ଅଧିକ ପଢ଼ନ୍ତୁ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୦୧୬ ଆକ୍ରାନ୍ତ
ଦେଶରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କୁ କୋଭିଡ ପ୍ରୋଟକଲ ପାଳନ ସହ ସତେତନ ରହିବାକୁ ଅପିଲ୍ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ କିମ୍ବା ଅନ୍ୟ କୌଣସି ଔଷଧ ନଖାଇବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁନସୁଖ ମାଣ୍ଡଭୀୟ । ବିଶେଷଜ୍ଞଙ୍କ ମତାନୁସାରେ ଦେଶରେ ଏବେ କରୋନାର ନୂଆ ଭାରିଏଣ୍ଟ XBB.1.16 କାୟା ବିସ୍ତାର କରିବା ସହ ଇନଫ୍ଲୁଏଞ୍ଜା-A ଭାଇରସର ସବ୍ ଟାଇପ H3N2 ମଧ୍ୟ ଘାତକ ହେବାରେ ଲାଗିଛି ।
ରାଜଧାନୀ ଦିଲ୍ଲୀରେ ଗତବର୍ଷ ସେପ୍ଟେମ୍ବର ପରେ ପ୍ରଥମ ଥର ପାଇଁ ଦୈନିକ ଆକ୍ରାନ୍ତ ସଂଖ୍ୟା 3 ଶହ ଅତିକ୍ରମ କରିବା ସହ 2 ଜଣଙ୍କ ମୃତ୍ୟୁ ହୋଇଛି । ଏପଟେ ରାଜ୍ୟରେ କରୋନା ସ୍ଥିତି ଜଟିଳ ହୋଇନଥିଲେ ବି ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । କରୋନା ମୁକାବିଲା ପାଇଁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ରଖିବାକୁ ଚଳିତ ସପ୍ତାହରେ ନିର୍ଦ୍ଦେଶ ଜାରି କରିଥିଲେ କେନ୍ଦ୍ର ସରକାର ।
କେନ୍ଦ୍ର ନିର୍ଦ୍ଦେଶ ଅନୁସାରେ ହସପିଟାଲ ଗୁଡ଼ିକରେ ଅତିକମରେ 20ଟି ଲେଖାଏ ବେଡ ପ୍ରସ୍ତୁତ ରଖାଯାଇଛି । ସର୍ଭେଲାନ୍ସ, ଟ୍ରାକିଂ ଓ ଟେଷ୍ଟିଂକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଭାଇରସ କବଳରୁ ବର୍ତ୍ତିବାକୁ ଜରୁରୀ ସଚେତନତା ଓ ସାବଧାନତା । ଏବେଠାରୁ ଦେଶବାସୀ ସଚେତନ ନହେଲେ ପୁଣି ଦେଶରେ କରୋନା ଲହର ପରି ମହାବିପଦ ସୃଷ୍ଟି ହେବା ଆଶଙ୍କା ରହିଛି । ସ୍ଥିତି ଉପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନଜର ରଖିଛି ।