ଅର୍ଗସ ବ୍ୟୁରୋ: ନୋଭେଲ କୋରୋନା ଭାଇରସର ଚିକିତ୍ସା ପାଇଁ ବାହାରିଲା ଔଷଧ । ଫ୍ଲୁ ଓ ଏଚଆଇଭି ଔଷଧକୁ ମିଶାଇ କୋରୋନା ଭାଇରସ ସଂକ୍ରମିତ ରୋଗୀଙ୍କୁ ଦେଲେ, ମାତ୍ର 48 ଘଣ୍ଟା ମଧ୍ୟରେ ରୋଗୀ ଭଲ ହୋଇପାରୁଛି ବୋଲି ଥାଇଲାଣ୍ଡର ଡାକ୍ତର ଦାବି କରିଛନ୍ତି । ବ୍ୟାଙ୍କକରେ ଥିବା ରାଜାଭିଥି ହସପିଟାଲର ଏକ ବରିଷ୍ଠ ଡାକ୍ତରୀ ଟିମ ବିଭିନ୍ନ ବୟସର 19 ଜଣ କୋରୋନା ଭାଇରାସ ସଂକ୍ରମିତ ରୋଗୀଙ୍କୁ ପରୀକ୍ଷା ମୂଳକ ଭାବେ ଏହି ଔଷଧ ଦେଇଥିଲେ । ସେମାନଙ୍କ ମଧ୍ୟରେ ଜଣେ 70 ବର୍ଷର ବୃଦ୍ଧା ରହିଥିଲେ ।
ନୋଭେଲ କୋରୋନା ପଜେଟିଭ ଥିବା ଏହି ବୃଦ୍ଧା ଚୀନର ଉହାନ ସହରରୁ ସଂକ୍ରମିତ ହୋଇ ଆସିଥିଲେ । ତାଙ୍କୁ ଥାଇଲାଣ୍ଡର ଏକ ଡାକ୍ତରୀ ଦଳ ଫ୍ଲୁ ଔଷଧ ଓସେଲତାମିଭିର ସହ ଏଚଆଇଭି ଔଷଧ ଲୋପିନାଭିର ଓ ରିଟୋନାଭିର ମିଶାଇ ଖାଇବାକୁ ଦେବାର ମାତ୍ର 48 ଘଣ୍ଟା ପରେ ସେ ସୁସ୍ଥହୋଇଥିଲେ । ପରୀକ୍ଷାରୁ କୋରୋନା ଭାଇରସ ନେଗେଟିଭ ରିପୋର୍ଟ ଆସିଥିଲା । ଖାଲି ସେତିକି ନୁହେଁ, 19 ଜଣଙ୍କ ମଧ୍ୟରୁ 11 ଜଣ ରୋଗୀ କୋରୋନା ଭାଇରସ ମୁକ୍ତ ହୋଇଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।
ସେମାନଙ୍କର ରିପୋର୍ଟ କରୋନା ନେଗେଟିଭ ଆସିଛି । ବାକି 8 ଜଣ ଚିକିତ୍ସିତ ହେଉଛନ୍ତି । ତେବେ ରାଜାଭିଥି ହସପିଟାଲର ଡାକ୍ତର କ୍ରିଆଙ୍ଗସକ ଆଚିପୋରନୱାନିଚ୍ କହିଛନ୍ତି ଯେ 10 ଦିନ ଚିକିତ୍ସାରେ ରହିବା ପରେ ସେହି ଚୀନ ମହିଳାଙ୍କୁ ଏହି ତିନି ପ୍ରକାର ଔଷଧ ମିଶାଇ ଖାଇବାକୁ ଦିଆଯାଇଥିଲା । ଫ୍ଲୁ ସହ ଏଚଆଇଭି ଔଷଧ ମିଶାଇ ଦେବାର ମାତ୍ର 48 ଘଣ୍ଟା ମଧ୍ୟରେ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଥିଲେ ଏବଂ ତାଙ୍କଠାରେ କୋରୋନା ନେଗେଟିଭ ମଧ୍ୟ ବାହାରି ଥିଲା ।
ଏହି ନୂଆ ଚିକିତ୍ସା ପଦ୍ଧତି ସଂପର୍କରେ ଥାଇଲାଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ସଂପୃକ୍ତ ଡାକ୍ତରଙ୍କୁ ଭେଟି ଆଲୋଚନା କରିଥିଲେ । ଏହା ଉପରେ ଏବେ ମଧ୍ୟ ସେମାନେ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି ବୋଲି କହିଛନ୍ତି ଡାକ୍ତର ଆଚିପୋରନୱାନିଚ୍ । ଏବେ ଏହାକୁ ଅନ୍ୟଦେଶ ମଧ୍ୟ ଗ୍ରହଣ କରିଛନ୍ତି । ଚୀନ ସ୍ୱାସ୍ଥ୍ୟ ସଚିବ ମଧ୍ୟ ଏଚଆଇଭି ଔଷଧକୁ କରୋନା ଭାଇରସ ସଂକ୍ରମିତ ରୋଗୀଙ୍କୁ ଦେବା ପାଇଁ ସ୍ୱୀକୃତୀ ଦେଇଛନ୍ତି । ଆଣ୍ଟି ଏଚଆଇଭି ଡ୍ରଗ୍ସରେ କଣ ରହିଛି, ଯାହା କୋରୋନା ଭାଇରସକୁ ମାରି ପାରୁଛି, ତାକୁ ପରୀକ୍ଷା କରିବା ପାଇଁ ଚୀନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଉଦ୍ୟମ ଆରମ୍ଭ ହୋଇଛି ।
ସେହିପରି ହଙ୍ଗକଙ୍ଗର ବୈଜ୍ଞାନିକମାନେ ମଧ୍ୟ ଏହା ଉପରେ ଗବେଷଣା ଆରମ୍ଭ କରିଦେଇଛନ୍ତି । ଲୋପିନାଭିର ଓ ରିଟୋନାଭିରରେ କେଉଁପ୍ରକାର ପ୍ରତିଷେଧକ ବ୍ୟବସ୍ଥା ରହିଛି, ତା ଉପରେ ମଧ୍ୟ ଗବେଷଣା ଆରମ୍ଭ ହୋଇଯାଇଛି । ତେବେ ଇବୋଲା ଭୂତାଣୁକୁ ମାରିବା ପାଇଁ ଆବିଷ୍କାର ହୋଇଥିବା ରିମଦେସିଭିର ନାମକ ଔଷଧର ପ୍ରଭାବଶାଳୀ ପରୀକ୍ଷା ହୋଇପାରି ନାହିଁ । ମାତ୍ର ଏହାର ପ୍ରଭାବଶାଳୀ ପରୀକ୍ଷା କେତେଦୂର ହୋଇପାରୁଛି, ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ଔଷଧ ବାହାରିବା ପରେ ଚୀନ ସହ କରୋନା ଭାଇରସ ବ୍ୟାପୁଥିବା ଦେଶଗୁଡିକ ଟିକିଏ ଆଶ୍ୱସ୍ଥ ଅନୁଭବ କରିଛନ୍ତି ।
ସୁବର୍ଣ୍ଣପୁର: ମାହୁନ୍ତକୁ କଚାଡି ହାତୀ ଫେରାର । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଧନୁଯାତ୍ରାରେ ଅଘଟଣ । ଧନୁଯାତ୍ରାରେ ସାମିଲ ଥିବା ହାତୀ ମାହୁନ୍ତକୁ କଚାଡି ଫେରାର ମାରିଥିବା ସୂଚନା ରହିଛି । ତେବେ ମାହୁନ୍ତ ଜଣକ ସୁରକ୍ଷିତ ଥିବା ଜଣାପଡିଛି । ହାତୀଟି ଗାଁ ମୁହାଁ ହୋଇଥିବା ସୂଚନା ମିଳିଛି ।
ଆଜି ଧନୁଯାତ୍ରାର ଚତୁର୍ଥ ରଜନୀ । କଂସ ମହାରାଜକୁ ହାତୀ ନେଇଥିବାବେଳେ ହଠାତ୍ ହାତୀଟି ପଳାଇବାରେ ଲାଗିଥିଲା । ମାହୁନ୍ତ ଜଣକ ହାତୀକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥିଲେ ହେଁ ହାତୀ ଟି ନିୟନ୍ତ୍ରଣ ହରାଇ ମାହୁନ୍ତକୁ କଚାଡି ଦୌଡ଼ି ପଳେଇ ଥିଲା । ତେବେ ଅନ୍ଧାର ହୋଇଥିବାରୁ ହାତୀକୁ ଖୋଜିବାରେ ବାଧା ସୃଷ୍ଟି ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀର ସନ୍ଧାନ ମିଳି ପାରି ନାହିଁ । ଏବେ ସମସ୍ତେ ହାତୀଟିକୁ ଖୋଜିବାରେ ଲାଗିଥିବାବେଳେ ଯାତ୍ରା ମଧ୍ୟ ବାଧାପ୍ରାପ୍ତ ରହିଛି ।
ଆହୁରି ପଢନ୍ତୁ ଓଡିଶା ଖବର...