ତେବେ ସମସ୍ତଙ୍କ ନଜର ଉତ୍ତରପ୍ରଦେଶ ଉପରେ। ଏଠାରେ ମୋଦି-ଯୋଗୀ ଯୋଡିଙ୍କ ନୂଆ ଇତିହାସ ଉପରେ ରହିଛି ସମସ୍ତଙ୍କ ନଜର । ଉତ୍ତରପ୍ରଦେଶରେ ସକାଳ ୮ଟାରୁ ବାଲାଟ ଗଣନା ଆରମ୍ଭ ହେଉଥିବା ବେଳେ, ୮ଟା ୩୦ରୁ ଇଭିଏମ୍ ଭୋଟ୍ ଗଣନା କରାଯିବ। ରାଜ୍ୟର ସମସ୍ତ ଜିଲ୍ଲାରେ ଗଣତି କେନ୍ଦ୍ର କରାଯାଇଛି । ସେଠାରେ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ପୋଲିସ ସହ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ପ୍ରତି ଗଣତି କେନ୍ଦ୍ରକୁ ସିସି ଟିଭି ମାଧ୍ୟମରେ ମନିଟରିଂ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ଉତ୍ତରପ୍ରଦେଶର ଅତିରିକ୍ତ ରାଜ୍ୟ ନିର୍ବାଚନ ଅଧିକାରୀ। ସେପଟେ ବନାରସରେ ହୋଇଥିବା ହିଂସାକୁ ନେଇ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ଉତ୍ତରପ୍ରଦେଶ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ପରାଜୟ ଭୟରେ ଅଖିଳେଶ ହତାଶ ହୋଇପଡିଛନ୍ତି। ତେଣୁ ସେ ସାର୍ବଜନୀନରେ ଏଭଳି ଭାଷା ପ୍ରୟୋଗ କରୁଛନ୍ତି। ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ସେପଟେ ବୁଥ ବାହୁଡା ମତକୁ ନେଇ ବିରୋଧୀ ଛାନିଆ। ଏବେଠୁ ଆରମ୍ଭ ହୋଇଗଲାଣି ଇଭିଏମ ଟ୍ୟାମ୍ପରିଂର ଅଭିଯୋଗ। ଓଵିସିର ଚେହେରା କୁହାଯାଉଥିବା ଓ.ପି ରାଜବର କହିଛନ୍ତି, ରାଜ୍ୟରେ ସଠିକ ଭାବେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ପାଳନ କରାଯାଇନାହିଁ। ଯାହାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଯୋଗୀ ସରକାରଙ୍କ ମନ୍ତ୍ରୀ ମୋହସିନ ରାଜ୍ଜା। ସେ କହିଛନ୍ତି, ବିରୋଧୀ ଜାଣିଛନ୍ତି ରାଜ୍ୟରେ ନିର୍ବାଚନ ଫଳାଫଳ କଣ ହେବାକୁ ଯାଉଛି। ତେଣୁ ସେମାନେ ବର୍ତ୍ତମାନ ଠାରୁ ନୂଆ ବାହାନା ଦେଖାଉଛନ୍ତି।
ବୁଥ ବାହୁଡା ମତ ହିସାବରେ ଚଳିତ ଥର ପଞ୍ଜାବରେ ହେବ ପରିବର୍ତ୍ତନ। ରାଜ୍ୟବାସୀ ଲୋକମାନେ ଚଳିତ ଥର ହାତ ପରିବର୍ତ୍ତେ ଝାଡୁ ଉପରେ କରିଛନ୍ତି ବିଶ୍ଵାସ। ସେହିପରି ମଣିପୁରରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଥିବା ବେଳେ ଉତ୍ତରାଖଣ୍ଡରେ ସରକାର ଗଠନ କରିବ ବିଜେପି। ତେବେ ଏକଜିଟ ପୋଲ କେତେ ପରିମାଣରେ ଏକଜାଟ ପୋଲ ହେଉଛି ତାହା ଆସନ୍ତାକାଲି ହିଁ ଜଣାପଡ଼ିବ।
ଆସନ୍ତାକାଲିର ଭୋଟ ଗଣତି ଉପରେ ପୂରା ଦେଶବାସୀଙ୍କ ନଜର। କାରଣ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏହା ଅଗ୍ନିପରୀକ୍ଷା। ତେବେ ଏହି ଅଗ୍ନିପରୀକ୍ଷାରେ କିଏ ହେଉଛି ସଫଳ ତାହା ଉପରେ ସମସ୍ତଙ୍କ ନଜର ରହିଛି।