ଜାମ୍ମୁ କାଶ୍ମୀର: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଜମ୍ମୁ କାଶ୍ମୀର ସୀମା ସଡକ ସଂଗଠନ (BRO) ଦ୍ୱାରା ନିର୍ମିତ ୬ଟି ନୂତନ ସେତୁର ଉଦଘାଟନ କରିଛନ୍ତି। ନୂଆଦିଲ୍ଲୀରୁ video କନଫେରେନ୍ସରେ ଏହାର ଉଦଘାଟନ କରାଯାଇଛି। ପ୍ରାୟ 43 କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି।
ଏହି ସେତୁଗୁଡିକର ଉଦଘାଟନ କରିବା ଏକ ଆନନ୍ଦଦାୟକ ଅନୁଭୂତି ବୋଲି ରାଜନାଥ ସିଂ କହିଛନ୍ତି। ମହାମରୀ ଯୋଗୁଁ ଯେତେବେଳେ ପୁରା ବିଶ୍ୱ ଦୂରତା ବଜାୟ ରଖୁଛି। ବିଶ୍ୱ ପରସ୍ପରଠାରୁ ଅଲଗା ରହିବା ନେଇ ଜିଦ ଧରିଛି। ସେତେବେଳେ ମୁଁ ସୀମା ସଡକ ସଂଗଠନକୁ ଏହି କାର୍ଯ୍ୟ ସମାପ୍ତ କରିଥିବାରୁ ଅଭିନନ୍ଦନ ଜଣାଉଛି।
ଏହି ସଡ଼କ ଜାମ୍ମୁବାସୀଙ୍କ ଆକାଂକ୍ଷାକୁ ପୂରଣ କରିବ। ମୁଁ ସ୍ଥାନୀୟ ଲୋକଙ୍କ ସମେତ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ଏହି ସେତୁକୁ ଆପଣ ସମସ୍ତଙ୍କୁ ଉତ୍ସର୍ଗ କରୁଛି ବୋଲି ସେ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଅଖନୁର ସେକ୍ଟରରେ ଚାରିଟି ଏବଂ ଜାମ୍ମୁ-ରାଜପୁରା ଅଞ୍ଚଳରେ ଦୁଇଟି ସେତୁର ଉନ୍ମୋଚନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ମାସରେ ଜାମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡ ରେ ବିଆରଓ ଦ୍ୱାରା ରାଜପଥ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ଅତିରିକ୍ତ 1,691 କୋଟି ଟଙ୍କା ଅନୁମୋଦନ କରିଥିଲେ।

