ଏବେ ଏହି ମାମଲାରେ ପୋଲିସ ସହିତ ଏଟିଏସ, ଆଇବି, ମିଲିଟାରୀ ଇଂଟେଲିଜେନ୍ସ ସମେତ ଅନ୍ୟ ଜାଂଚ ଏଜେନ୍ସୀ ମାନେ ମଧ୍ୟ କାମ କରିବା ଆରମ୍ଭ କରି ଦେଇଛନ୍ତି। ଏହି ଘଟଣା ହେଉଛି କାନପୁରର ଶ୍ୟାମନଗର ଅଂଚଳ । ଏଠାରେ ଥିବା ଏକ ଫ୍ଲାଟରେ ଧର୍ମାନ୍ତରୀକରଣ ପ୍ରୟାସ ହେଉଥିବା ସମ୍ପର୍କରେ ସ୍ଥାନୀୟ ଲୋକ ମାନେ ପୋଲିସରେ ଅଭିଯୋଗ କରିଥିଲେ । ସେମାନେ ପୋଲିସରେ ଯାଇ କହିଥିଲେ ଯେ ଉକ୍ତ ଫ୍ଲାଟରୁ ଧର୍ମାନ୍ତରୀକରଣ କାର୍ଯ ହେଉଛି । ସ୍ଥାନୀୟ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦର କାର୍ଯକର୍ତା ମାନେ ମଧ୍ୟ ଉକ୍ତ ଫ୍ଲାଟରେ ପହଂଚିଥିଲେ । ସେଠାରେ ସେମାନେ 50ରୁ ଅଧିକ ପୁରୁଷ ଓ ମହିଳା ମାନଙ୍କୁ ପାଇଥିଲେ ।
ବିଶ୍ୱ ହିନ୍ଦୁ ପରିଷଦର ସ୍ଥାନୀୟ ଉପ ସଭାପତି ଆନନ୍ଦ ସିଂହ କହିଛନ୍ତି ଯେ ଏହି ଲୋକ ମାନଙ୍କୁ ଖ୍ରୀଷ୍ଟିଆନ ମିଶନାରୀ ମାନେ ଫ୍ଲାଟରେ ବ୍ରେନ ୱାସ କରୁଥିଲେ । ସେମାନଙ୍କୁ ଖ୍ରିଷ୍ଟିଆନ ଲିଟରେଚର ପ୍ରଦାନ କରୁଥିଲେ । ପୋଲିସକୁ ଏହି ମାମଲାରେ ସୂଚନା ମିଳିବା ପରେ ଫୋର୍ସ ଧରି ପୋଲିସ ସେଠାରେ ପହଂଚିଥିଲା ଓ ୱଦୁଇ ଜଣଙ୍କୁ ଗିରଫ କରିଥିଲା । ଗିରଫ ହୋଇଥିବା ଜଣେ ବ୍ୟକ୍ତି ନିଜକୁ ଉତରାଖଣ୍ଡର ଚମୋଲିର ବୋଲି କହିଥିବା ବେଳେ ଅନ୍ୟ ଜଣେ ନିଜକୁ ଥାର୍ଡ ଜେନେରେସନ ଖ୍ରିଷ୍ଟିଆନ ବୋଲି କହିଥିଲା ।
ପୋଲିସ ସେମାନଙ୍କ ନିକଟରୁ ଲାପଟପ, କଂପ୍ୟୁଟର ଓ ଅନ୍ୟ ଧର୍ମାନ୍ତରୀକରଣ ସାମଗ୍ରୀ ଜବତ କରିଛି । ଏଭଳି ଚାରି ଜଣ ଲୋକଙ୍କର ପୋଲିସ ସନ୍ଧାନ କରିଛି ଯେଉଁ ମାନଙ୍କୁ ଅର୍ଥ ପ୍ରଦାନ କରି ଧର୍ମାନ୍ତରୀକରଣ କରିବାକୁ ରାଜି କରି ନିଆଯାଇଥିଲା । ପୋଲିସ ଏବେ ଏମାନଙ୍କର ଫଣ୍ଡିଂର କନେକ୍ସନ ଖୋଜିବାରେ ଲାଗିଛି । ପୋଲିସର କହିବା ଅନୁସାରେ ସେଠାରୁ ମିଳିଥିବା କାଗଜପତ୍ରରେ ତାଇୱାନର ଭାଷାରେ ଲେଖା ଯାଇଛି ।
ଜଏଂଟ ପୋଲିସ କମିଶନର ଆନନ୍ଦ ଦେବ ତିୱାରୀ କହିଛନ୍ତି ଯେ ଏହି ଫ୍ଲାଟରେ ଧର୍ମପରିବର୍ତନର କାମ ଚାଲିଥିଲା । ଲୋକମାନଙ୍କୁ ଭଲ ଚାକିରୀ ଓ ଭଲ ଜୀବନର ଲୋଭ ଦେଖାଇ ଧର୍ମାନ୍ତରୀକରଣ କରାଯାଉଥିଲା । ଏହି ମାମଲାରେ ଯେଉଁ କାଗଜପତ୍ର ମିଳିଛି ତାହାର ଅଧିକ ଜାଂଚ କରାଇବାର ଆବଶ୍ୟକତା ଅନୁଭବ ହେଉଛିବୋଲି ସେ କହିଛନ୍ତି । ଏହି ଲୋକ ମାନଙ୍କୁ କୌଣସି ଏନଜିଓ ଦ୍ୱାରା ଅର୍ଥ ମିଳୁଥିବା ଅନୁମାନ କରାଯାଉଛି । ତେଣୁ ପୋଲିସ ଏହି ମାମଲାରେ ଅଧିକ ଜାଂଚ ଜାରୀ ରଖିଛି ।