ତେବେ ହସ୍ପିଟାଲାଇଜେସନ ରେଟ୍ କମ୍ ଥିବାରୁ ଚିନ୍ତାର ବେଶୀ କିଛି କାରଣ ନାହିଁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ପୂର୍ବ ଲହରଗୁଡ଼ିକ ପରି କୋରୋନା ଆକ୍ରାନ୍ତଙ୍କ ଠାରେ ଜ୍ବର, ଥଣ୍ଡା, କାଶ ପରି ଲକ୍ଷଣ ତ ଦେଖାଯାଉଛି । ଏହା ବ୍ୟତୀତ ବିଭିନ୍ନ ପାକସ୍ଥଳୀଜନିତ ସମସ୍ୟା ଯେମିତି କି ପେଟ କାମୁଡ଼ିବା, ଝାଡ଼ା, ବାନ୍ତି ପରି ମଧ୍ୟ ଲକ୍ଷଣ ଦେଖାଯାଉଛି । କୋଭିଡର ବର୍ଦ୍ଧିତ ପ୍ରଭାବକୁ ଦେଖି ସତର୍କ ହୋଇଛି DGCA । ବିମାନରେ ମାସ୍କ ପିନ୍ଧିବାକୁ ମନା କଲେ ଯାତ୍ରୀଙ୍କୁ ତୁରନ୍ତ ଓହ୍ଲାଇ ଦେବା ପାଇଁ DGCA ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଏପଟେ ଆମ ରାଜ୍ୟରେ ଦେଖିବାକୁ ମିଳିଛି କରୋନା ପ୍ରକୋପ । କଟକ ବମ୍ଫକୁଦ ଠାରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ଛାତ୍ରାବାସରେ ୧୩ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କିଛି ପିଲାଙ୍କୁ ଜ୍ବର ଓ ଥଣ୍ଡା ହୋଇଥିବାରୁ ୪୫ ଜଣଙ୍କର ଟେଷ୍ଟିଂ ହୋଇଥିଲା । ସେଥିମଧ୍ୟରୁ ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି ଆଉ ୪୫ ଜଣଙ୍କର ଆରଟିପିସିଆର ଟେଷ୍ଟ କରାଯାଇଛି ।
ଗତକାଲି ରାଜ୍ୟରେ ୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୩ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ତେବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ସତର୍କ ରହିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଦେଶରେ କାୟା ମେଲାଇବାରେ ଲାଗିଛି ସଂକ୍ରମଣ । ଏବେ ସମୟ ସଜାଗ ଓ ସତର୍କ ହେବାର । ନେହେଲେ ଆଉ ଏକ ଲହର ଆସିବା ନିଶ୍ଚିତ ।