେହଲଟଙ୍କୁ ବାଛିଲେ । ପାଇଲଟଙ୍କ ସହଯୋଗ ନପାଇ ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ରାଜ୍ୟର ସମସ୍ତ ୨୫ ଟି ଆସନରେ ହାରିଲା । ପାଇଲଟ ଏବେବି କଂଗ୍ରେସ ଦଳରେ ଉଚିତ ମର୍ୟାଦା ପାଇ ନାହାନ୍ତି । ଗେହଲୋଟ୍-ପାଇଲଟ୍ ବିବାଦ ମଝିରେ ମଝିରେ ଜଯପୁରରୁ ଦିଲ୍ଲୀ ଡିଆଁ ମାରୁଛି।
ଉତ୍ତରାଖଣ୍ଡରେ ୨୦୧୭ ରେ ହରିଶ ରାୱତଙ୍କ କଂଗ୍ରେସ ସରକାର ପରାସ୍ତ ହେଲା ପରେ ଯୁବନେତା ପ୍ରୀତମ ସିଂ ଙ୍କୁ ପିସିସି ମୁଖ୍ୟ କରାଯାଇଥିଲା । କଂଗ୍ରେସର ସ୍ଥିତି ଟିକେ ସୁଦୃଢ ହେବା ମାତ୍ରେ ପ୍ରୀତମଙ୍କୁ ପିସିସି ମୁଖ୍ୟ ପଦରୁ ହଟାଇ ଦିଆଗଲା । ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସର କ୍ରମାଗତ ଦ୍ୱିତୀୟ ପରାଜୟର ଏହାଥିଲା ଏକ ମୁଖ୍ୟ କାରଣ ।
ଏଯାବତ ସବୁ କ୍ଷେତ୍ରରେ ବିଫଳ ହୋଇଥିବା ରାହୁଲ ଗାନ୍ଧୀ ହିଁ କଂଗ୍ରେସର ଯୁବ ରୋଲ ମଡ଼େଲ । ରାହୁଲ ଗାନ୍ଧୀଙ୍କ ଇମେଜକୁ ବଡ କରି ରଖିବା ପାଇଁ ଦଳରେ କୌଣସି ଯୁବନେତାଙ୍କୁ ଆଗକୁ ବଢିବାକୁ ଦିଅ ଯାଉ ନାହିଁ ଯୁବନେତା ସବୁବେଳେ ଆଗକୁ ବଢିବାର ସୁଯୋଗ ଖୋଜିବେ । ଏହାକୁ କେବେବି ସହି ପାରିବେନି ସୋନିଆ ଓ ତାଙ୍କ ପୁଅ ଝିଅ। । ରାହୁଲ ଓ ପ୍ରିୟଙ୍କାଙ୍କ ଭବିଷ୍ୟତ ଉଦ୍ଧାର ଯଜ୍ଞରେ ଯୁବନେତାଙ୍କୁ ବଳି ପକାଇବା ଚାଲିଥିବ କଂଗ୍ରେସ ଦଳରେ ।
ଆହୁରି ଅଧିକ ରାଜନୈତିକ ଖବର ପଢ଼ନ୍ତୁ...