ନୂଆଦିଲ୍ଲୀ: ଭୟଙ୍କର ହେଉଛି କୋରୋନା ଭାଇରସ୍ । କ୍ଷୀପ୍ର ବେଗରେ ମାଡ଼ିବାରେ ଲାଗିଛି କୋରୋନା । ଚୀନ୍ରୁ ଜନ୍ମ ନେଇଥିବା ଏହି କୋରୋନା ଭାଇରସ୍ ଏବେ ସାରା ବିଶ୍ୱକୁ ଡରାଇଲାଣି । ଚୀନ୍ ସମେତ ଏହି ଭାଇରସ୍ ଏବେ ବିଶ୍ୱର ପ୍ରାୟ 27ଟି ଦେଶକୁ ବ୍ୟାପିଲାଣି । ଏବେ ସୁଦ୍ଧା ଚୀନ୍ରେ କୋରୋନା ଆକ୍ରାନ୍ତରେ ପ୍ରାୟ 560 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଚୀନ୍ରେ ଲୋକମାନେ ଏଣେତେଣେ ମରିପଡ଼ିଥିବା ଦେଖାଯାଉଛି । ପ୍ରତ୍ୟେକ ମୁହୁର୍ତ୍ତରେ ଚୀନ୍ର ଲୋକମାନେ ଏହି ଭାଇରସ୍ରେ ଆକ୍ରାନ୍ତ ହୋଇ ମେଡିକାଲରେ ଭର୍ତ୍ତି ହେଉଛନ୍ତି । ଏମିତିକି ଆକ୍ରାନ୍ତଙ୍କ ସଂଖ୍ୟା ଏତେ ଅଧିକ ଯେ, ଡାକ୍ତରଖାନାରେ ଲୋକଙ୍କ ଚିକିତ୍ସା ପାଇଁ ବେଡ୍ ଉପଲବ୍ଧ ନଥିବାରୁ ରୋଗୀମାନେ ଡାକ୍ତରଖାନା ବାରଣ୍ଡାରେ ପଡ଼ି ଚିକିତ୍ସିତ ହେଉଛନ୍ତି ।
ଏପର୍ଯ୍ୟନ୍ତ ୨୮ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏଥିରୁ ହୁବେଇ ରାଜ୍ୟରେ କେବଳ ବୁଧବାର ୭୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ହଜାର ୯୮୭ ଜଣ ନୂତନ ଭାବେ ଆକ୍ରାନ୍ତର ଶିକାର ହୋଇଛନ୍ତି । ହୁବେଇରେ ମୋଟ ୧୯ ହଜାର ୬୬୫ ଜଣ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଉହାନ ସହରରେ କରୋନା ଭାଇରସକୁ ନେଇ ଲୋକଙ୍କ ସମେତ ସରକାର ବି ଚିନ୍ତିତ ଅଛନ୍ତି । ଜାପାନରେ ୪୫ ଜଣ ଲୋକ କରୋନା ଭାଇରସ ସଂକ୍ରମଣର ଶିକାର ହୋଇସାରିଲେଣି ।
କରୋନା ଭୟରେ ବ୍ରିଟିଶ ସରକାର ନିଜ ଦେଶର ଲୋକଙ୍କୁ ଚୀନରୁ ଫେରିଆସିବା ପାଇଁ ପରାମର୍ଶ ଦେଇଛିଛି । ଅଷ୍ଟ୍ରେଲିଆରେ ଏପର୍ଯ୍ୟନ୍ତ ୧୩ ଜଣଙ୍କୁ କରୋନା ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଉହାନ ସହରରୁ ୧୯୩ ଜଣ ବଦେଶୀଙ୍କୁ ଉଦ୍ଧାର କରିଛି । ଏଥିରେ ୧୦୦ ଜଣ ନ୍ୟୁଜିଲାଣ୍ଡ ନିବାସୀ ଥିଲାବେଳେ ୨୩ ଜଣ ଅଷ୍ଟ୍ରେଲିଆ ଓ ୭୦ ଜଣ ପେସିଫିକ ଦେଶର ନାଗରିକ ବୋଲି ଜଣାପଡ଼ିଛି ।
