ନୂଆଦିଲ୍ଲୀ: ଦେଶରେ ବଢୁଥିବା କରୋନା ସଂକ୍ରମଣ ମାମଲା ସହ ପଞ୍ଜାବ ଏବଂ ଛତିଶଗଡରୁ ସାମ୍ନାକୁ ଆସିଥିବା ମୃତ୍ୟୁ ସଂଖ୍ୟା ଚିନ୍ତାର ବିଷୟ । ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ସୂଚନା ଦେଇଛନ୍ତି ।
ଏହାସହ ଦେଶର ସକ୍ରିୟ ମାମଲାର 58 ପ୍ରତିଶତ ମାମଲା କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି । ଏହାସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟାର 34 ପ୍ରତିଶତ କେବଳ ମହାରାଷ୍ଟ୍ରରୁ ରେକର୍ଡ ହୋଇଛି । ସେହିପରି ଛତିଶଗଡ କରୋନା ସ୍ଥିତି ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି ।
ଛୋଟ ରାଜ୍ୟ ସତ୍ତ୍ୱେ ଏଠାରେ ଦେଶର ସମୁଦାୟ ମାମଲାର 6 ପ୍ରତଶତି ଚିହ୍ନଟ ହୋଇଛି । ଦେଶରେ କୋରୋନା ମୃତ୍ୟ ସଂଖ୍ୟାରେ ବି 3 ପ୍ରତିଶତ ଏଠାରୁ ରହିଛି । ତେବେ ବର୍ତ୍ତମାନ ସମୟରେ ଦେଶର 10 ଜିଲ୍ଲାରେ କରୋନା ସ୍ଥିତି ସବୁଠାରୁ ଚିନ୍ତାଜନକ ରହିଛି ।
ଏଥିରେ ମହାରାଷ୍ଟ୍ରର 7, କର୍ଣ୍ଣାଟକର ଗୋଟିଏ, ଛତିଶଗଡର ଗୋଟିଏ ଏବଂ ଦିଲ୍ଲୀର ଗୋଟିଏ ଜିଲ୍ଲା ରହିଛି । ମହାରାଷ୍ଟ୍ରର ଉଦବେଗଜନକ ସ୍ଥିତିକୁ ନଜରରେ ରଖି ରାଜ୍ୟର 30ଟି ଜିଲ୍ଲା ପାଇଁ ସ୍ୱାସ୍ଥ୍ୟ ବିଭାଗର 50ଟି ଟିମ ନିୟୋଜିତ କରିଛନ୍ତି କେନ୍ଦ୍ର ସରକାର ।