କୋଲକାତା: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପରିବାରରେ କରୋନା । ବେଙ୍ଗଲ କ୍ରିକେଟ ଆସୋସିଏସନର ସଚିବ ସ୍ନେହାସିଷ ଗାଙ୍ଗୁଲିଙ୍କ ପତ୍ନୀ କୋଭିଡ-19 ପଜିଟିଭ୍ ଥିବା ଜଣାପଡ଼ିଛି । ସ୍ନେହାସିଷ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବଡ଼ଭାଇ । ପୂର୍ବ ସପ୍ତାହରେ ସ୍ନେହାସିଷଙ୍କ ଶାଶୁ, ଶ୍ୱଶୁର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ବ୍ୟତୀତ ମୋମିନପୁର ସ୍ଥିତ ବାସଭବନର ଜଣେ ଚାକର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୂର୍ବତନ ରଣଜୀ ପ୍ଲେୟର ସ୍ନେହାସିଷଙ୍କ ସାମ୍ପଲ ନେଗେଟିଭ୍ ଆସିଥିବା ବେଳେ ତାଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି । ଗାଙ୍ଗୁଲିଙ୍କ ପରିବାରର ଏହି 4 ସଦସ୍ୟଙ୍କ ଠାରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥିଲା । ଏପରିକି ସେମାନଙ୍କ ଠାରେ କରୋନା ଲକ୍ଷଣ ପରିଲକ୍ଷିତ ହୋଇଥିଲେ । ଏମାନେ ଗାଙ୍ଗୁଲିଙ୍କ ପୈତୃକ ବାସଭବନ ନୁହେଁ ବରଂ ଅନ୍ୟତ୍ର ଏକ ଘରେ ରହୁଥିଲେ ।
ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କୁ ପ୍ରାଇଭେଟ୍ ନର୍ସିଂହୋମରେ ଭର୍ତ୍ତି କରାଯାଇଛି । ଆଜି ପୁଣିଥରେ ସେମାନଙ୍କ ସାମ୍ପଲ ଟେଷ୍ଟ ହେବା ନେଇ ସୂଚନା ମିଳିଛି । ସେମାନଙ୍କୁ ଡିସ୍ଚାର୍ଗ କରାଯିବ କି ନାହିଁ ରିପୋର୍ଟ ଆସିଲ ଜଣାପଡ଼ିବ । କିନ୍ତୁ ଏନେଇ ସୌରଭ ଗାଙ୍ଗୁଲି କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
